ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ କରୋନା ମହାମାରୀ ସହ ଲଢ଼ୁଥିଲା ବେଳେ ଏବେ ପଙ୍ଗପାଳ ଦଳ ଆହୁରି ଚନ୍ତା ବଢ଼ାଇଛନ୍ତି। ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପଙ୍ଗପାଳ ଦଳ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।

ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଫସଲ ନଷ୍ଟ କରିବା ପରେ ପଙ୍ଗପାଳ ଦଳ ସୋମବାର ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ଜୟପୁରର ପାର୍କୋଟା ଅଞ୍ଚଳରେ ଥିବା ବଡ଼ ଚାପଡ ଏବଂ ଏହାର ଆଖପାଖ ଅଞ୍ଚଳରେ ପଙ୍ଗପାଳ ଦଳ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଫଳରେ ଚାଷୀ ଏବେ ଫସଲକୁ ସୁରକ୍ଷା ଦେବା ପାଇଁ ଜୋରସୋର ଲାଗିପଡ଼ିଛନ୍ତି।

ପଙ୍ଗପାଳ ଦଳ ରାଜସ୍ଥାନର ଜୈସଲମେର, ବାଡମେର, ଶ୍ରୀଗଙ୍ଗଗାନଗର, ଯୋଧପୁରରେ ପ୍ରବେଶ କରି ବର୍ତ୍ତମାନ ଦୌସା, ସାୱାଇମାଧେପୁର, କରୌଲୀ ଏବଂ ଧୌଲପୁରରେ ପହଞ୍ଚିଛନ୍ତି ।

ପଙ୍ଗପାଳ ଏକ ପ୍ରକାରର ପତଙ୍ଗ। ଏମାନେ ଦଳ ଦଳ ହୋଇ ଦେଶଦେଶାନ୍ତରରୁ ଉଡ଼ି ଆସି ଫସଲ ଆଦି ନଷ୍ଟ କରିଥାନ୍ତି। ସେମାନ‌େ ସବୁଜ ପନିପରିବାରୁ ନେଇ ଶସ୍ୟ, ଦାନା ଓ ଖିର ଜାତୀୟ ଖାଦ୍ୟକୁ ଖାଇଦିଅନ୍ତି। ଏମାନେ ଏକତ୍ର ହେଲେ ଭୟଙ୍କର ରୂପ ନେଇଥାନ୍ତି। ପଙ୍ଗପାଳ ଦଳ ଦିନକୁ ୨୦୦ କିଲୋମିଟର କିଲୋମିଟର ଯାତ୍ରା କରିପାରିବେ।  ବିଶେଷଜ୍ଞଙ୍କ ଅନୁଯାୟୀ, ପଙ୍ଗପାଳଙ୍କ ଆକାର ୨ରୁ ୨.୫ ଇଞ୍ଚ ମଧ୍ୟରେ ରହିଥାଏ।  ଆମେରିକାର ଖାଦ୍ୟ ଓ କୃଷି ସଂସ୍ଥା କହିବା ଅନୁସାରେ ଏହି ପଙ୍ଗପାଳମାନେ ଗୋଟାଏ ଦିନରେ ୩୫ ହଜାର ଲୋକଙ୍କର ଖାଦ୍ୟଶସ୍ୟ ଖାଇ ଦିଅନ୍ତି।

ଗତବର୍ଷ  ୨୦୧୯ ମସିହା ଜୁନ୍‌ ମାସରେ ପଙ୍ଗପାଳ ଦଳ ଇରାନରୁ ପାକିସ୍ତାନକୁ ଆସିଥିବା ଖବର ଆସିଥିଲା। ପାକିସ୍ତାନରେ ପଶି ଏହି ପଙ୍ଗପାଳ ଦଳ ତୁଳା, ଗହମ ଏବଂ ମକା ଜାତୀୟ ଆଦି ଚାଷ ସାମଗ୍ରୀକୁ ନଷ୍ଟ କରି ଦେଇଥିଲେ।

ପଙ୍ଗପାଳ ଦଳ ଏବେ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ଓଡ଼ିଶା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ପଙ୍ଗପାଳ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କ କୃଷି ପରାମର୍ଶ ଦିଆଯାଇଛି।

Comment