ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାସଙ୍କଟ ମଧ୍ୟରେ ଆଜି ଦିନ ୧୧ଟା ୪୫ ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି କ୍ୟାବିନେଟ୍ ବୈଠକ। ଏହି ବୈଠକରେ କରୋନାଗସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ବିଭିନ୍ନ ବିଷୟରେ ଆଲୋଚନା ହେବା ନେଇ ସୂଚନା ମିଳିଛି।

ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣିବେ ବୋଲି ସୂଚନା ମିଳିଛି। ଏହି ବୈଠକରେ ପ୍ରାୟତଃ ୨୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି।

ସେହିପରି ଅର୍ଥବିଭାଗ ପକ୍ଷରୁ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ବର୍ଦ୍ଧିତ ଭାଟ୍ ଲାଗୁହେବା ନେଇ କ୍ୟାବିନେଟ୍ ଅନୁମୋଦନ ନିଆଯିବ। ଏଥିସହ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧିନିୟମ ଓ ସମବାୟ ବିଭାଗର ସମବାୟ ସମିତି ପଞ୍ଜୀକରଣ ଆଇନରେ ସଂଶୋଧନ ଆସିପାରେ।

ଗଣଶିକ୍ଷା ବିଭାଗର ପ୍ରସ୍ତାବ ଅନୁଯାୟୀ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଯୋତା, ମୋଜା ଓ ସୁଇଟର୍ ଯୋଗାଇବା ବାବଦରେ ପାଣ୍ଠି ବୃଦ୍ଧି କରାଯିବ। ଆଖୁ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଆସିକା ସମବାୟ ଚିନିକଳକୁ ୧୫ କୋଟି ଟଙ୍କା ଋଣ କରିବା ପାଇଁ ସରକାର ଗ୍ୟାରେଣ୍ଟର ରହିବେ। ଏହି ଋଣ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ଯୋଗାଇ ଦିଆଯିବ। ରାଜ୍ୟରେ କୃଷି ଉତ୍ପାଦର ବିପଣନ ଓ ବଜାର ସୁବିଧା ପାଇଁ ପ୍ରସ୍ତୁତ ହୋଇଥିବା ଅଧ୍ୟାଦେଶକୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିପାରେ।

Comment