ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଆଗାମୀ ୧୫ ଦିନରୁ ୧ ମାସ ଆମ ପାଇଁ ଚାଲେଞ୍ଜ। ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଏହା ଆମ ପାଇଁ ଚାଲେଞ୍ଜ ହେବ। ହେଲେ ଏହି ଚାଲେଞ୍ଜକୁ ଆମେ ସଫଳତାର ସହ ମୁକାବିଲା କରିପାରିବା। ମାନବିକତା ଏବଂ ବୃତ୍ତିଗତ ଢଙ୍ଗରେ କରୋନା ମୁକାବିଲା କରିପାରିବା’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆଜି କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ସଚିବମାନଙ୍କ ସହ ସମୀକ୍ଷା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଆମେ ଦୁଇ ମାସ ହେଲା ଲକ୍‌ଡାଉନ୍‌ ଭିତରେ ରହିଛୁ। ଏହି ସମୟ ଭିତରେ ଆମେ ବୈଜ୍ଞାନିକ, ସାମାଜିକ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ ବହୁତ କିଛି ଶିକ୍ଷା ପାଇଛେ। କରୋନା ସଂକ୍ରମଣ ରୋକିବା ପାଇଁ ଆମେ ମାସ୍କ ବ୍ୟବହାର କରୁଛେ, ସାମାଜିକ ଦୂରତା ନିୟମ ମାନୁଛେ ଏବଂ ହାତ ଧୋଉଛେ। ସାମାଜିକ ଦୂରତାର ଅର୍ଥ ସାମାଜିକ ବାଛନ୍ଦ ନୁହେଁ। ଏହାକୁ ନେଇ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି।’’

ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ଭଲ ପଦକ୍ଷେପ ନିଆଯାଇଛି। ସଙ୍ଗରୋଧ କେନ୍ଦ୍ରରୁ ୯୫ ପ୍ରତିଶତ ରୋଗୀ ବାହାରୁଛନ୍ତି। ଏହା ଆମ ପାଇଁ ଖୁସିର କଥା। ସରପଞ୍ଚମାନଙ୍କ କାର୍ଯ୍ୟ ପ୍ରଶଂସନୀୟ।

Comment