ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଖ୍ୟାତନାମା ଅଭିନେତ୍ରୀ ନର୍ଗିସ୍ ସୋ’ ମ୍ୟାନ୍ ରାଜ କପୁରଙ୍କ ପ୍ରେମରେ ଏମିତି ପାଗଳ ଥିଲେ ଯେ ସେ ତାଙ୍କୁ ନ ପାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ରାଜ କପୁରଙ୍କ ସହିତ ନର୍ଗିସଙ୍କ ଯୋଡ଼ିକୁ ସବୁଠାରୁ ବେଶୀ ପସନ୍ଦ କରାଯାଏ। ରାଜ୍-ନର୍ଗିସ୍‌ଙ୍କ ଯୋଡ଼ି ‘ବରସାତ୍’, ‘ଆୱାରା’, ‘ଶ୍ରୀ-୪୨୦’, ‘ଚୋରି ଚୋରି’ ଓ ‘ଆଗ୍’ ଆଦି ହିନ୍ଦୀ ସିନେମାରେ ଅଭିନୟ କରି ଚର୍ଚ୍ଚାର ବିଷୟ ବନିଥିଲେ।

ନର୍ଗିସ୍ ଓ ରାଜ୍ ଏକାଠି ଅନେକ ସିନେମାରେ କାମ କରିବାବେଳେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। କୁହାଯାଏ ଯେ ରାଜ୍ କପୁରଙ୍କୁ ନର୍ଗିସ୍ ପାଗଳ ଭଳି ଭଲ ପାଉଥିଲେ। ନର୍ଗିସ୍ ସୋ’ ମ୍ୟାନ୍ ରାଜ୍ କପୁରଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ।

ସୋ’ ମ୍ୟାନ୍ ରାଜ୍ କପୁର ଥିଲେ ବିବାହିତ। ସେ କ୍ରିଷ୍ଣା କପୁରଙ୍କୁ ବିବାହ କରିସାରିଥିଲେ। ଏକଥା ଜାଣି ମଧ୍ୟ ନର୍ଗିସ ରାଜ କପୁରଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ସେ ଚାହୁଁଥିଲେ ରାଜ୍ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରନ୍ତୁ।

ରାଜ କପୁର କିନ୍ତୁ ନିଜ ପତ୍ନୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଏ ଥା ମଧ୍ୟ ରାଜ୍‌ ଦିନେ ନର୍ଗିସଙ୍କୁ ରୋକଠୋକ୍ ଶୁଣାଇ ଦେଇଥିଲେ। ଏହାପରେ ନର୍ଗିସଙ୍କର ହୃଦୟ ଭାଙ୍ଗି ଯାଇଥିଲା।

ନର୍ଗିସ୍ ଏଥିରେ ଏଭଳି କ୍ଷୁବ୍ଧ ହୋଇଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ହେଲେ ସେଥିରୁ ବର୍ତ୍ତି ଯାଇଥିଲେ। ତା’ପରେ ନର୍ଗିସ୍ ରାଜ କପୁରଙ୍କଠାରୁ ସମ୍ପର୍କ ଛିନ୍ନ କରିଥିଲେ। ଖାଲି ସେତିକି ନୁହେଁ, ନର୍ଗିସ୍ ରାଜ କପୁରଙ୍କ କୌଣସି ଫିଲ୍ମରେ ବି କାମ କରିବାକୁ ରାଜି ହେଲେ ନାହିଁ।

ଏହି ସମୟରେ ନର୍ଗିସଙ୍କୁ ସୁନୀଲ ଦତ୍ତଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା। ସେ ଦୁହେଁ ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ମେହବୁବ୍ ଖାନ୍‌ଙ୍କ ପିଲ୍ମ ‘ମଦର ଇଣ୍ଡିଆ’ରେ ଏକାଠି କାମ କରିଲେ। କୁହାଯାଏ ଯେ ସେହି ଫିଲ୍ମର ସୁଟିଂ ସମୟରେ ହିଁ ନର୍ଗିସଙ୍କୁ ଭଲ ଲାଗିଲେ ସୁନୀଲ।

‘ମଦର ଇଣ୍ଡିଆ’ର ସୁଟିଂ ସେଟରେ ଏକ ଅଗ୍ନିକାଣ୍ଡ ଘଟିଲା। ସେଥିରୁ ନର୍ଗିସଙ୍କୁ ରକ୍ଷା କରିଥିଲେ ସୁନୀଲ ଦତ୍ତ। ଏହି ଘଟଣା ପରେ ନର୍ଗିସ ସୁନୀଲ ଦତ୍ତଙ୍କୁ ଭଲ ପାଇ ବସିଲେ। ସେ ରାଜ କପୁରଙ୍କୁ ଭୁଲିଗଲେ।

କିଛି ମାସର ଡେଟିଂ ପରେ ଅଭିନେତା ସୁନୀଲ ଦତ୍ତଙ୍କୁ ନର୍ଗିସ ଗୁପ୍ତରେ ବିବାହ କରିଥିଲେ। ଏପରିକି ନର୍ଗିସ ହିନ୍ଦୁ ଧର୍ମ ବି ଗ୍ରହଣ କରିଲେ। ‘ମଦର ଇଣ୍ଡିଆ’ରେ ନର୍ଗିସଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ସୁନୀଲ ଦତ୍ତ। ବିବାହ ଖବର ପ୍ରଚାରିତ ହେଲେ କାଳେ ‘ମଦର ଇଣ୍ଡିଆ’ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ମନେ କରି ସୁନୀଲ- ନର୍ଗିସ ମଧ୍ୟ ବାହାଘର କଥାକୁ ଲୁଚାଇଥିଲେ। ଅବଶ୍ୟ ପରେ ସେ ଦୁହେଁ ବମ୍ବେରେ ଏକ ରିସେପସନ୍ ପାର୍ଟି ଦେଇଥିଲେ।

Comment