ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ସମସ୍ତେ କରୋନା ପ୍ରତିଷେଧକକୁ ଚାହିଁ ରହିଥିବା ବେଳେ ଏଦିଗରେ ସଫଳତା ମିଳୁନି। ଏନେଇ ମୁଖ୍ୟ କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ମତ ରଖିଛନ୍ତି। କରୋନା ପ୍ରତିଷେଧକ ଟିକା ବାହାର କରିବା ଲାଗି ଭାରତ ଜୋରଦାର ପ୍ରୟାସ କରୁଥିବା ସେ କହିଛନ୍ତି।

‘‘ବର୍ତ୍ତମାନ ଭାରତରେ ୩୦ଟି ସଂସ୍ଥା କରୋନା ଟିକା ଉଭାବନ ପାଇଁ ଲାଗିପଡ଼ିଛନ୍ତି। ବିଶ୍ୱର ବିଭିନ୍ନ ସଂସ୍ଥା କରୋନା ଟିକା ବାହାର କରିବା ପାଇଁ ଲାଗିଛନ୍ତି। ହେଲେ କାହାର ଟିକା ପ୍ରଭାବୀ ହେବ ତାହା ଜଣାନାହିଁ। ଯାହାର ପ୍ରତିଷେଧକ ଟିକା ଭଲ ତାକୁ କ୍ଷତି ବି ସହିବାକୁ ପଡ଼ିବ’’, କହିଛନ୍ତି କେ ବିଜୟ ରାଘବନ।

ସେ ଆହୁରି କହିଛନ୍ତି ଯେ, ଗୋଟିଏ ପ୍ରତିଷେଧକ ବାହାର କରିବା ପାଇଁ ୧୦ରୁ ୧୫ ବର୍ଷ ଲାଗିଯାଏ। ଏଥିପାଇଁ ପ୍ରାୟ ୨୦୦ ମିଲିଅନ ଡଲାରରୁ ଅଧିକ ଖର୍ଚ୍ଚ ହୋଇଥାଏ। କିନ୍ତୁ କରୋନା ଟିକା ବର୍ଷକ ଭିତରେ ବାହାର କରିବା ପାଇଁ ଆମେ ଉଦ୍ୟମ କରୁଛୁ।

‘‘ଟିକା ବାହାର କରିବା ଏକ ଜଟିଳ ପ୍ରକ୍ରିୟା। ପ୍ରତିଷେଧକ ଟିକା ଏବେ ତିନୋଟି ବାଟ ଦେଇ ବାହାର କରିବା ପାଇଁ ଚେଷ୍ଟା ଚାଲିଛି। ପ୍ରଥମେ ଆମେ ନିଜେ ପ୍ରତିଷେଧକ ବାହାର କରିବା ଲାଗି ଚେଷ୍ଟା କରୁଛୁ। ଦ୍ୱିତୀୟରେ, ବାହାର କମ୍ପାନି ସହିତ ମିଳିମିଶି ଆମେ କରୁଛୁ। ତୃତୀୟରେ, ଆମ ନେତୃତ୍ୱରେ ବାହାର କମ୍ପାନି ଟିକା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଔଷଧ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ନେଇ ହାକାଥନ କରିବାକୁ ଲକ୍ଷ୍ୟ ରହିଛି’’, କହିଛନ୍ତି କେ ବିଜୟ ରାଘବନ।

Comment