ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କଟକଣା ଭିତରେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏବେ ଅଣସର ଘରେ ବିରାଜମାନ କରିଛନ୍ତି ମହାପ୍ରଭୁ।

ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ଶେଷ ହୋଇଛି ଦେବସ୍ନାନ ପୂର୍ଣ୍ଣିମା। ତିନି ଠାକୁରଙ୍କ ମହାସ୍ନାନ ଓ ବେଶ ପରେ ଅଣସର ଘରେ ପ୍ରବେଶ କରିଛନ୍ତି ଶ୍ରୀଜୀଉ। ୧୫ ଦିନ ପର୍ଯ୍ୟନ୍ତ ଶ୍ରୀଜୀଉ ଅଣସର ଘରେ ରହିବେ। ଗୁପ୍ତ ସେବା ଚାଲିବ। ନେତ୍ରୋତ୍ସବ ଦିନ ମହାପ୍ରଭୁ ସୁସ୍ଥ ହୋଇ ଶ୍ରୀଗୁଣ୍ଡିଚା ଦିନ ରଥଯାତ୍ରାରେ ବାହାରିବେ।

ଗତକାଲି ରାତି ୧ଟା୪୦ରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ତିନି ଦିଅଁ ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ଆସିଥିଲେ। ସୂର୍ଯ୍ୟ ଉଦୟ ପୂର୍ବରୁ ପହଣ୍ଡି ନୀତି ଶେଷ ହୋଇଥିଲା। ଏହାପରେ ରୀତିନୀତି ସମ୍ପନ୍ନ ହେବା ପରେ ଗରାବଡ଼ୁ ସେବାୟତମାନେ ସୁନାକୂଳଅରୁ ଜଳ ଆଣି ମହାପ୍ରଭୁଙ୍କୁ ଲାଗି କରିଥିଲେ। ୧୦୮ ଗରା ପାଣିରେ ତିନି ଠାକୁର ସ୍ନାନ କରିଥିଲେ। ଏହାପରେ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେଇଥିଲେ।

ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ପ୍ରତିବର୍ଷ ପୁରୀ ଲୋକାରଣ୍ୟ ହୋଇଯାଏ। ହେଲେ ଚଳିତ ବର୍ଷ ବଡ଼ଦାଣ୍ଡ ଭକ୍ତ ଶୂନ୍ୟ ହୋଇଯାଇଥିଲା। କରୋନା କଟକଣା ପାଇଁ ଏଥର ବିନା ଭକ୍ତରେ ସ୍ନାନଯାତ୍ରା ନୀତି ସମ୍ପନ୍ନ ହୋଇଛି। ଭକ୍ତମାନେ ଘରେ ବସି ଟିଭି ଓ ଡିଜିଟାଲ ମିଡିଆ ମାଧ୍ୟମରେ ସ୍ନାନଯାତ୍ରା ଦେଖିଛନ୍ତି।

ଆଜି ଛେରାପହଁରା ନୀତିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜା ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ଛେରାପହଁରା କରିଥାନ୍ତି। ହେଲେ ଆଜି କିନ୍ତୁ ଛେରାପହଁରା କରିବାକୁ ଗଜପତି ମହାରାଜା ଆସି ନଥିଲେ। କୋଭିଡି ନିୟମ ମାନି ସେ ଶ୍ରୀନଅରରେ ରହିଥିଲେ। ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରଥ ଛେରାପହଁରା କରିଥିଲେ।

ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ମାର୍କେଟ ଛକରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପେଟ ୧୪୪ ଧାରା ଲାଗୁ କରାଯାଇଥିଲା। ୧୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମାର୍କେଟ ଛକରୁ ବ୍ୟାରିକେଡ୍‌ ପକାଇ ପୋଲିସ ଜଗି ରହିଥିଲା।

ପୋଲିସର କଟକଣା କିନ୍ତୁ ଭକ୍ତମାନଙ୍କୁ ଘରେ ବାନ୍ଧି ରଖିପାରି ନଥିଲା। ଭାବବିହ୍ୱଳ ହୋଇ କିଛି ଭକ୍ତ ବଡ଼ଦାଣ୍ଡକୁ ଚାଲି ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିପାରି ନଥିଲେ ମଧ୍ୟ ବ୍ୟାରିକେଡ୍‌ ପାଖରେ ହାତଟେକି ଲୁହ ଢାଳିଥିଲେ।

Comment