ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମାଜିକ ବାସନ୍ଦ ଏବଂ ଭେଦଭାବ ଦୂର କରିବା ଲାଗି ୟୁନିସେଫ୍‌ ୱେବିନାରରେ ବିଶେଷଜ୍ଞମାନେ ରଖିଲେ ମତ।

କୋଭିଡ୍‌ ସଙ୍କଟ ବେଳେ ସାମାଜିକ ବାସନ୍ଦ ଏବଂ ଭେଦଭାବର କଥା ଉଠୁଛି। ବିଭିନ୍ନ ସ୍ଥାନରେ କରୋନା ରୋଗୀ ଏବଂ କରୋନା ମୁକାବିଲା ପାଇଁ ଲଢୁଥିବା ଯୋଦ୍ଧାମାନେ ମଧ୍ୟ ସାମାଜିକ ବାସନ୍ଦ ଓ ଭେଦଭାବର ଶୀକାର ହେଉଛନ୍ତି। ଏହାକୁ କିପରି ରୋକାଯାଇ ପାରିବ ଏବଂ ଲୋକମାନଙ୍କ ମନରୁ ଏହି ଭ୍ରାନ୍ତ ଧାରଣା କିପରି ଦୂର କରାଯିବ ସେନେଇ ୟୁନିସେଫ୍‌ ପକ୍ଷରୁ ଏକ ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ମୋନିକା ନେଲସନ୍‌, ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି, କରୋନାରୁ ସୁସ୍ଥ ହୋଇଥିବା ଜଣେ ରୋଗୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ୍‌, ଓଡ଼ିଶାଲାଇଭ୍‌ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, ୟୁନିସେଫ୍‌, ଓଡ଼ିଶାର କମ୍ୟୁନିକେସନ ପର୍‌ ଡେଭଲପମେଣ୍ଟ ସ୍ପେଶାଲିଷ୍ଟ ଲୋପାମୁଦ୍ରା ତ୍ରିପାଠୀଙ୍କ ସମେତ ବହୁ ବିଶେଷଜ୍ଞ, ମିଡିଆ କର୍ମୀ ସାମିଲ ହୋଇଥିଲେ। ୟୁନିସେଫ୍‌ର କମ୍ୟୁନିକେସନ ବିଶେଷଜ୍ଞ ତଥା ପାର୍ଟନରସିପ୍‌ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ ଏହି ୱେବିନାର ପରିଚାଳନା କରିଥିଲେ।

ରୋଗୀ ସହ ଲଢ଼ିବା, ରୋଗ ସହ ନୁହେଁ

କରୋନା ରୋଗୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏବେ ଅଧିକାଂଶ ଲୋକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ବିଭିନ୍ନ ସ୍ଥାନରେ ଏମାନେ ସାମାଜିକ ବାସନ୍ଦ ଏବଂ ଭେଦଭାବର ଶୀକାର ହେଉଥିବା ଲୋକଲୋଚନକୁ ଆସୁଛି। ଯଦି ଆମେ ସାମାଜିକ ବାସନ୍ଦ ଏବଂ ଭେଦଭାବ ଭଳି ମନୋଭାବ ରଖିବା ତାହାଲେ ଏହା କରୋନା ଯୁଦ୍ଧରେ ପ୍ରତିବନ୍ଧକ ସୃଷ୍ଟି କରିବ। କରୋନା ମୁକାବିଲା ପାଇଁ ଯେଉଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି ତାହା ସଫଳ ହେବାରେ ବାଧା ଉପୁଜିବ ବୋଲି କହିଛନ୍ତି ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ ମୋନିକା ନେଲ୍‌ସନ୍‌।

‘‘କୋଭିଡ୍‌-୧୯ର ପ୍ରଭାବ ଏବଂ ସଂକ୍ରମଣ ରୋକିବା ପାଇଁ ଆମେ ରାଜ୍ୟ ସରକାରଙ୍କ ସହ ମିଶି ଅନେକ ପଦକ୍ଷେପ ନେଇଛୁ। କରୋନା ସମୟରେ ଏବଂ ପରେ କେମିତି ଲୋକମାନେ ସଚେତନ ରହିବେ ସେଦିଗରେ ଆମେ ପଦକ୍ଷେପ ନେଉଛୁ। ବିଶେଷକରି ମହିଳା ଏବଂ ଶିଶୁଙ୍କୁ କରୋନା ମହାମାରୀଠାରୁ ସୁରକ୍ଷିତ ରଖିବା ପାଇଁ ଆମେ କାମ କରୁଛୁ। ସେମାନଙ୍କୁ ସଚେତନ କରୁଛୁ’’, କହିଛନ୍ତି ୟୁନିସେଫ୍‌, ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌।

ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସଫେଇ କର୍ମଚାରୀ, ଏଏନଏମ୍‌, ସରପଞ୍ଚମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଛି। ଏମାନେ ଆଗଧାଡ଼ିରେ ରହି କରୋନା ସହ ଲଢ଼ୁଛନ୍ତି। ହେଲେ ଏମାନେ ମଧ୍ୟ ଭେଦଭାବର ଶୀକାର ହେଉଛନ୍ତି। ରାଜ୍ୟ ସରକାର ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ବାହାର ରାଜ୍ୟରୁ ଯେଉଁ ଲୋକମାନେ ନିଜ ଗାଁକୁ ଫେରୁଛନ୍ତି ସେମାନେ ବି ଭେଦଭାବର ଶୀକାର ହେଉଛନ୍ତି। ଏହାକୁ ରୋକିବା ପାଇଁ ଏବଂ ଲୋକଙ୍କୁ ସଚେତନ କରିବା ଲାଗି ସରକାର ଅଭିଯାନ ଆରମ୍ଭ କରିଛନ୍ତି।

ମୋନିକା ନେଲ୍‌ସନ୍‌ ଆହୁରି କହିଛନ୍ତି ଯେ, କୋଭିଡ୍‌-୧୯ ମହାମାରୀ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମଠାରୁ ଲୋକମାନଙ୍କୁ ଦୁରେଇ ରହିବାକୁ ପଡୁଛି। ଏସବୁ ଭିତରେ ବ୍ୟକ୍ତିଗତ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବାର ବେଳ ଆସିଛି। ବର୍ତ୍ତମାନ ଲୋକମାନଙ୍କ ଭିତରେ କରୋନାକୁ ନେଇ ଯେଉଁ ସାମାଜିକ ବାସନ୍ଦ ଏବଂ ଭେଦଭାବ ଭଳି ମାନସିକତା ଦେଖାଦେଉଛି ତାହା ଦୂର ହେବା ଦରକାର।

କୋଭିଡ୍‌ ସଙ୍କଟ ବେଳେ ଗଣମାଧ୍ୟମ ଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରୁ

କୋଭିଡ୍‌ ସଙ୍କଟ ବେଳେ ଗଣମାଧ୍ୟମ ସଂସ୍ଥା ଏବଂ ଏହାର ପ୍ରତିନିଧି ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ଦରକାର। ସଙ୍କଟମୟ ପରିସ୍ଥିତି ବେଳେ ସମସ୍ତେ ଗଣମାଧ୍ୟମ ଉପରେ ଭରସା ରଖିଥାନ୍ତି। ଏଣୁ ଗରମାଧ୍ୟମ ପ୍ରତିନିଧିମାନେ ଠିକ୍‌ ଭାବେ ଖବର ସଂଗ୍ରହ କରିବା ସହ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିବା ଦରକାର। ଗୋଟିଏ ଖବରର ହେଡ୍‌ନାଇନ୍ସରେ ସବୁକିଛି ରଖିବା ଦରକାର ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି କହିଛନ୍ତି।

ସୁବ୍ରଗତ ବାଗ୍‌ଚି କହିଛନ୍ତି, ‘‘କେଉଁ ବର୍ଗର ଲୋକ ସାମାଜିକ ବାସନ୍ଦ ଏବଂ ଭେଦଭାବର ଶୀକାର ହେଉଛନ୍ତି ତାହା ପ୍ରଥମେ ଜାଣିବା ଦରକାର। ଏହାପରେ ତାର ନିରାକରଣ କରିବା ଦରକାର। ବିଶେଷକରି ମହିଳା ଏବଂ ଶିଶୁ, କୌଣସି ଧର୍ମର ଲୋକ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଲୋକ ଭେଦଭାବର ଶୀକାର ହୋଇଥାନ୍ତି। ଏସବୁ ସମସ୍ୟା ଦୂର କରିବା ପାଇଁ ଯୋଗାଯୋଗର ମାଧ୍ୟମକୁ ସୁଦୃଢ଼ କରିବା ଦରକାର। ଲୋକମାନଙ୍କୁ ସଚେତନ କରିବା ଦରକାର।’’

ଏହି ୱେବିନାରରେ କରୋରୁ ସୁସ୍ଥ ହୋଇଥିବା ଜଣେ ରୋଗୀ ତାଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ‘‘ମୁଁ ଯେତେବେଳେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲି ମୋ ବିଷୟରେ ବିଭିନ୍ନ କଥା ଆଲୋଚନା ହେଉଥିଲା। ମତେ ଲୋକମାନେ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ। ସୋସିଆଲ ମିଡିଆରେ ମୋ’ ବିଷୟରେ କଟୂ ମନ୍ତବ୍ୟମାନ ପୋଷ୍ଟ ହେଉଥିଲା। ଏସବୁ ଦେଖି ମୋ’ ମନରେ ଦୁଃଖ ହେଉଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ଏସବୁଠାରୁ ଦୂରେଇ ରହିଥିଲି।’’

ସେ କହିଛନ୍ତି ଯେ, ବିପଦ ବେଳେ ଲୋକମାନେ ସହାନୁଭୂତି ଦେଖାଇବା କଥା। ହେଲେ ଜଣେ ରୋଗୀକୁ ଅପରାଦୀ ଭଳି ଚିତ୍ରଣ କରିବା ଠିକ୍‌ ନୁହେଁ। ମୋ’ ସହ ଯାହା ଘଟିଛି ତାହା ଆଉ କାହା ସହ ନଘଟୁ।

ୟୁନିସେଫର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ୍‌ କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କରୋନା ସ୍ଥିତି ଭଲ ଅଛି। ହେଲେ ଲୋକମାନେ ଏଥିପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ। ୟୁନିସେଫ୍‌ର କମ୍ୟୁନିକେସନ ସ୍ପେଶାଲିଷ୍ଟ ଲୋପାମୁଦ୍ରା ତ୍ରିପାଠୀ କହିଛନ୍ତି ଯେ, ସାମାଜିକ ବାସନ୍ଦ ଏବଂ ଭେଦଭାବ ଦୂର କରିବା ପାଇଁ ସମସ୍ତଙ୍କ ମନରେ ସକରାତ୍ମକ ଚିନ୍ତାଧାରା ରହିବା ଦରକାର। ସମସ୍ତଙ୍କ ପାଖରେ କରୋନା ମୁକାବିଲା କରିବାର ସାମର୍ଥ୍ୟ ରହିଛି ଏବଂ ସମସ୍ତେ କରୋନା ଯୋଦ୍ଧା ହୋଇପାରିବେ।

Comment