ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷର ସୁସ୍ଥ ଜୀବନଯାପନ ପାଇଁ ପରିମଳ ଗୁରୁତ୍ଵପୂର୍ଣ୍ଣ। ଏଥିପାଇଁ ଘରେ ଘରେ ପାଇଖାନା, ବିଶୁଦ୍ଧ ପାଣି ଏବଂ ହାତ ଧୋଇବାର ଅଭ୍ୟାସ ନିହାତି ଦରକାର। ୟୁନିସେଫର ଲୋକପ୍ରିୟ କାର୍ଟୁନ୍ ସିରିଜ ‘ମୀନାର ୩ଟି ଇଚ୍ଛା’ ଅଧ୍ୟାୟରେ ଏହି କଥାକୁ ବୁଝାଇ ଦିଆଯାଇଛି।

ମଣିଷକୁ ସୁସ୍ଥ ଭାବରେ ବଞ୍ଚିବା ପାଇଁ ସ୍ୱଚ୍ଛତା ଓ ପରିମଳ ବଜାୟ ରଖିବାକୁ ପଡ଼ିଥାଏ। ବଶେଷ କରି ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା, ବିଶୁଦ୍ଧ ପାଣି ପିଇବା, ନିୟମିତ ସାବୁନରେ ଭଲକରି ହାତ ଧୋଇବାକୁ ପଡ଼ିଥାଏ। ଏହା ଦ୍ୱାରା ଆମେ ବିଭିନ୍ନ ରୋଗରୁ ମୁକ୍ତି ପାଇଥାଉ। ସ୍ୱଚ୍ଛତା ଓ ପରିମଳ ବଜାୟ ରଖିବା ଆମ ଜୀବନ ଉପରେ କିଭଳି ପ୍ରଭାବ ପକାଇଥାଏ, ୟୁନିସେଫ୍‌ର କାର୍ଟୁନ୍ ସିରିଜ ‘ମୀନା’ ଏହି ଅଧ୍ୟାୟରେ ଅତି ସରଳ ଭାବରେ ମୀନା ଏହି କଥାକୁ ବୁଝାଇଦେଇଛି।

ଏହି ଅଧ୍ୟାୟରେ ମୀନା ତା’ର ୩ଟି ଇଚ୍ଛା ପ୍ରକାଶ କରିଛି। ଲୋକମାନେ କିଭଳି ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବେ, ପିଇବା ପାଇଁ ତଥା ଦୈନନ୍ଦିନ ବ୍ୟବହାର ପାଇଁ ବିଶୁଦ୍ଧ ପାଣି ପାଇପାରିବେ ଏବଂ ଶେଷରେ ସାବୁନରେ ହାତ ଧୋଇବାର ଅଭ୍ୟାସ କରିବେ, ଏହେଉଛି ମୀନାର ୩ଟି ଇଚ୍ଛା। ଏହିସବୁ ପାଳନ କଲେ ଲୋକେ ତରଳ ଝାଡ଼ ସମସ୍ୟାରୁ ମୁକ୍ତି ପାଇପାରିବେ। ମୀନା ତା’ର ଏହି ଇଚ୍ଛା ପ୍ରକାଶ କରିବାକୁ ଯାଇ ଲୋକମାନଙ୍କୁ ଏକ ସଚେତନତାର ବାର୍ତ୍ତା ଦେଇଛି।

ମୀନା କେମିତି କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ ‘ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment