ଓଡ଼ିଶାଲାଇଭ୍ ବ୍ୟୁରୋ

ସେଦିନ ଥିଲା ୨୦୧୯ ମସିହା ମେ ମାସ ୨୯ ତାରିଖ। କ୍ରମାଗତ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। ଆଜି ଏହାକୁ ଗୋଟିଏ ବର୍ଷ ପୂରଣ ହେଉଛି। ନବୀନ ନିଜର ପଞ୍ଚମ ପାଳିର ସରକାରରେ ଗୋଟିଏ ବର୍ଷ ପୂରଣ କରୁଛନ୍ତି।

କ୍ରମାଗତ ୪ଟି ନିର୍ବାଚନରେ ଓଡ଼ିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ବିଜୟ ମୁକୁଟ ପିନ୍ଧାଇ ଆସିଥିଲେ। ଏଭଳି ଆତ୍ମବିଶ୍ୱାସ ଓ ନବୀନଙ୍କ ନେତୃତ୍ୱର ସହ ବିଜୁ ଜନତା ଦଳ ୨୦୧୯ ବିଧାନସଭା ନିର୍ବାଚନକୁ ଓହ୍ଲାଇଥିଲା। ନବୀନ ମଧ୍ୟ ବୁଲି ବୁଲି ନିଜ ଦଳ ଆଉ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।ନିର୍ବାଚନ ସରିବା ପରେ ଫଳାଫଳ ମଧ୍ୟ ବିଜେଡି ସପକ୍ଷରେ ଆସିଥିଲା। ରାଜ୍ୟ ବିଧାନସଭାର ୧୪୭ଟି ଆସନରୁ ୧୧୨ଟିରେ ବିଜୟ ବାନା ଉଡ଼ାଇଥିଲା ବିଜୁ ଜନତା ଦଳ। ନବୀନ ମଧ୍ୟ ହିଞ୍ଜିଳିକାଟୁ ଆସନ ସହିତ ବିଜେପୁର ଆସନରୁ ବିଜୟୀ ହୋଇଥିଲେ। ଏହାପରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ।

ତେବେ ପ୍ରଥମ କରି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ସ୍ଥାନକୁ ଆସିଥିଲା ଭାରତୀୟ ଜନତା ପାର୍ଟି। କଂଗ୍ରେସକୁ ପଛରେ ପକାଇ ଦଳ ଏଥର ଓଡ଼ିଶାରେ ଦ୍ୱିତୀୟ ସ୍ଥାନକୁ ଲମ୍ପ ମାରିଥିଲା। କଂଗ୍ରେସ ତୃତୀୟ ସ୍ଥାନରେ ରହିବା ସହିତ ନିଜ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିଲା।ଆଜି ପଞ୍ଚମ ପାଳିର ଏକ ବର୍ଷ ପୂର୍ତ୍ତି ଅବସରରେ ସେଭଳି କିଛି ବଡ଼ ଆୟୋଜନ କରିନାହିଁ ବିଜେଡ଼ି। କରୋନା କାରଣରୁ ଏଥର ଏହି ଉତ୍ସବଟି ମଧ୍ୟ ଫିକା ପଡ଼ିଛି। ଆଜି ନବୀନ ଭିଡିଓ କନଫରେନ୍ସି ଜରିଆରେ କ୍ୟାବିନେଟ୍ ବୈଠକରେ  ଯୋଗଦେବେ। ସେହିପରି ୧୨ଟା ୧୫ରେ ମନ୍ତ୍ରୀପରିଷଦର ବୈଠକ ବସିବ ବୋଲି ସୂଚନା ରହିଛି। ତେବେ ଏହି ବୈଠକରେ କେଉଁ ସବୁ ଏଜେଣ୍ଡା ସ୍ଥାନ ପାଇବ ସେନେଇ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇନାହିଁ।

Comment