ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତ ପାଇଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା। ଏନେଇ ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି ଭି ଶ୍ରୀନିବାସନ ଡକ୍ଟର ଲେଙ୍କାଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି। ପୂର୍ବରୁ ଡକ୍ଟର ଲେଙ୍କା ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ଥିଲେ। ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଓ ମେଘାଳୟ ରାଜ୍ୟର ଯୁବ କଂଗ୍ରେସ ପ୍ରଭାରୀ ଭାବେ ସେ କାର୍ଯ୍ୟ କରିଛନ୍ତି। ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରଶିକ୍ଷଣ ଦାୟିତ୍ୱ ତୁଲାଇ ଆସୁଥିଲେ।

କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମରେ ଏକ ମଧ୍ୟବିତ ଶିକ୍ଷକ ପରିବାରରେ ତାଙ୍କ ଜନ୍ମ। ଛାତ୍ର ଜୀବନରୁ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି ଦିଲ୍ଲୀରେ ମଧ୍ୟ ଜଣେ ଦୃଢ଼ ଯୁବ ସଙ୍ଗଠକ ଭାବେ ବେଶ୍ ପରିଚିତ। ଜଣେ ଉଚ୍ଚଶିକ୍ଷିତ ଓ ଦୃଢ ଯୁବ ସଙ୍ଗଠକ ଭାବେ ଦେଶରେ ନିଜର ଏକ ନିଆରା ପରିଚୟ ତିଆରି କରିଥିବା ଡକ୍ଟର ଲେଙ୍କାଙ୍କୁ କରୋନା ମହାମାରୀଜନିତ ବିଶ୍ୱ ସଙ୍କଟ ସମୟରେ ଦାୟିତ୍ୱ ଦିଆଯାଇଛି। ତେଣୁ ଆଗାମୀ ଦିନରେ ରାଜ୍ୟର ଯୁବକମାନଙ୍କୁ ସଙ୍ଗଠିତ କରି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ ଯୋଗାଇବା, ଯୁବବର୍ଗଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାର ଦେବା, ବେକାରୀ ସମସ୍ୟା ଓ ଉତ୍କଟ ଦାଦନ ଶ୍ରମିକ ସମସ୍ୟା ବିରୋଧରେ ଲଢିବା ଦିଗରେ ରାଜ୍ୟ ଯୁବ କଂଗ୍ରେସ କାମ କରିବ ବୋଲି ଡକ୍ଟର ଲେଙ୍କା କହିଛନ୍ତି।

‘‘ବିଜେଡି ଓ ବିଜେପି ସରକାର ପରସ୍ପରର ଢାଲ ଭାବେ ରହି ଦୁର୍ନୀତିପୂର୍ଣ୍ଣ ଶାସନ ଚଳାଇଛନ୍ତି। ତାହାର ଅସଲ ମୁଖା ରାଜ୍ୟବାସୀଙ୍କ ଆଗରେ ଖୋଲିଦିଆଯିବ। ଯୁବ କଂଗ୍ରେସକୁ ଆହୁରି ସଙ୍ଗଠିତ କରାଯିବ’’, କହିଛନ୍ତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା।

ତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ଅର୍ପଣ କରିଥିବାରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି.ଭି ଶ୍ରୀନିବାସନ, ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ଯୁଗ୍ମ ସମ୍ପାଦକ କ୍ରିଷ୍ଟା ଆଲାବାରୁ, ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଗୁଜରାଟ ପ୍ରଭାରୀ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି, ଯୁବ କଂଗ୍ରେସ ରାଜ୍ୟ ପ୍ରଭାରୀ ପ୍ରତିଭା ରଘୁବଂଶୀ, ରିଆଜୁଲ୍ ଅନ୍‌ସାରୀଙ୍କ ସମେତ ରାଜ୍ୟର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ ଯୁବ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comment