ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ବିନା ଭକ୍ତରେ ହୋଇପାରେ ରଥଯାତ୍ରା ଆୟୋଜନ।

କରୋନା ସଙ୍କଟ ଭିତରେ ଏଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାକୁନେଇ ଏବେ ରାସ୍ତା ସଫା ହେବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଆଜି ମହାନାୟକ, ପୂଜାପଣ୍ଡା ଏବଂ ପୁଷ୍ପାଳକ ସେବାୟତଙ୍କ ସହ ଆଲୋଚନା କରିବା ପରେ ରଥଯାତ୍ରା ହେବ ବୋଲି ସମ୍ଭାବନା ଦେଖାଦେଇଛି। ଆଗାମୀ ଦିନରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଛତିଶା ନିଯୋଗ ସହିତ ଆଲୋଚନା କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ ସ୍ଥିର କରିବ ବୋଲି କୁହାଯାଉଛି।

ଆଜିର ବୈଠକରେ ରଥଯାତ୍ରା ଆୟୋଜନ ଉପରେ ଆଲୋଚନା ହୋଇଥିଲା। ପହଣ୍ଡି ନୀତି, ରଥ ଟଣା କେମିତି ଶୃଙ୍ଖଳାର ସହ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। କମ୍‌ ସେବାୟତଙ୍କୁ ନେଇ ରଥଯାତ୍ରା ଆୟୋଜନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ସ୍ନାନଯାତ୍ରା ଭଳି ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଆୟୋଜନ କରିବାକୁ ଆଲୋଚନା ହୋଇଛି। ସେବାୟତମାନେ ରଥ ଟାଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଏନେଇ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯାଇନାହିଁ।

ଭୋର୍ ସାଢ଼େ ୪ଟାରୁ ୫ଟା ଭିତରେ ପହଣ୍ଡି ବିଜେ ନୀତି ଆରମ୍ଭ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଦିନ ୧୧ଟାରେ ରଥ ଟଣା ହେବ ବୋଲି ପ୍ରସ୍ତାବ ଆସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ସହିତ ଆଲୋଚନା କରିବା ପରେ ହିଁ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ସୂଚନା ଦେବ।

ରଥଯାତ୍ରାକୁ ଆଉ ୧୧ ଦିନ। ରଥଖଳାରେ ରଥ ନିର୍ମାଣ କାମ ଜୋରସୋର୍‌ରେ ଆଗେଇ ଚାଲିଛି। ହେଲେ ରଥଯାତ୍ରା ହେବ କି ନାହିଁ ସେନେଇ ରାଜ୍ୟ ସରକାର ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଫଳରେ ରଥଯାତ୍ରା ଆୟୋଜନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ହେଲେ ଆଜିର ବୈଠକ ପରେ ରଥଯାତ୍ରା ହେବ ବୋଲି ବାଟ ଫିଟିଛି।

Comment