ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲରେ ଭର୍ତ୍ତି। ମଙ୍ଗଳବାର ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯିବା ପରେ ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ଵାସକ୍ରିୟା ବାଧାପ୍ରାପ୍ତ ହେବା କରୋନା ସଂକ୍ରମଣର ଏକ ଲକ୍ଷଣ ହୋଇଥିବାରୁ ପ୍ରଥମେ ତାଙ୍କର କରୋନା ଟେଷ୍ଟ କରାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ରିପୋର୍ଟ ଆସିନି। ରିପୋର୍ଟ ଆସିବା ପରେ ହିଁ ସେ କରୋନାରେ ସଂକ୍ରମିତ କି ନାହିଁ ତାହା ଜଣାପଡ଼ିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଏନେଇ ପ୍ରଥମେ ସତ୍ୟେନ୍ଦ୍ର ଜୈନ ହିଁ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ପ୍ରବଳ ଜ୍ୱର ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେତୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ପ୍ରତ୍ୟେକ ଅପଡେଟ୍ ସେ ଲୋକମାନଙ୍କୁ ଜଣାଇବେ ବୋଲି ଟୁଇଟରେ ଲେଖିଛନ୍ତି।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗତକିଛି ଦିନ ଧରି ଅନେକ ବୈଠକରେ ଯୋଗ ଦେଇଛନ୍ତି। ତେଣୁ ସେ କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଡାକ୍ତରଙ୍କ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି କୁହାଯାଇଛି।

ଏହାପୂର୍ବରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ସେ ମାତ୍ର ୨ ଦିନ ପାଇଁ ବିଶ୍ରାମ ନେଇ ପୁଣି ନିଜ କାର୍ଯ୍ୟକୁ ଫେରିଥିଲେ।

Comment