ରାତି ପାହିଲେ ରଜ। ବରଷକେ ଥରେ ଆସିଛି ଏହି ଗଣପର୍ବ। ଏହି ପର୍ବକୁ ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ଓଡ଼ିଆ ପର୍ବପର୍ବାଣୀରେ ରଜର ସ୍ୱାତନ୍ତ୍ର୍ୟତା ରହିଛି। ରଜ ତିନି ଦିନ ପିଠାପଣା, ଦୋଳି ଖେଳରେ ଦୁଲୁକିଥାଏ ପୁରପଲ୍ଲୀ। ହେଲେ ଏଥର କରୋନା ମହାମାରୀ ସବୁ ବିଗାଡ଼ି ଦେଇଛି।

୧୪ରେ ପହଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ଦିନ ମହାଲକ୍ଷ୍ମୀ ସ୍ନାନ (ବସୁମାତା ସ୍ନାନ)। ପହିଲର ରଜ ପୂର୍ବ ଦିନ ସଜବାଜ।। ମୁହଁରେ ଚନ୍ଦନଟିପା, ପାଦରେ ଅଳତା, ନଖରେ ନେଲପଲିସି, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇଥାନ୍ତି କୁଆଁରୀ କନ୍ୟା। ଏବର୍ଷ କିନ୍ତୁ କରୋନା ପ୍ରତିବନ୍ଧକ ସାଜିଛି। ଏଥର ଝିଅମାନେ ଏକାଠି ବସି ସଜବାଜ ହୋଇପାରିବେ ନାହିଁ। ଏକାଠି ଦୋଳି ଖେଳିପାରିବେ ନାହିଁ। ଆମ୍ବ ତୋଟାରେ ଦୋଳି ଲାଗିବ ନାହିଁ କି ଗାଁ ପଡ଼ିଆରେ କବାଡ଼ି ଖେଳ ହେବ ନାହିଁ। ନିଜ ନିଜ ଘରେ ରଜ ପର୍ବ ପାଳିବେ ସମସ୍ତେ।

ଅନ୍ୟପକ୍ଷରେ ପହିଲି ରଜ ଆମିଷ ବାର ରବିବାରରେ ପଡ଼ୁଥିଲେ କାହାଁ ମୁହଁରେ ଆମିଷ ବାଜିବ ନାହିଁ। କାରଣ ସେଦିନ ରାଜ୍ୟ ସରକାର ସଟଡାଉନ ଘୋଷଣା କରିଛନ୍ତି। ଫଳରେ ଆମିଷ ଦୋକାନ ସବୁ ବନ୍ଦ ରହିବ।

ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ପାଳିତ ହୁଏ ଏବର୍ଷ ତା’ ମଧ୍ୟ ବନ୍ଦ। ରଜପାନ ନ ଖାଇଲେ ରଜରେ ମଜା ଆସି ନଥାଏ। ଅନ୍ୟ ଦିନରେ ପାନ କିଏ ଖାଉ ବା ନଖାଉ ରଜରେ କିନ୍ତୁ ସମସ୍ତେ ପାନ ଖାଇଥାନ୍ତି। ଏଥିପାଇଁ ଦୋକନାମାନଙ୍କରେ ଖଚାଖଚ ଭିଡ଼ ହୋଇଥାଏ। ଏବର୍ଷ ତା’ମଧ୍ୟ ହେବ ନାହିଁ। ଘରେ ସମସ୍ତେ ପାନ ଭାଙ୍ଗି ଖାଇପାରିବେ।

ରଜ ବଜାରରେ ସିନେମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏହି ପର୍ବରେ ସିନେମା ହଲରେ ଟକ୍କର ହୋଇଥାଏ। କାହା ଫିଲ୍ମ କେତେ ଆୟ କରିବ ସମସ୍ତେ ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। କରୋନା ପାଇଁ ସିନେମା ହଲରେ ମଧ୍ୟ ତାଲା। ଫଳରେ ଏଥର ରଜ ମଉଜ ପୂରା ଫିକା।

 

Comment