ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶମାତୃକାଠାରୁ ବଳି ଆଉ କିଛି ନାହିଁ। ଏମିତି ଏକ ଶପଥ ନେଇ ଦୁଇ ବର୍ଷ ପୂର୍ବେ ସେନାରେ ଭର୍ତ୍ତି ହୋଇଥିଲେ ବିହାରର ବୈଶାଲି ଜିଲ୍ଲାର ଜୟକିଶୋର ସିଂ। ଆଖିରେ ଥିଲା ଅସୁମାରୀ ସ୍ୱପ୍ନ। ସେ କ’ଣ ଜାଣିଥିଲେ ଦେଶ ସେବା କଲା ବେଳେ ଏତେଶୀଘ୍ର ତାଙ୍କ ଜୀବନର ଦୀପ ଲିଭିଯିବ।

ସୋମବାର ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷରେ ନିଜର ପ୍ରାଣବଳୀ ଦେଇଥିଲେ।  ବିହାର ରେଜିମେଣ୍ଟର ୧୨ ବାଟାଲିୟନରେ ଯୋଗ ଦେଇଥିବା ଜୟକିଶୋର ସିଂ ଦେଶ ପାଇଁ ଜୀବନ ଦେଇ ବାପା, ମା’, ସମ୍ପର୍କୀୟ ଏବଂ ଗାଁ ଲୋକଙ୍କୁ ଗର୍ବିତ କରିଛନ୍ତି।

୨୨ ବର୍ଷୀୟ ଜୟ କିଶୋର ସହିଦ ହେବାର ଖବର ପାଇବା ମାତ୍ରେ ଗ୍ରାମବାସୀ, ସମ୍ପର୍କୀୟ ତଥା ନିକଟସ୍ଥ ଲୋକମାନେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ।

ଶୁକ୍ରବାର ନିଜର ପୈତୃକ ଗ୍ରାମରେ ସହିଦଙ୍କର ଶେଷକୃତ୍ୟ ଶେଷ ହୋଇଛି। ସହିଦଙ୍କ ଅନ୍ତିମ ବିଦାୟ ବେଳେ ଗାଁରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜୟ ହିନ୍ଦ, ଭାରତ ମାତା କି ଜୟ, ଜୟକିଶୋର ଅମର ରହେ ଧ୍ୱନିରେ ଗାଁ ଦାଣ୍ଡ ଫାଟି ପଡ଼ୁଥିଲା।

ଜୟକିଶୋର ସିଂ ୨୦୧୮ ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ରେଜିମେଣ୍ଟ ଦାନପୁର କ୍ୟାମ୍ପରେ ତାଲିମ ସମାପ୍ତ କରିବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ୨୦୧୯ ରେ ଭାରତ-ଚୀନ୍ ସୀମାରେ ପୂର୍ବ ଲଦାଖରେ ହୋଇଥିଲା।

ତାଙ୍କ ବାପା ରାଜ କପୁର ସିଂ ଜଣେ କୃଷକ ହୋଇଥିବାବେଳେ ବଡ଼ ଭାଇ ନନ୍ଦକିଶୋର ସିଂ ଭାରତୀୟ ସେନାରେ ସିକ୍କିମରେ ପୋଷ୍ଟ ହୋଇଛନ୍ତି। ସହିଦ ଜୟକିଶୋର ଚାରି ଭାଇଙ୍କ ମଧ୍ୟରୁ ଦ୍ୱିତୀୟ ଥିଲେ। ଦୁଇ ସାନଭାଇ ଶିବମ କୁମାର ଏବଂ କୌଶଲ କୁମାର ଏବେ ପାଠ ପଢ଼ୁଛନ୍ତି।। ବଡ଼ ଭଉଣୀ ମମତାଙ୍କର ବିବାହ ହୋଇଯାଇଛି। ସହିଦ ଜୟକିଶୋରଙ୍କ ଭାଇ ମଧ୍ୟ ବିବାହିତ। ଜୟ କିଶୋର ଅବିବାହିତ ଥିଲେ।

Comment