ଓଡ଼ିଶାଲାଇଭ୍ ବ୍ୟୁରୋ

sushant-1

କେବଳ ଅଭିନୟ କିମ୍ବା ଡ୍ୟାନ୍ସ ନୁହେଁ, ସୁଶାନ୍ତ ସିଂ ରାଜପୁତ ଶିକ୍ଷା, ଟେକ୍ନୋଲୋଜୀ ତଥା ମହାକାଶ ବିଜ୍ଞାନର ଥିଲେ ଜଣେ ବଡ଼ ପ୍ରଶଂସକ। ଗୋଟିଏ ଇଣ୍ଟରଭ୍ୟୁରେ ସୁଶାନ୍ତ କହିଥିଲେ ଯେ ସେ ସବୁବେଳେ ମହାକାଶଚାରୀ ବା ଆସ୍ଟ୍ରୋନଟ୍ ହେବାକୁ ଚାହୁଁଥିଲେ। କିନ୍ତୁ ପରେ ସେ ଅଭିନୟ ଦୁନିଆକୁ ବାଛିଥିଲେ ନିଜ କ୍ୟାରିୟର ହିସାବରେ।

ସୁଶାନ୍ତଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦୁଃଖିତ ଏବଂ ଆଶ୍ଚର୍ୟ୍ୟ କରିଛି। ଜଣେ ମହାନ ପ୍ରତିଭାକୁ ହରାଇ ସାରା ଦେଶ ଆଜି ସ୍ତବ୍ଧ। ଫ୍ରାନ୍ସର ଇଣ୍ଟରନାସନାଲ ସ୍ପେଶ୍ ୟୁନିଭର୍ସିଟି (ISU) ମଧ୍ୟ ସୁଶାନ୍ତଙ୍କୁ ନିଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ଘଟଣା ଉପରେ ସ୍ପେଶ୍ ୟୁନିଭର୍ସିଟି ଟ୍ୱିଟ୍ କରିଛି ଯେ, “ଭାରତୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ହେଲା। ସୁଶାନ୍ତ STEM ଶିକ୍ଷାରେ ବହୁତ ବିଶ୍ୱାସ ରଖୁଥିଲେ ଏବଂ ସେ ସୋସିଆଲ ମିଡିଆରେ ମଧ୍ୟ ISUକୁ ଫଲୋ କରୁଥିଲେ।”

ISU ଅନୁସାରେ ସୁଶାନ୍ତ 2019 ଗରମଦିନ ଛୁଟିରେ ଏହାର ସେଣ୍ଟ୍ରାଲ କ୍ୟାମ୍ପସକୁ ମଧ୍ୟ ଯାଇଥାନ୍ତେ କିନ୍ତୁ କିଛି କାରଣ ଯୋଗୁଁତାହା ସମ୍ଭବ ହେଲା ନାହିଁ। ISU ଟ୍ୱିଟ୍ ଜରିଆରେ କହିଛି, “ଆମ ଚିନ୍ତାଧାରା ସୁଶାନ୍ତ, ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହ ରହିଛି। ତାଙ୍କ ସ୍ମୃତି ତାଙ୍କ ପ୍ରଶଂସକଙ୍କ ମନରେ ସବୁବେଳେ ରହିବ।”

sushant-2

ଅଭିନୟ ଦୁନିଆକୁ ଆସିବା ପରେ ମଧ୍ୟ ସୁଶାନ୍ତ ମହାକାଶ ବିଜ୍ଞାନ ସହିତ ଜଡ଼ିତ ରହିଥିଲେ। ସେଥିପ୍ରତି ଥିବା ତାଙ୍କ ଆଗ୍ରହ କେବେ ବି କମ ହୋଇନଥିଲା। ଚନ୍ଦ୍ରରେ ଜାଗା କିଣିଥିବା ପ୍ରଥମ ଭାରତୀୟ ଅଭିନେତା ଥିଲେ ସୁଶାନ୍ତ। ସେ ନିଜ ରୁମରେ ଏକ ଆଡଭାନ୍ସ ଟେଲିସ୍କୋପ ମଧ୍ୟ ରଖିଥିଲେ। ଯାହା ଦ୍ୱାରା ସେ ମହାକାଶର ବିଭିନ୍ନ ଗ୍ରହ ଉପରେ ରିସର୍ଚ୍ଚ କରନ୍ତି।

ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ସୁଶାନ୍ତ। ଏଯାଏଁ ମଧ୍ୟ ଏହି ଘଟଣାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ତାଙ୍କ ଆତ୍ମୀୟ ସ୍ୱଜନ, ପରିବାର ତଥା ଫ୍ୟାନ୍ସ। ସେ ବହୁଦିନ ଧରି ଡିପ୍ରେସନର ଶିକାର ଥିଲେ ବୋଲି କହିଥିଲା ମୁମ୍ବାଇ ପୋଲିସ୍, ହେଲେ ଡିପ୍ରେସନର କାରଣ ଏଯାଏଁ ସାମନାକୁ ଆସିନାହିଁ।

Comment