ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ତିନି ଦିନରେ କ୍ୱାରେଣ୍ଟିନ ସେଣ୍ଟର ବାହାରୁ ଚିହ୍ନଟ ହେଲେଣି ୪୫ ଆକ୍ରାନ୍ତ।

ଦିନ ଗଡୁଛି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢୁଛି। ମାର୍ଚ୍ଚ ୧୫ ତାରିଖରୁ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩୮୮ରେ ପହଞ୍ଚିଛି। ତେବେ ଏସବୁ ଭିତରେ ଏବେ ଗୋଷ୍ଠୀ ସଂକ୍ରମଣର ଭୟ ଘାରିଛି। କ୍ୱାରେଣ୍ଟିନ ସେଣ୍ଟର ବାହାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପ୍ରଶାସନକୁ ଚିନ୍ତା ଘାରିଛି।

ଗତ ତିନି ଦିନ ଭିତରେ କ୍ୱାରେଣ୍ଟିନ ସେଣ୍ଟର ବାହାରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁନ୍‌ ୧ରେ ୩ ଜଣ, ୨ ତାରିଖରେ ୩୧ ଜଣ ଏବଂ ୩ ତାରିଖରେ ୧୧ ଜଣ ଆକ୍ରାନ୍ତ କ୍ୱାରେଣ୍ଟିନ ସେଣ୍ଟର ବାହାରୁ ଚିହ୍ନଟ ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆଜି ଓଡ଼ିଶାରୁ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରୁ ସୋନୁପର ଜିଲ୍ଲାରୁ ୧୭ ଜଣ ଅଛନ୍ତି। ୩ ଜଣ ଗୁଜରାଟ ଫେରନ୍ତା ହୋଇଥିବା ବେଳେ ୮ ଜଣ ତାମିଲନାଡୁ, ୩ ଜଣ ତେଲେଙ୍ଗାନା ଏବଂ ଆଉ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ଜଣେ ଆୟୁଷ ଡାକ୍ତର ଥିବା ବେଳେ ଜଣେ ଅଙ୍ଗନବାଡ଼ି କର୍ମୀ ଏବଂ ଜଣେ କମ୍ପ୍ୟୁଟର ଆସିଷ୍ଟାଣ୍ଟଙ୍କ ନମୁନା ପଜିଟିଭ ଆସିଛି। ଏମାନେ ହୋମ କ୍ୱାରେଣ୍ଟିନରେ ରହିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ସେମାନଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି।

ସୋନପୁରରେ ବାହାରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ ସିଲ୍‌ କରିବା ସାନିଟାଇଜ କରିଛି ପ୍ରଶାସନ।

ଗତ ୩୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରୁ ମଧ୍ୟ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ କ୍ୱାରେଣ୍ଟିନ ସେଣ୍ଟରର କର୍ମଚାରୀ ଥିଲେ। ୨୩୮୮ ଜଣ ମୋଟ ଆକ୍ରାନ୍ତଙ୍କ ଭିତରୁ ୨୦୯୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବା ବେଳେ ୨୯୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହେବା ପ୍ରଶାସନ ପାଇଁ ଚାଲେଞ୍ଜ ବଢ଼ାଇଛି।

ଜଣକ ପରେ ଜଣେ କ୍ୱାରେଣ୍ଟିନ ସେଣ୍ଟର ବାହାରୁ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଭୟ ବଢ଼ିଛି। ଗୋଷ୍ଠୀ ସଂକ୍ରମଣର ବି ଆଶଙ୍କା ରହୁଛି।

କେଉଁ ଜିଲ୍ଲାରେ କେତେ?

୩ ତାରିଖ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ୨୯୦, ବାଲେଶ୍ୱରରେ ୧୭୮, ଖୋର୍ଦ୍ଧାରେ ୧୭୦, କେନ୍ଦ୍ରାପଡ଼ାରେ ୧୬୧, କଟକରେ ୧୨୬, ଭଦ୍ରକରେ ୧୨୩, ବଲାଙ୍ଗୀରରେ ୧୦୨, ପୁରୀରେ ୯୬, ଜଗତସିଂହପୁର ୮୬, ସୁନ୍ଦରଗଡ଼ ୬୯, ନୟାଗଡ଼ ୬୯, ନୂଆପଡ଼ା ୬୦, ଗଜପତି ୪୪, ମୟୂରଭଞ୍ଜ ୩୫, ବୌଦ୍ଧ ୩୪, ଦେବଗଡ଼ ୩୩, କେନ୍ଦୁଝର ୩୦, ଅନୁଗୁଳ ୨୯, ସୋନପୁର ୨୫, କନ୍ଧମାଳ ୨୨, ମାଲକାନଗିରି ୨୧, କଳାହାଣ୍ଡି ୨୧, ଢେଙ୍କାନାଳ ୨୧, ସମ୍ବଲପୁର ୧୫, ବରଗଡ଼ ୧୧, କୋରାପୁଟ ୮, ଝାରସୁଗୁଡ଼ା ୭, ନବରଙ୍ଗପୁର ୨, ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ପ୍ରତିଦିନ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି।

Comment