ଓଡ଼ିଶାଲାଇଭ୍‌ ବ୍ୟୁରୋ

ତରଳ ଝାଡ଼ାର ନିରାକରଣ ପାଇଁ ଓଆରଏସ୍ ଦ୍ରବଣ ମିଶା ପାଣି ପିଅନ୍ତୁ। ଏହା ଶରୀରର ଜଳୀୟ ଅଂଶକୁ ସଠିକ ରଖିଥାଏ। ଫଳରେ ରୋଗୀ ସତେଜ ରହିଥାଏ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜର ଏହି ଅଧ୍ୟାୟରେ ପତଳା ଝାଡ଼ାର ନିରାକରଣ ଉପରେ ସଚେତନ କରାଯାଇଛି।

ନବେ ଦଶକରେ ଶିଶୁ ମୃତ୍ୟୁର ଏକ ବଡ଼ କାରଣ ପାଲଟିଥିଲା ତରଳ ଛାଡ଼ା। ଶିଶୁକୁ ତରଳ ଝାଡ଼ା ହେଲେ ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଶିଶୁ ଦୁର୍ବଳ ହୋଇପଡ଼େ ଏବଂ ଏଥିରେ ତା’ର ଜୀବନ ଯିବାର ମଧ୍ୟ ଆଶଙ୍କା ଥାଏ। ଶିଶୁର ଶରୀରରେ ପାଣିର ମାତ୍ରା ଫେରାଇଆଣିବା ପାଇଁ ତାକୁ ଓଆରଏସ୍ ଦ୍ରବଣ ମିଶା ପାଣି ପିଇବାକୁ ଦିଅନ୍ତୁ।

ଫୁଟା ପାଣିରେ ଓଆରଏସ୍ ଦ୍ରବଣ ମିଶାଇ ଏକ ପାନୀୟ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତି ଅଧଘଣ୍ଟାରେ ଶିଶୁକୁ  ଏହା ପିଆଇବାକୁ ଦିଅନ୍ତୁ। ଫଳରେ ପିଲାର ଶରୀରରେ ଜଳୀୟ ଅଂଶ ଫେରି ଆସେ ଏବଂ ସେ ସତେଜ ହୋଇଯାଏ। ଏହାର ରୋଗର ଚିକିତ୍ସା ନୁହେଁ, ହେଲେ ଏହା ଦ୍ୱାରା ଶିଶୁର ମୃତ୍ୟୁ ହେବାର ଆଶଙ୍କା ଯଥେଷ୍ଟ କମିଯାଏ। ତେଣୁ  ତରଳ ଝାଡ଼ାର ନିରାକରଣ ପାଇଁ ପିଅନ୍ତୁ ଓଆରଏସ୍ ଦ୍ରବଣ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜର ଏହି ଅଧ୍ୟାୟରେ ପତଳା ଝାଡ଼ାର ନିରାକରଣ ଉପରେ ସମାଜକୁ ସଚେତନ କରାଯାଇଛି।

ମୀନା କେମିତି ଓ କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆନିମେସନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଭିଡିଓ ଏବଂ ଅଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

ଗାଁ ଗହଳୀରେ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ରେଡିଓ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଟିଭିରେ ଭିଡିଓ କାର୍ଯ୍ୟକ୍ରମ ସହିତ ରେଡିଓରେ ଅଡିଓ ସିରିଜ ଜରିଆରେ ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment