ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଦିଲ୍ଲୀର ସମସ୍ତ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ହୋଇପାରିବ।

  • କରୋନା ରୋଗୀଙ୍କ ଚିକିତ୍ସାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍
  • ଏଣିକି ଘରୋଇ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା
  • ରୋଗୀଙ୍କୁ ସହାୟତା ପାଇଁ ହସ୍ପିଟାଲରେ ରହିବେ ସ୍ୱେଚ୍ଛାସେବୀ

କରୋନା ସଙ୍କଟ ମଧ୍ୟରେ ସମୟ କାଟୁଥିବା ଦିଲ୍ଲୀ ସରକାର ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଦିଲ୍ଲୀରେ ସବୁ ଘରୋଇ ହସ୍ପିଟାଲଗୁଡ଼ିକ କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ବାଧ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

କରୋନା ଚିକିତ୍ସାକୁ ନେଇ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏଥିରେ ସେ କହିଛନ୍ତି ଯେ, ଦିଲ୍ଲୀରେ କେତେକ ଘରୋଇ ହସ୍ପିଟାଲ କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ବେଡଗୁଡ଼ିକର କଳାବଜାରୀ କରୁଥିବା ଦେଖିବାକୁ ମିଳୁଛି। ଗୋଟିଏ ଗୋଟିଏ ବେଡ୍ ପିଛା ହସ୍ପିଟାଲଗୁଡ଼ିକ ୮ ଲକ୍ଷ ଟଙ୍କା ଦାବି କରୁଥିବା ଖବର ମଧ୍ୟ ସାମନାକୁ ଆସୁଛି। ତେଣୁ ଏହାକୁ ରୋକିବାକୁ ଦିଲ୍ଲୀ ସରକାର ଚେଷ୍ଟା କରୁଛନ୍ତି ବୋଲି କେଜରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏଥିସହ କେଜରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ୩୩ଟି ହସ୍ପିଟାଲ ସହିତ କଥାବାର୍ତ୍ତା ଶେଷ ହୋଇଛି। ବାକି ସମସ୍ତ ହସ୍ପିଟାଲ ସହିତ ଶନିବାର ସୁଦ୍ଧା କଥାବାର୍ତ୍ତା ଶେଷ ହୋଇଯିବ। ଏହାପରେ ଆଉ ହସ୍ପିଟାଲମାନେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ପାଇଁ କଳାବଜାରୀ କରିପାରିବେ ନାହିଁ। ହସ୍ପିଟାଲରେ କେତେ ବେଡ୍ ଅଛି ଏନେଇ ପୂରା ରିପୋର୍ଟ ସେମାନେ ଦିଲ୍ଲୀ ସରକାରଙ୍କୁ ଦେବାକୁ ବାଧ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଅନ୍ୟପଟେ କେତେକ ହସ୍ପିଟାଲ ରାଜନୈତିକ ଲୋକଙ୍କ ସହ ମିଶି ହସ୍ପିଟାଲ ବେଡର କଳାବଜାରୀ କରୁଛନ୍ତି। ଏମାନେ ସରକାରଙ୍କୁ ନିଜର ତଥ୍ୟ ଦେବାକୁ ମଧ୍ୟ ମନା କରୁଥିବା କେଜରିୱାଲ କହିଛନ୍ତି। ଏମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଥିସହ ଖୁବଶୀଘ୍ର ଦିଲ୍ଲୀର ପ୍ରତି ହସ୍ପିଟାଲରେ ଜଣେ ଜଣେ ସ୍ୱେଚ୍ଛାସେବୀ ନିଯୁକ୍ତ ହେବେ। ଯେଉଁମାନେ ରୋଗମାନଙ୍କୁ ସହାୟତା କରିବେ। ଯଦି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବ ତେବେ ଏନେଇ ସ୍ୱେଚ୍ଛାସେବୀମାନେ ସରକାରଙ୍କୁ ଅବଗତ କରିବେ ବୋଲି ଅରବିନ୍ଦ ସାମ୍ବାଦିକ ସମ୍ମିଳନୀରେ୍ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ସମୟରେ ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ବର୍ତ୍ତମାନ ୪୨ଟି ଲ୍ୟାବ କରୋନା ନମୁନା ପରୀକ୍ଷା କରୁଛି। ଦିଲ୍ଲୀ ସରକାର ୧୭ଟି କୋଭିଡ୍ ସେଣ୍ଟର ମଧ୍ୟ ଖୋଲିଛନ୍ତି। ତେଣୁ କରୋନାକୁ ରୋକିବାକୁ ଦିଲ୍ଲୀ ସରକାର ଚେଷ୍ଟା ଜାରି ରଖିଛନ୍ତି ବୋଲି କେଜରିୱାଲ୍ କହିଛନ୍ତି।

Comment