ଓଡ଼ିଶାଲାଇଭ୍ବ୍ୟୁରୋ

ଓଡ଼ିଶାର ୩୦ରୁ ୩୦ ଜିଲ୍ଲାକୁ ଛୁଇଁଲା କରୋନା।

କରୋନା ଭାଇରସ୍‌ ଏବେ ପୂରା ଓଡ଼ିଶାକୁ ଗ୍ରାସ କରିଛି। ଗତକାଲି ଯାଏଁ ୨୯ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଆଜି ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ୩୦ ଜିଲ୍ଲାରେ କାୟା ମେଲାଇଛି ଏହି ଭାଇରସ୍‌। ମାତ୍ର ଅଢ଼େଇ ମାସ ଭିତରେ ଓଡ଼ିଶାର ୩୦ରୁ ୩୦ ଜିଲ୍ଲା କରୋନା ଜାଲରେ ପଡ଼ିଛି।

ଗତ ମେ’ ୨୬ ତାରିଖ ସୁଦ୍ଧା ଓଡ଼ିଶାର ୨୯ ଜିଲ୍ଲାକୁ ଛୁଇଁଥିଲା କରୋନା। କେବଳ ରାୟଗଡ଼ା ଜିଲ୍ଲା କରୋନା ମୁକ୍ତ ରହିଥିଲା। ଆଜି ରାୟଗଡ଼ାରେ କରୋନା ପ୍ରଥମ ଖାତା ଖୋଲିଛି। ଦିଲ୍ଲୀରୁ ଆସିଥିବା ଜଣେ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ୍‌ ଆସିବା ପରେ ରାୟଗଡ଼ାରେ ଆତଙ୍କ ଖେଳିଯାଇଛି।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଇଟାଲିରୁ ଆସିଥିବା ଜଣେ ଯୁବକଙ୍କ ନମୁନା ପଜିଟିଭ୍‌ ବାହାରିଥିଲା। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା ଏବଂ ଜିଲ୍ଲା ସଂଖ୍ୟା ବି ବଢ଼ି ଚାଲିଲା।

ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଭାଇରସ୍‌ ତାର କାୟା ମେଲାଇ ଚାଲିଲା। ଖୋର୍ଦ୍ଧା ପରେ ଭଦ୍ରକ, କଟକ, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଖାତା ଖୋଲିଲା। ଏହାପରେ ଗଞ୍ଜାମରେ ସ୍ଥିତି ବେହାଲ କଲା କରୋନା।

ଗତ ମେ’ ୨୫ ତାରିଖ ଯାଏଁ ବରଗଡ଼ ଓ ରାୟଗଡ଼ା ଜିଲ୍ଲା କରୋନା ମୁକ୍ତ ଥିଲା। ହେଲେ ବରଗଡ଼ରୁ ଗତ ୨୬ରେ ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ଆଜି ରାୟଗଡ଼ାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ ଥିବା ବେଳେ କେବଳ ୧୪୩ ଜଣ ଆଜି ହିଁ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରେ କେତେ?

ଗଞ୍ଜାମରେ ସର୍ବାଧିକ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ୨୯୦, ବାଲେଶ୍ୱରରେ ୧୭୮, ଖୋର୍ଦ୍ଧାରେ ୧୭୦, କେନ୍ଦ୍ରାପଡ଼ାରେ ୧୬୧, କଟକରେ ୧୨୬, ଭଦ୍ରକରେ ୧୨୩, ବଲାଙ୍ଗୀରରେ ୧୦୨, ପୁରୀରେ ୯୬, ଜଗତସିଂହପୁର ୮୬, ସୁନ୍ଦରଗଡ଼ ୬୯, ନୟାଗଡ଼ ୬୯, ନୂଆପଡ଼ା ୬୦, ଗଜପତି ୪୪, ମୟୂରଭଞ୍ଜ ୩୫, ବୌଦ୍ଧ ୩୪, ଦେବଗଡ଼ ୩୩, କେନ୍ଦୁଝର ୩୦, ଅନୁଗୁଳ ୨୯, ସୋନପୁର ୨୫, କନ୍ଧମାଳ ୨୨, ମାଲକାନଗିରି ୨୧, କଳାହାଣ୍ଡି ୨୧, ଢେଙ୍କାନାଳ ୨୧, ସମ୍ବଲପୁର ୧୫, ବରଗଡ଼ ୧୧, କୋରାପୁଟ ୮, ଝାରସୁଗୁଡ଼ା ୭, ନବରଙ୍ଗପୁର ୨, ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ପ୍ରତିଦିନ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନସୁଦ୍ଧା ୧୩୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Comment