ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ସୋମବାର ରାତିରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ଭିତରେ ହୋଇଥିଲା ଛାତିଥରା ସଂଘର୍ଷ।

ଜମ୍ମୁ-କଶ୍ମୀରର ପୁଲୱାମା ପରେ ଏବେ ପୂର୍ବ ଲଦାଖର ଗଲୱାନ ଘାଟିକୁ ନେଇ ଚର୍ଚ୍ଚା ବଢ଼ିଛି। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ହେଲେ ଗଲୱାନରେ ୨୦ ଜଣ ଯବାନ ସହିଦ ହୋଇଛନ୍ତି। ସୋମବାର ରାତିରେ ଚୀନ ଓ ଭାରତ ସେନା ମୁହାଁମୁହିଁ ହେବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ସେନାର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ୨୦ ଜଣ ଯବାନ ସହିଦ ହେବା ପରେ ଏବେ ସବୁଠି ଚହଳ ପଡ଼ିଛି।

କ’ଣ ହୋଇଥିଲା ସୋମବାର ରାତିରେ?

ଗତ ଦୁଇ ମାସ ହେଲା ପୂର୍ବ ଲଦାଖର ଗଲୱାନ ଘାଟିରେ ଉତ୍ତେଜନା ଲାଗି ରହିଥିଲା। କେତେବେଳେ ଚୀନ ସେନା ଅନୁପ୍ରବେଶ କରୁଥିବା ଅଭିଯୋଗ ହେଉଥିଲା ତ ଆଉ କେତେବେଳେ ଚୀନ ହେଲିକପ୍ଟର ଭାରତ ସୀମାରେ ଚକ୍କର ମାରୁଥିବା କୁହାଯାଉଥିଲା। ଚୀନ ଭାରତ ସୀମାକୁ ଲଗାଇ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ ଭାରତ ଓ ଚୀନ ସେନା ଗଲୱାନ ଘାଟିରେ ବାରମ୍ବାର ମୁହାଁମୁହିଁ ହେଉଥିଲେ।

ଏହି ଉତ୍ତେଜନାକୁ ଏଡ଼ାଇବା ପାଇଁ ଗତ ୬ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକ ବସିଥିଲା। ଏହି ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ଚୀନ ଓ ଭାରତ ସେନା ମୁହାଁମୁହିଁରୁ କ୍ଷାନ୍ତ ରହିବାକୁ ପ୍ରସ୍ତାବ ଆସିଥିଲା। ଚୀନ ସେନା ପଛକୁ ହଟିଯିବା ପାଇଁ ଆଲୋଚନା ହୋଇଥିଲା।

ଏହି ଆଲୋଚନା ଅନୁଯାୟୀ ଗତ ଜୁନ୍‌ ୧୪ ତାରିଖରେ ଚୀନ ସେନା ପଛକୁ ହଟିଥିଲେ। ହେଲେ ଚୀନ ସେନା ଏହି ସମୟରେ ଭାରତୀୟ ସୀମାକୁ ପଥର ମାଡ଼ କରିଥିଲେ। ୧୫ ତାରିଖ ସନ୍ଧ୍ୟାରେ ଭାରତୀୟ ସେନା ଜଣେ କମାଣ୍ଡିଂ ଅଫିସର ଏବଂ ଦୁଇ ଜଣ ଯବାନ ପାଟ୍ରୋଲିଂରେ ଯାଇଥିବା ବେଳେ ଚୀନ ସେନା ପକ୍ଷରୁ ଅପରପଟୁ ଆକ୍ରମଣ କରାଯାଇଥିଲା। ଟେକା ପଥର ମାଡ଼ କରିଥିଲା। ଏହାର ପାଳଟା ଜବାବ ଦେଇଥିଲା ଭାରତୀୟ ସେନା। ଉଭୟ ସେନାଙ୍କ ଭିତରେ ଜୋରଦାର ସଂଘର୍ଷ ହୋଇଥିଲା। ଭାରତୀୟ ଏବଂ ଚୀନ ସେନା ପୂରା ହାତାହାତି ହୋଇଥିବା କୁହାଯାଉଛି। ରାତି ଅଧ ଯାଏଁ ଏହି ସଂଘର୍ଷ ଚାଲିଥିଲା। ଗଲୱାନ ଘାଟି ୪୫ ବର୍ଷ ପରେ ଯାବନଙ୍କ ରକ୍ତରେ ଭିଜିଥିଲା।

ଏହି ସଂଘର୍ଷରେ ଜଣେ କମାଣ୍ଡିଂ ଅଫିସର ଏବଂ ଦୁଇ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆଉ ଏକ ନୂଆ ଖବର ଆସିଲା। ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ଖବର ଆସିଥିଲ। ଏହାକୁ ନେଇ ସାରା ଭାରତରେ ଶୋକାକୂଳ ପରିବେଶ ଦେଖାଦେଇଛି।

କାହିଁକି ଗୁରୁତ୍ଵପୂର୍ଣ୍ଣ ଗଲୱାନ୍ ଘାଟି?

ଭାରତ-ଚୀନ ସୀମାରେଖାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଲ୍ଓସି ନିକଟବର୍ତ୍ତୀ ଗଲବାନ୍ ଘାଟିରେ ସୋମବାର ରାତିରେ ଉଭୟ ସେନା ପକ୍ଷରୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ଦୁଇଜଣ ଯବାନ ସହିଦ ହୋଇଛନ୍ତି।

ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ୧୯୬୨ ମସିହା ପରେ ପ୍ରଥମ ଥର ପାଇଁ ଏହି ଘାଟି ଚର୍ଚ୍ଚାକୁ ଆସିଛି। ଭାରତ ଓ ଚୀନ ମଧ୍ୟରେ ସ୍ପଷ୍ଟ ଭାବେ ସୀମା ନିୟନ୍ତ୍ରଣ ହୋଇଛି। ଏହାକୁ ଉଭୟ ଦେଶ ସ୍ଵୀକାର ମଧ୍ୟ କରିଛନ୍ତି। କିନ୍ତୁ ଉଭୟ ପକ୍ଷର ସେନା ମଧ୍ୟରେ ହୋଇଥିବା ବିବାଦ କାରଣରୁ ଏହି ଘାଟି ଏବେ ଚର୍ଚ୍ଚାରେ ରହିଛି।

ଗଲୱାନ ଘାଟି ଏବଂ ୧୯୬୨ ଯୁଦ୍ଧ

ପୂର୍ବ ଲଦାଖର ଗଲୱାନ ନଦୀ ସେହି କ୍ଷେତ୍ରଗୁଡ଼ିକ ଭିତରେ ସାମିଲ ଥିଲା ଯେଉଁଠି ଭାରତୀୟ ସେନା ଚୀନ ଉପରେ ପ୍ରଭୂତ୍ଵ ଜାହିର କରିବା ପାଇଁ ଶିବିର ସ୍ଥାପନ କରିଥିଲା। ଏଠାରେ ନିଯୁକ୍ତ ସୈନିକମାନେ ଦୃଢ଼ ଆତ୍ମବିଶ୍ଵାସ ଥିଲା ସତ, ମାତ୍ର ଚୀନ ସେନାକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଲୋକବଳ ଏବଂ ଅସ୍ତ୍ରବଳର ଅଭାବ ଥିଲା।

କିନ୍ତୁ ଭାରତୀୟ ସେନାକୁ ସବୁଦିଗରୁ ଚୀନ ଘେରି ରହିଥିଲା। ଗଲୱାନ କ୍ଷେତ୍ରରେ ୧୯୬୨ ମସିହା ଅକ୍ଟୋବର ୨୦ ତାରିଖରେ ଚୀନ ପକ୍ଷରୁ ଆକ୍ରମଣ କରାଗଲା। ପର୍ଯ୍ୟାପ୍ତ ଯୁଦ୍ଧ ସରଞ୍ଜାମ କିମ୍ବା ସୈନିକ ନଥାଇ ମଧ୍ୟ ଭାରତୀୟ ସେନା ୨୪ ଘଣ୍ଟା ଯାଏ ଲଢ଼େଇ ଜାରି ରଖିଥିଲା। କିନ୍ତୁ ଆବଶ୍ୟକୀୟ ସଂସାଧନ ଅଭାବରୁ ଗଲୱାନ ଘାଟିରେ ଥିବା ୬୮ ଜଣ ଭାରତୀୟ ସୈନିକଙ୍କ ମଧ୍ୟରୁ ୩୬ ଜଣ ସହିଦ ହୋଇଗଲେ। ଏମାନଙ୍କ ମଧ୍ୟରୁ କିଛି ସୈନିକ ଶ୍ୟୋକ ଓ ଗଲବାନ ନଦୀର ସଂଗମ ପଥ ଦେଇ ଭାରତୀୟ ଶିବିରକୁ ଫେରି ଆସିଲେ। ମେଜର ଏଚ୍. ଏସ୍. ହସବନିସଙ୍କୁ ଚୀନ ସେନା ଯୁଦ୍ଧବନ୍ଦୀ କରିନେଲା।

ଯୁଦ୍ଧ ପରଠାରୁ ଗଲୱାନ ଘାଟି ଏଯାଏ ସେମିତି ପଡ଼ି ରହିଥିଲା। ଏହା ମଧ୍ୟରେ ସେମିତି କିଛି ବଡ଼ ଧରଣର ଘଟଣା ଏଠାରେ ଘଟି ନଥିଲା।

ଗଲୱାନ ଘାଟିରେ ଚୀନର ସଡ଼କ ନିର୍ମାଣ

୨୦୧୬ ମସିହା ଭିତରେ ଚୀନ ଗଲୱାନ ଘାଟିର ମଧ୍ୟ ଭାଗ ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ କରି ସାରିଥିଲା। ଏହାଛଡ଼ା ଚୀନ ଏହି ଘାଟିରେ ଛୋଟ ଛୋଟ ଶିବିର ନିର୍ମାଣ କରିଛି। ଏହି ଶିବିରଗୁଡ଼ିକ ଚୀନର ସୈନିକମାନଙ୍କ ଗସ୍ତ ସମୟରେ ଫରଓ୍ଵାର୍ଡ ପୋଜିସନର କାମ କରିଥାଏ। ଗତକାଲି ଚୀନ ସୈନିକମାନେ ନିଜ ଶିବିରରୁ ଆଗକୁ ଚାଲିଆସି ଭାରତୀୟ ସେନା ସହିତ ମୁହାଁମୁହିଁ ହୋଇଥିଲେ।

ବର୍ତ୍ତମାନ ଉତ୍ତେଜନାର କାରଣ

ମଇ ମାସ ପ୍ରଥମ ସପ୍ତାହରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ପ୍ରଥମେ ଉତ୍ତେଜନା ପ୍ରକାଶ ପାଇଥିଲା। ଚୀନ ସେନା ପୂର୍ବ ବେସଠାରୁ ଆଗକୁ ଆସି ଏଲଓସି ଅତିକ୍ରମ କରିଥିଲା। ସେତେବେଳେ ଭାରତୀୟ ସୀମା ଅନ୍ତର୍ଭୁକ୍ତ ପିପି ୧୪ ଠାରେ ଉଭୟ ସେନା ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ବୁଝାମଣା ପରେ ଚୀନ ସେନା ନିଜ ଅଞ୍ଚଳକୁ ଚାଲିଯାଇଥିଲେ।

Comment