ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ପାଦ ଥାପିଲା କରୋନା। ଜଣେ ମହିଳାଙ୍କ ଦେହରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ରାଜ୍ୟର ୨୯ଗୋଟି ଜିଲାରେ କରୋନା କାୟା ବିସ୍ତାର କରିସାରିଥିବାବେଳେ ମହାମାରୀ ଭୂତାଣୁ ରାୟଗଡାରେ ପାଦ ଥାପିଛି। ଫଳରେ ଜିଲ୍ଲାରେ ଭୟ ଦେଖାଦେଇଛି।

ଆକ୍ରାନ୍ତ ଜଣକ ହେଲେ ୨୦ବର୍ଷୀୟ ଜଣେ ଯୁବତୀ। ଗତ ମେ’ ୨୫ତାରିଖ ଦିନ ଯୁବତୀ ଜଣକ ଦିଲ୍ଲୀରୁ ଗୋଟିଏ ବୋଲେରୋ ଯୋଗେ ରାୟଗଡାରେ ପହଞ୍ଚିଥିଲେ। ପୌରାଞ୍ଚଳ ପଞ୍ଜୀକରଣ କେନ୍ଦ୍ରରେ ନାଁ ପଞ୍ଜୀ କୃତ ହେଲା ପରେ ତାଙ୍କୁ ଘରେ ସଂଗରୋଧ ଅବସ୍ଥାରେ ରଖାଯାଇଥିଲା। ଗତ ୨୮ତାରିଖ ଦିନ କରୋନା ଲକ୍ଷଣ ପ୍ରକାଶ ପାଇଥିବାରୁ ମେଡିକାଲ ଟିମ ପହଞ୍ଚି ତାଙ୍କ ସ୍ୱବ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ସ୍ଥାନୀୟ କୋରାପୁଟ ଛକଠାରୁ ମ୍ୟୁନିସପାଲ ଛକ ଆର କେ ନଗର ଅଞ୍ଚଳ ଓ ବସ ଷ୍ଟାଣ୍ଡ କେଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି।

ସେହିପରି ଆକ୍ରାନ୍ତଙ୍କ ଘର ଯେଉଁ ଅଞ୍ଚଳରେ ତାକୁ ମଧ୍ୟ କେଣ୍ଟନମେଣ୍ଟ ଜୋନରେ ରଖାଯାଇଛି। ଆସନ୍ତା ୭ତାରିଖ ସକାଳ ୭ଟା ଯାଏଁ ଏହି ଅଞ୍ଚଳ ପୁଲିସ ସୁରକ୍ଷା ବଳଙ୍କ କଡନ ମଧ୍ୟରେ ରହିବ। ଅଞ୍ଚଳବାସୀନ୍ଦା ନିୟମ ଖିଲାପ କଲେ ପୁଲିସ ପକ୍ଷରୁ ବିପର୍ଯ୍ୟ ପରିଚାଳନା ଆଇନ ୨୦୦୫, ଅଧିନିୟମ ୫୧ ଓ ୬୦ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

କଣ୍ଟେନମେଣ୍ଟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ଅତିରିକ୍ତ ଯୋଗାଣ ଅଧିକାରୀ ସି ଏଚ୍‍ ମୁରଲି କ୍ରିଷ୍ଣା ରାଓ ଓ ପୌରପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଶତପଥୀଙ୍କ ଯୋଗାଯୋଗ ନମ୍ବର ୯୪୩୭୮୮୨୨୨୦ ଓ ଶ୍ରୀ କ୍ରୀଷ୍ଣାଙ୍କ ମୋବାଇ ଫୋନ ନମ୍ବର ୯୪୩୭୩୭୪୫୭୬। ସ୍ୱାସ୍ଥ୍ୟ ସମ୍ପର୍କୀତ ଜରୁରୀକାଳୀନ ପରିସ୍ଥିତି ପାଇଁ ଡିପିଏମ ରାଜେଶ୍ୱର ପଟ୍ଟନାୟକଙ୍କୁ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟଭାର ପ୍ରଦାନ କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ମୋବାଇଲ ନଂ ୯୪୩୯୯୮୩୫୦୭ ମଧ୍ୟ ପ୍ରଶାସନ ପକ୍ଷରୁ ଜାରି ହୋଇଛି। ତେବେ ଏହି ଅଞ୍ଚଳରେ   ପରିମଳ ବ୍ୟବସ୍ଥା ଦାୟିତ୍ୱରେ ପୌରପରିଷଦ ଏସଆଇ ଭି. ରାଜୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ ସକାଶେ ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି।

Comment