ଓଡ଼ିଶାଲାଇଭ୍ ବ୍ୟୁରୋ

‘ସହିଦ ସନ୍ତୋଷ ବାବୁ ଅମର ରହେ’,‘ଜୟ ଯବାନ ଜୟ କିଷାନ’। ଏଭଳି କିଛି ଶବ୍ଦର ଗୁଞ୍ଜରଣରେ ଗଲୱାନ ଘାଟିରେ ପ୍ରାଣ ହରାଇଥିବା ସହିଦ କର୍ଣ୍ଣେଲ ସନ୍ତୋଷ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ତାଙ୍କ ଜନ୍ମମାଟି।

ଗୁରୁବାର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ମରଶରୀରକୁ ଶୋଭାଯାତ୍ରାରେ ତାଙ୍କ ଜନ୍ମମାଟିକୁ ଅଣାଯାଇଛି। ସେଠାରେ ଶହ ଶହ ଲୋକ ତାଙ୍କର ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ଲୋକମାନେ ତାଙ୍କ ଘରର ବାଲକୋନି ଠିଆ ହୋଇ ‘ସହିଦ ସନ୍ତୋଷ ବାବୁ ଅମର ରହେ’ ନାରା ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଜନ୍ମମାଟିରେ ପହଞ୍ଚିବା ପରେ ସହିଦ ସନ୍ତୋଷ ବାବୁଙ୍କ ମର ଶରୀରକୁ ଗାର୍ଡ ଅଫ୍ ଅନର ମଧ୍ୟ ପ୍ରଦାନ କରାଯାଇଛି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି କୁହାଯାଇଛି।

ପୂର୍ବ ଲଦାଖର ଗାଲବାନ ଘାଟିରେ ଭାରତ-ଚୀନ ଯବାନ ମୁହାଁମୁହିଁ ହେବା ଫଳରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏଥିମଧ୍ୟରୁ ଜଣେ ହେଉଛନ୍ତି ତେଲେଙ୍ଗାନାର କର୍ଣ୍ଣେଲ୍ ସନ୍ତୋଷ ବାବୁ। ଗତ ସୋମବାର ରାତିରେ ସେ ଭାରତ ଚୀନ ସୀମାରେ ଦେଶ ପାଇଁ ସହିଦ ହୋଇଯାଇଛନ୍ତି।

ସନ୍ତୋଷ ବାବୁଙ୍କ ବାପା ନାମ ହେଉଛି ବି.ଉପେନ୍ଦ୍ର ଏବଂ ମା’ଙ୍କ ନାଁ ହେଉଛି ମଞ୍ଜୁଲା। ପିଲାଟି ଦିନରୁ ନିଜ  ପୁଅକୁ ଭାରତୀୟ ସୈନ୍ୟବାହିନୀରେ ଭର୍ତ୍ତି କରିବାକୁ ସ୍ୱପ୍ନ ଦେଖିଥିଲେ ସନ୍ତୋଷଙ୍କ ବାପା ଉପେନ୍ଦ୍ର। ପୁଅ ମଧ୍ୟ ବାପାଙ୍କ ସ୍ୱପ୍ନକୁ ପୂରଣ କରି ୨୦୦୪ ମସିହାରେ ସେନାରେ ଭର୍ତ୍ତି ହୋଇଥିଲେ। ହେଲେ ସୀମାରେ ପୁଅର ମୃତ୍ୟୁ ଖବର ଏବେ ଉଭୟ ବାପା ମା’ଙ୍କ ଆଖିରେ ଲୁହ ନେଇ ଆସିଛି।

ହେଲେ ଅନ୍ୟପଟେ ମଧ୍ୟ ଦେଶ ପାଇଁ ଜୀବନ ଦେଇଥିବାରୁ ସନ୍ତୋଷଙ୍କ ବାପା ମା’ ତାଙ୍କ ପୁଅ ପାଇଁ ଗର୍ବିତ ବୋଲି ମଧ୍ୟ କହିଛନ୍ତି। ସନ୍ତୋଷଙ୍କ ମା’ କହିଛନ୍ତି ଯେ “ମୁଁ ଏକାସାଙ୍ଗେ ଦୁଃଖିତ ଏବଂ ଗର୍ବିତ ମଧ୍ୟ। ମୋ ପୁଅ ଦେଶ ପାଇଁ ନିଜ ଜୀବନ ହାରିଛି ସେଥିପାଇଁ ମୁଁ ଗର୍ବିତ। ହେଲେ ଗୋଟିଏ ମା’ ହିସାବରେ ମୁଁ ଅତ୍ୟନ୍ତ ଦୁଖିତଃ, ସେ ମୋର ଗୋଟିଏ ବୋଲି ପୁଅ ଥିଲା।”

LEAVE A REPLY

Please enter your comment!
Please enter your name here