ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ସଂଖ୍ୟା ସହ ତାଳ ଦେଇ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ସମୟରେ ଦିଲ୍ଲୀରେ ଶବ ସତ୍କାର କରିବାକୁ ଶ୍ମଶାନରେ ଜାଗା ମିଳୁନଥିବା ଦେଖିବାକୁ ମିଳିଛି।

ଦିଲ୍ଲୀର ନିଗମବୋଧ ଘାଟରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ଶବ ସତ୍କାର କରାଯାଉଛି। ସେଠାରେ ଶବ ସତ୍କାର କରିବା ପାଇଁ ୪୫ଟି ସ୍ଥାନ ରହିଛି। ହେଲେ ମୃତ୍ୟୁସଂଖ୍ୟା ଏତେ ବଢ଼ିଯାଇଛି ଯେ ଶବ ସତ୍କାର କରିବା ପାଇଁ ସେଠାରେ ଜାଗା ମିଳୁନି।ନିଗମବୋଧ ଘାଟରେ ଶବ ସତ୍କାର କରୁଥିବା ଆଚାର୍ଯ୍ୟ କହିଛନ୍ତି, “ଶବମାନଙ୍କର ସତ୍କାର କରି କରି ମୁଁ ଏବେ ଥକିପଡ଼ିଲିଣି। ପୂର୍ବରୁ ଯେତିକି ଶବ ସତ୍କାର ପାଇଁ ଆସୁଥିଲା ସେ ସଂଖ୍ୟା ଏବେ ଢେର ବଢ଼ିଗଲାଣି। ଏବେ ତ ଶବମାନଙ୍କୁ ସତ୍କାର କରିବା ପାଇଁ ଜାଗା ମଧ୍ୟ ମିଳୁନି।”

ଅନ୍ୟପଟେ ଦିଲ୍ଲୀରେ ଏବେ ପ୍ରତିଦିନ ଅନେକ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଏଭଳି ସମୟରେ ସରକାରଙ୍କ ତରଫରୁ ଶଶ୍ମାନ ବ୍ୟତୀତ ନଦୀ ପଠାରେ ମଧ୍ୟ ସତ୍କାର କରିବାକୁ ବ୍ୟବସ୍ଥା କରାଯାଇଛି। ସେହିଭଳି ଯେତିକି ବି ଶ୍ମଶାନ ଅଛି ତାର କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଉଛି।

ଦିଲ୍ଲୀରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ପାର୍ କରିଛି। ସେହିଭଳି ସେଠାରେ ମୃତ୍ୟୁସଂଖ୍ୟା ମଧ୍ୟ ୧୨ ଶହ ଟପିଛି। ଗତ ୧୫ ଦିନ ଧରି ସେଠାରେ ପ୍ରତିଦିନ ୪୦ରୁ ୫୦ ଜଣ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ତେଣୁ ସେମାନଙ୍କର ଶବ ସତ୍କାର କରିବାକୁ ଶ୍ମଶାନରେ ଜାଗା ମିଳୁନଥିବା ଦେଖିବାକୁ ମିଳୁଛି।

Comment