ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ଜରୁରୀ କ୍ୟାବିନେଟ୍‌ ବୈଠକ ଉପରେ ନଜର।

ଏଥର ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାୟ ଦେବା ପରେ ସବୁଠି ଚର୍ଚ୍ଚା ବଢ଼ିଛି। କିଏ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛି ତ ଆଉ କିଏ ଠିକ୍‌ ହୋଇନି ବୋଲି ମତ ଦେଉଛନ୍ତି। ତେବେ ଏସବୁ ଭିତରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ନିଜ ମୁଣ୍ଡରୁ ଦୋଷ ଖସେଇବା ଲାଗି ସରକାର ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟରେ ପୁନଃବିଚାର ପାଇଁ ଆବେଦନ କରିବେ କି ବୋଲି ଆଲୋଚନା ହେଉଛି।

ସୁପ୍ରିମକୋର୍ଟରୁ ରଥଯାତ୍ରା ସମ୍ପର୍କୀତ ରାୟ ଆସିବା ପରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଜରୁରୀ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଆଡଭୋକେଟ୍‌ ଜେନେରାଲ ବି ଉପସ୍ଥିତ ରହିପାରନ୍ତି। ସୁପ୍ରିମକୋର୍ଟ ରଥଯାତ୍ରା ହେବନାହିଁ ବୋଲି ଯେଉଁ ରାୟ ଦେଇଛନ୍ତି ସେ ସମ୍ପର୍କରେ କ୍ୟାବିନେଟ୍‌ରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଚଳିତବର୍ଷ ରଥଯାତ୍ରା ଆୟୋଜନକୁ ନେଇ ସରକାର କାଠଗଡ଼ାରେ ଛିଡ଼ା ହୋଇଥିଲେ। ଦିନ ପରେ ଦିନ ଗଡୁଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ସ୍ପଷ୍ଟ ସୂଚନା ଦେଉ ନଥିଲେ। ଗୋଟିଏପଟେ ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା ଆୟୋଜନ କରିବାକୁ ଦାବି ହେଉଥିଲା। କିଛି ସେବାୟତ ମଧ୍ୟ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ହେଲେ ସରକାର ଏନେଇ କୌଣସି ଘୋଷଣା କରି ନଥିଲେ।

ରଥଯାତ୍ରା ପାଇଁ ରଥ ନିର୍ମାଣ କାମକୁ ଆଗେଇନେବା, କରୋନା କଟକଣା. ଭିତରେ ମହାରଣା ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ଦେବସ୍ନାନ ପୂର୍ଣ୍ଣିମା ଆୟୋଜନକୁ ସବୁଜ ସଙ୍କେତ ଦେବା, ସେବାୟତମାନଙ୍କର କରୋନା ନମୁନା ପରୀକ୍ଷା କରିବା, ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟିବାକୁ ନିର୍ଦ୍ଦେଶ ଦେବା ଘଟଣା ରଥଯାତ୍ରା ପାଇଁ ବାଟ ଫିଟାଇଥିଲା। ସରକାର କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ। ଗୋଟିଏପଟେ ରଥ ନିର୍ମାଣ କାମ ଆଗେଇ ଚାଲିଥିଲା, ଅନ୍ୟପଟେ ସରକାର ନୀରବ ରହିଥିଲେ। ସରକାରଙ୍କ ନୀରବତା ଝଡ଼ ସୃଷ୍ଟି କରିଥିଲା। ଏବେ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଦେଇ ସାରିଥିବାରୁ ସରକାରଙ୍କର ଆଭିମୁଖ୍ୟ କ’ଣ ରହିବ ଏବଂ ଭକ୍ତ ଓ ସେବାୟତଙ୍କୁ କେମିତି ବୁଝାଇବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରଥଯାତ୍ରା ବନ୍ଦ କରିବାକୁ ପୁରୀର ଜଣେ ସାମାଜିକ କର୍ମୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ। ହେଲେ ସରକାର ସେତେବେଳେ କୌଣସି ନିଷ୍ପତ୍ତି ନେଇ ନଥିଲେ।

Comment