ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ସାରା ଦେଶ ଏବେ ଲକଡାଉନ୍। ପୂରାଦେଶରେ ପରିବହନ ବ୍ୟବସ୍ଥା ଠପ୍ ହେବା ସହିତ ପ୍ରବାସୀମାନେ ମଧ୍ୟ ନିଜ ରାଜ୍ୟକୁ ଫେରିବାକୁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ହେଲେ ଏହି ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ସୁଦ୍ଧା ମୋଟ ୮୦ ଜଣ ପ୍ରବାସୀ ପ୍ରାଣ ହରାଇସାରିଲେଣି। ଏନେଇ ଏକ ରିପୋର୍ଟ ଏବେ ସାମନାକୁ ଆସିଛି।

ଜଣେ ରେଳ ଅଧିକାରୀ ଏକ ଡାଟା ସେଆର୍ କରି କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନରେ ମୋଟ ୮୦ ଜଣ ପ୍ରବାସୀ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଜଣେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ୧୧ ଜଣ ଲୋକ ଅନ୍ୟ କୌଣସି ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି।’ମେ ୨ ତାରିଖରୁ ୨୭ ତାରିଖ ମଧ୍ୟରେ ଏହିସବୁ ମୃତ୍ୟୁ ଘଟିଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଅଧିକ ଲୋକଙ୍କ ଜୀବନ ଭୋକ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଥିବା ସେ କହିଛନ୍ତି।

ଏହାପୂର୍ବରୁ ଅନେକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଭୁଲ୍ ରାସ୍ତା ଦେଇ ଯାଉଥିବା ଖବର ଦେଖିବାକୁ ମିଳିଥିଲା। ଯାହା ଫଳରେ ଲୋକମାନେ ନିର୍ଦ୍ଧିଷ୍ଟ ସମୟରେ ନିଜ ରାଜ୍ୟରେ ପହଞ୍ଚିପାରିନଥିଲେ। ଗୋଟିଏ ଦିନରେ ଯିବାକୁ ଥିବା ଟ୍ରେନ୍ ସେହି ସ୍ଥାନକୁ ଯିବାକୁ ଚାରିରୁ ପାଞ୍ଚ ଦିନ ସମୟ ନେଉଥିବା ନଜରକୁ ଆସିଥିଲା। ତେଣୁ ଏହି ସମୟରେ ଅନେକ ଲୋକ ଭୋକରେ ପ୍ରାଣ ହରାଇଥିବା କୁହାଯାଇଛି।

ଅନ୍ୟପଟେ ଜାତୀୟ ମାନବାଧିକାର କମିଶନ ଟ୍ରେନରେ ଯାତ୍ରୀମାନଙ୍କ ଅସୁବିଧାକୁ ନେଇ ରେଲୱେକୁ ନୋଟିସ୍ ଜାରି କରିଥିଲା। ଟ୍ରେନରେ ପାଣି, ଖାଇବା ଓ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ମିଳୁନଥିବା ନେଇ ଏଥିରେ କୁହାଯାଇଥିଲା। ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବାକୁ କେନ୍ଦ୍ର ସରକାର ଶ୍ରମିକ ସ୍ପେଶାଲ୍ ଟ୍ରେନ ଶୁଭାରମ୍ଭ କରିଛନ୍ତି। ଯେଉଁଥିରେ ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିପାରୁଛନ୍ତି। ସେହିପରି ଜୁନ୍ ପହିଲାରୁ କେନ୍ଦ୍ର ସରକାର ଆହୁରି ଅଧିକ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comment