ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦ ହଜାର ହେକ୍ଟର ଜମିରେ ବୃକ୍ଷ ରୋପଣ ଲକ୍ଷ୍ୟ
  • ପ୍ରତି ପଞ୍ଚାୟତରେ ଚାଷୀଙ୍କୁ ନେଇ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌
  • ଚାଷୀଙ୍କ କଥା ବୁଝିବା ପାଇଁ ଜିଲ୍ଲା ସ୍ତରରେ ନୋଡାଲ ଅଫିସର

କରୋନା ସଙ୍କଟ ବେଳେ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ଏଣିକି ପ୍ରତି ସୋମବାର ଦିନ ପଞ୍ଚାୟତ ଅଫିସମାନଙ୍କରେ ଭିଏଲଡବ୍ଲ୍ୟୁ କିମ୍ବା ଅନ୍ୟ କୃଷି ଅଧିକାରୀମାନେ ଉପସ୍ଥିତ ରହିବେ। ଚାଷୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇପାରିବେ।

ବ୍ଲକରେ ମାସର ପ୍ରଥମ ଓ ତୃତୀୟ ଶନିବାର କୃଷି ସମ୍ବନ୍ଧରେ ଆଲୋଚନା ହେଉଛି। ବ୍ଲକ ଅଞ୍ଚଳରେ ଚାଷ କ୍ଷେତ୍ରରେ କ’ଣ ସବୁ ଅସୁବିଧା ହେଉଛି ସେ ବିଷୟରେ ଆଲୋଚନା କରାଯାଉଛି।

ସେହିପରି ଚାଷୀମାନଙ୍କ କଥା ବୁଝିବା ପାଇଁ ଜିଲ୍ଲା ସ୍ତରରେ ନୋଡାଲ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି। ଆମ କୃଷି କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୧୦୨୫୧୬୬ ନମ୍ବରରେ ଫୋନ କରିପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।

ସେ ଆହୁରି କହିଥିଲେ ଯେ, ୨୦ ହଜାର ହେକ୍ଟର ଜମିରେ ସରକାର ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରତି ପଞ୍ଚାୟତରେ ୧୦୦ ଚାଷୀଙ୍କୁ ନେଇ ହ୍ୱାଟସ୍‌ଆପ୍‌ ଗ୍ରୁପ ଗଠନ କରାଯାଇଛି। ଏହି ଗ୍ରୁପରେ ଚାଷୀମାନଙ୍କୁ କୃଷି କାର୍ଯ୍ୟ ସମ୍ବନ୍ଧୀୟ ପରାମର୍ଶ ମିଳିପାରୁଛି। ବର୍ତ୍ତମାନସୁଦ୍ଧା ୨ ଲକ୍ଷ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। ଆଉ ୩ ଲକ୍ଷ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି।

ମାଣ୍ଡିଆ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥର ୭୮ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି। ୬୨ ହଜାର ଚାଷୀ ୪୩ ହଜାର ହେକ୍ଟରରେ ମାଣ୍ଡିଆ ଚାଷ କରିଛନ୍ତି।

Comment