ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓଡ଼ିଶା ଆସିବ ୨ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ଆଜି ଅପରାହ୍‌ଣ ୨ଟା ବେଳେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିବ ମରଶରୀର। ପରେ ତାଙ୍କୁ ଜନ୍ମମାଟିକୁ ନିଆଯିବ। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି।

ଭାରତ-ଚୀନ୍‌ ସୀମା ବିବାଦ ସଂଘର୍ଷରେ ସହିଦ ହୋଇଥିଲେ ଭାରତର ୨୦ ଜଣ ଯବାନ। ସେଥିରେ ରହିଛନ୍ତି ୨ ଜଣ ଓଡ଼ିଆ ଯବାନ। ଜଣେ ମୟୂରଭଞ୍ଜ ଜିଲ୍ଲା ବିଜତଳ ବ୍ଲକ ଚମ୍ପାରଦା ଗାଁର ନନ୍ଦୁରାମ ସୋରେନ ଓ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଲା ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନ।

ସେପଟେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ଜନ୍ମମାଟିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କଳାହାଣ୍ଡି ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଅନାଇ ବସିଛନ୍ତି ଅଞ୍ଚଳବାସୀ। ଅନ୍ୟପକ୍ଷରେ ପୁଅକୁ ହରାଇ କାନ୍ଦ ବୋବାଳି ଫାଟି ପଡୁଛି ଗାଁ ଦାଣ୍ଡ।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସହିଦ ନନ୍ଦୁରାମ ସୋରେନଙ୍କୁ ଶ୍ରଦ୍ଧାଞ୍ଚଳି ଦେବାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ। ସେପଟେ ସ୍ଵାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ସ୍ତ୍ରୀ ଲକ୍ଷ୍ମୀ। ଅନ୍ୟପକ୍ଷରେ ସହିଦ ଖବର ଶୁଣି ବାପାଙ୍କୁ ଝୁରୁଛନ୍ତି ୩ ଝିଅ।

ମଙ୍ଗଳବାର ଗଲଓ୍ଵାନା ଘାଟି ନିକଟରେ ଚୀନ୍‌ ସେନା ଭାରତକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ଭାରତୀୟ ସେନା ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏଥିରେ ଭାରତ ପକ୍ଷରୁ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୩ ଜଣ ସେନା ପ୍ରାଣ ହରାଇଛନ୍ତି।

Comment