ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶନିବାର ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଏହି ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ଜଣେ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛନ୍ତି।ଗଜପତି ନଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା ଏହି ସ୍ଥାନୀୟ ଆକ୍ରାନ୍ତ ଜଣକ ଅନ୍ୟ ରାଜ୍ୟକୁ ଯାଇନଥିଲେ। ହେଲେ ତାଙ୍କ ପାଖରେ କରୋନା ପଜିଟିଭ୍ ଜଣାପଡ଼ିଛି।  ସେହିଭଳି ଡୁମଡୁମା, ଓଲଡ୍ ଟାଉନ୍, ଘାଟିକିଆ ଓ ପୋଖରୀପୁଟ ଅଞ୍ଚଳର ଜଣେ  ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହି ଚାରି ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ବୋଲି ବିଏମସି ସୂଚନା ଦେଇଛି।

ଭୁବନେଶ୍ୱରରେ ମୋଟ ୮୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୫୧ ଜଣ ସୁସ୍ଥ ହୋଇଥିବାବେଳଏ ୩ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜଧାନୀ ଭୁବନେଶ୍ୱରରୁ ୩୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ବୋଲି ସୂଚନା ରହିଛି।

Comment