ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ ୱେବ ଏବଂ ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ମେ’ ୨୬ରୁ ତିନି ମାସ ଯାଏଁ ପ୍ରସାରିତ ହେବ ମୀନା କାର୍ଟୁନ ସିରିଜ।

ଲକଡାଉନ ସମୟରେ ସାନ ସାନ ପିଲା ଏବଂ କିଶୋର କିଶୋରୀମାନଙ୍କ ମୁହଁରେ ହସ ଫୁଟିବ। କାରଣ ଓଡ଼ିଆ ଡିଜିଟାଲ ଗଣମାଧ୍ୟମରେ ଏବେ ପ୍ରସାରିତ ହେଉଛି ୟୁନିସେଫ୍‌ ପ୍ରସ୍ତୁତ ଲୋକପ୍ରିୟ କାର୍ଟୁନ ସିରିଜ ‘ମୀନା’। ନବେ ଦଶକରେ ବେଶ୍‌ ଲୋକପ୍ରିୟ ହୋଇପାରିଥିବା ଏହି ସିରିଜ୍‌ ଏବେ ପୁଣି ଥରେ ଓଡ଼ିଆ ଦର୍ଶକ, ବିଶେଷକରି ପିଲାମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।

ଅଗ୍ରଣୀ ଓଡ଼ିଆ ଖବର ପ୍ଲାଟଫର୍ମ ‘ଓଡ଼ିଶାଲାଇଭ’ ଏବଂ ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ଓ ଜୀବନଶୈଳୀ  ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ର ୱେବ ଏବଂ ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ମୀନାର ଆନିମେସନ ଓ ଅଡିଓ ସିରିଜ ମେ ୨୬ ତାରିଖରୁ ନିୟମିତ ପ୍ରସାରିତ ହେବ।

ଏହି ଦୁଇ ଡିଜିଟାଲ୍‌ ପ୍ଲାଟଫର୍ମର ମିଳିତ ସହଯୋଗରେ ତଥା କରୋନା ସଂକ୍ରମଣର ଭୟ ଏବଂ ଲକ୍‌ଡାଉନ୍‌ ସମୟରେ ଶିଶୁ ଓ ଯୁବବର୍ଗ ପାଇଁ ଏକ ଡିଜିଟାଲ୍‌ ମିଡିଆ ଅଭିଯାନ କରାଯାଉଛି। ‘କେତେ ନୂଆ ବାଟ’ ଶୀର୍ଷକରେ ଆୟୋଜିତ ଏହି ଅଭିଯାନ ଲାଗି ସହଯୋଗର ହାତ ବଢ଼ାଇଛି ୟୁନିସେଫ୍‌। ଏହି ଅଭିଯାନ ଆସନ୍ତା ୨୬ ମେ’ଠାରୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିରେ ମୀନା ସିରିଜ୍‌ ଓ ଅନ୍ୟ ପୋଷ୍ଟ ମଧ୍ୟ କରାଯିବ।

ମୀନା କାର୍ଟୁନ ସିରିଜ ଓଡ଼ିଆରେ www.odisha.live ଏବଂ www.swasthya.plus ୱେବସାଇଟରେ ପ୍ରସାରିତ ହେବ। ଏହାଛଡ଼ା ଓଡ଼ିଶାଲାଇଭ ଏବଂ ସ୍ୱାସ୍ଥ୍ୟ ପ୍ଲସର ୟୁଟ୍ୟୁବ, ଫେସବୁକ ଏବଂ ହେଲୋ ଭଳି ଲୋକପ୍ରିୟ ସାମାଜିକ ଚ୍ୟାନେଲଗୁଡ଼ିକରେ ମଧ୍ୟ ପ୍ରସାରିତ ହେବ। ଏହା ଏକ ସଙ୍ଗେ ୱେବସାଇଟ, ସାମାଜିକ ଗଣମାଧ୍ୟମ ଏବଂ ବିଭିନ୍ନ ମୋବାଇଲ୍‌ ଆପରେ ପ୍ରସାରିତ ହେବ।

 ମୀନା କେମିତି କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ ‘ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ, ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା, ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ୍‌ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା ।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment