ଓଡ଼ିଶାଲାଇଭ୍ ବ୍ୟୁରୋ

akshardham

ଦିଲ୍ଲୀର ପାଣ୍ଡବନଗରରେ ଅବସ୍ଥିତ ସ୍ୱାମୀ ନାରାୟଣଙ୍କ ମନ୍ଦିର ଅକ୍ଷରଧାମ। ପ୍ରାୟ ଶହେ ଏକର ଜମିରେ ତିଆରି ଏହି ମନ୍ଦିର ହେଉଛି ଦୁନିଆର ତୃତୀୟ ବୃହତ୍ତମ ମନ୍ଦିର। କେବଳ ବଡ଼ ଆକାର ପାଇଁ ନୁହେଁ, ପ୍ରାୟ ଦଶ ହଜାର ବର୍ଷ ପୁରୁଣା ଭାରତୀୟ କଳା ସଂସ୍କୃତିକୁ ଧରି ରଖିଥିବାରୁ ବେଶ୍ ଲୋକପ୍ରିୟ ଏହି ମନ୍ଦିର। ଏହା ବ୍ୟତୀତ ଦୁନିଆର ସବିଠାରୁ ବିଶାଳ ହିନ୍ଦୁ ମନ୍ଦିର ଭାବେ ଏହା ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ତେବେ ଏସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ଆଉ କିଛି ରୋଚକ ତଥ୍ୟ-

-କେବଳ ଭାରତୀୟ କଳା ସଂସ୍କୃତି ନୁହେଁ, ଭାରତୀୟ ଶିଳ୍ପକଳାର ସୁନ୍ଦରତାକୁ ମଧ୍ୟ ଧାରଣ କରିଛି ଏହି ମନ୍ଦିର। ଗୋଲାପି ବାଲୁକା ପଥର ଏବଂ ସଫା ମାର୍ବଲରେ ତିଆରି ହୋଇଛି ଏହି ମନ୍ଦିର। ଏହି ମନ୍ଦିର ତିଆରି ବେଳେ ଷ୍ଟିଲ୍, ଇସ୍ପାତ୍ ବା କଂକ୍ରିଟର ବ୍ୟବହାର ହୋଇନାହିଁ।

akshardham Pillars_carving

-ଜ୍ୟୋତିର୍ଧର ଭଗବାନ ସ୍ୱାମୀ ନାରାୟଣଙ୍କ ସ୍ମୃତିରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ନିର୍ମାଣ କାର୍ଯ୍ୟରେ ପ୍ରାୟ ୧୧ ହଜାର କାରିଗର ଏବଂ ହଜାର ହଜାର ବିଏପିଏସ୍ ସେବକ ଲାଗିଥିଲେ। ୨୦୦୫ ମସିହା ନଭେମ୍ବର ୬ ତାରିଖରେ ଏହି ମନ୍ଦିର ଉଦ୍ଘାଟନ ହୋଇଥିଲା।

-ଏହି ମନ୍ଦିରରେ ପ୍ରାୟ ୨୦ ହଜାର ପଥର ମୂର୍ତ୍ତୀ ରହିଛି। ଏହା ବ୍ୟତୀତ ୨୩୪ଟି ଖୋଦିତ ସ୍ତମ୍ଭ ଏବଂ ୯ଟି ଗମ୍ବୁଜ ରହିଛି।

-ଏଠାରେ ଥିବା ମେମୋରିଆଲ ପ୍ରାୟ ୩୫୦ ଫୁଟ୍ ଲମ୍ବା, ୩୧୫ ଫୁଟ୍ ଚଉଡ଼ା ଏବଂ ୧୪୧ ଫୁଟ୍ ଉଚ୍ଚା । ଏହା ଖୁବ୍ ଆକର୍ଷଣୀୟ ମଧ୍ୟ। ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ଏହି ମନ୍ଦିର ପରିଦର୍ଶନ ପାଇଁ ଆସିଥାନ୍ତି।

akshardham

-ମନ୍ଦିର ତିଆରି ହୋଇଥିବା ଡିଜାଇନ ଅନୁସାରେ ଏହା ପ୍ରାୟ ୧୦୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ବୋଲି ଅନୁମାନ ଲଗାଯାଏ।

-ଏହି ମନ୍ଦିରରେ ରହିଛି ଦଶଟି ଦ୍ୱାର ଯାହା ଦଳଟି ପ୍ରମୁଖ ଦିଗର ପ୍ରତୀକ ରୂପେ କାର୍ଯ୍ୟ କରେ। ଏହି ମନ୍ଦିର ମଧ୍ୟରେ ପ୍ରବେଶ ପାଇଁ ରହିଛି ସ୍ୱତନ୍ତ୍ର ଡ୍ରେସ୍ କୋଡ୍। ଏହି ଡ୍ରେସ୍ କୋଡ ଅନୁସାରେ ଆପଣଙ୍କ କାନ୍ଧ ଏବଂ ଆଣ୍ଠୁ ଢଙ୍କାଥିବା ଦରକାର। ଯଦି ଆପଣ ପିନ୍ଧିଥିବା ପୋଷାକ ସେପରି ନୁହେଁ ତାହେଲେ ଆପଣ ୧୦୦ ଟଙ୍କାରେ ଏହି ଡ୍ରେସ୍ ନେଇ ପିନ୍ଧିପାରିବେ ଏବଂ ପରେ ଏହାକୁ ଫେରାଇ ପଇସା ନେଇପାରିବେ।

akshardham musical fountain

-ମନ୍ଦିର ଭିତରକୁ କୌଣସି ପ୍ରକାର ଇଲେକଟ୍ରିକ୍ ବସ୍ତୁ, ଖାଦ୍ୟପେୟ ବା ନିଶାଯୁକ୍ତ ଦ୍ରବ୍ୟ ନେବା ନିସେଦ୍ଧ।

-ଏହି ମନ୍ଦିରରେ ନୀଳକଣ୍ଠ ନାମରେ ଏକ ଥିଏଟର ମଧ୍ୟ ରହିଛି ଯେଉଁଠାରେ ସ୍ୱାମୀ ନାରାୟଣଙ୍କ ଜୀବନର ଘଟଣାବଳୀ ଦେଖାଯାଏ। ଏହା ସହ ଏଠାରେ ଥିବା ମ୍ୟୁଜିକାଲ ଫାଉଣ୍ଟେନ୍ ମଧ୍ୟ ବେଶ୍ ପ୍ରସିଦ୍ଧ। ପ୍ରତିଦିନ ସଂଧ୍ୟାରେ ଏଠାରେ ୧୫ ମିନିଟର ସୋ’ ଚାଲେ। ଏହି ସୋ’ ଦେଖିବାକୁ ଟିକେଟ୍ କାଟିବାକୁ ପଡ଼ିଥାଏ।

Comment