ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜଧାନୀର ସବୁଠୁ ବଡ଼ ବସ୍ତି କୁହାଯାଉଥିବା ସାଲିଆ ସାହିରେ ପଶିଲା କରୋନା ଭାଇରସ। ସେଠାରେ ଜଣେ ପ୍ରସୂତି ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ତରଫରୁ ଟୁଇଟ୍ କରି ସୂଚନା ମଧ୍ୟ ଦିଆଯାଇଛି।

ଶୁକ୍ରବାର ଭୁବନେଶ୍ୱରରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ବିଏମସି ଟୁଇଟ୍ କରିଛି। ସେଥିମଧ୍ୟରୁ ଜଣେ ଜଣେ ସାଲିଆ ସାହିରୁ ଚିହ୍ନଟ ହୋଇଛନ୍ତି ବୋଲି ବିଏମସି ସୂଚନା ଦେଇଛି।

ମିଳିଥିବା ସୂଚନା ମୁତାବକ ଏହି ମହିଳା ଜଣକ ଗର୍ଭବତୀ ହୋଇଥିବାରୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାମୀ ଗୁଜରାଟରୁ ଫେରିଥିବା କାରଣରୁ ହସ୍ପିଟାଲ କର୍ତ୍ତୁପକ୍ଷ ମହିଳାଙ୍କୁ ଆଇସୋଲେସନ ୱାର୍ଡରେ ରଖିଥିଲେ। ଏହାପରେ ତାଙ୍କୁ ନମୁନା ପରୀକ୍ଷା କରାଯିବାରୁ ସେ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିଛନ୍ତି।

ଅନ୍ୟପଟେ ତାଙ୍କର ନବଜାତ ଶିଶୁଟିର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା। ହେଲେ ଏହି ପରୀକ୍ଷାରେ ରିପୋର୍ଟ ନେଗେଟିଭ୍ ଆସିଛି। ଏହାପରେ ଉଭୟ ନବଜାତ ଶିଶୁ ଓ ମାକୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ହେଲେ ଏହି ମହିଳାଜଣକ ଆଉ କାହା କାହା ସଂସ୍ପର୍ଶରେ ଆସିଛନ୍ତି। ତାହା ଖୋଜିବା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯେହେତୁ ଏହି ମହିଳାଜଣକ ସାଲିଆ ସାହି ଅଞ୍ଚଳରେ ବସବାସ କରୁଥିଲେ। ତେଣୁ ଏଠାରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହୁଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ସେଠାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି।

 

Comment