ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ମୋ ପୁଅ ଦେଶ ପାଇଁ ଜୀବନ ଦେଲା। ଏଥିପାଇଁ ମୁଁ ଗର୍ବିତ। ମୋର ଦୁଇ ନାତି ଅଛନ୍ତି। ତାଙ୍କୁ ମଧ୍ୟ ସେନାରେ ଭର୍ତ୍ତି କରାଇବି। ସେମାନେ ତାଙ୍କ ବାପାଙ୍କ ବଳିଦାନର ପ୍ରତିଶୋଧ ନେବେ’’, ଏକଥା କହିଛନ୍ତି ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା କୁନ୍ଦନ କୁମାରଙ୍କ ବାପା।

ବୁଢ଼ା ବୟସରେ ଯବାନ ପୁଅର ସହିଦ ହେବା ଖବର ଶୁଣି ଭାଙ୍ଗି ପଡ଼ିନାହାନ୍ତି ସେ ବରଂ ଦେଶ ପାଇଁ ପୁଅର ଜୀବନ ଯାଇଥିବାରୁ ଗର୍ବ କରୁଛନ୍ତି ବୋଲି କହିଛନ୍ତି କୁନ୍ଦନଙ୍କ ବାପା ନିମିନ୍ଦ୍ର ଯାଦବ।

ବୀର ଯବାନ କୁନ୍ଦନଙ୍କ ପାର୍ଥିବଶରୀର ଶୁକ୍ରବାର ତାଙ୍କ ପୈତୃକ ଗାଁରେ ପହଞ୍ଚିଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। କୁନ୍ଦନଙ୍କର ୬ ବର୍ଷର ପୁଅ ତାଙ୍କୁ ମୁଖାଗ୍ନି ଦେଇଛି।

କୁନ୍ଦନଙ୍କ ଶେଷ ଦର୍ଶନ କରିବା ପାଇଁ ଆଖପାଖ ଗାଁରୁ ଲୋକଙ୍କ ଭିଡ଼ ଜମିଥିଲା। ବିଶାଳ ଜନସମାଗମ ଭିତରେ କୁନ୍ଦନଙ୍କୁ ଅନ୍ତିମ ବିଦାୟ ଦେଲା ବେଳେ ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା।

କୁନ୍ଦନ କୁମାରଙ୍କ ଘର ବିହାରର ବିହାର ବିଶନପୁରରେ। ଦେଶ ସେବା କରିବା ପାଇଁ ୨୦୧୨ରେ କୁନ୍ଦନ ସେନାରେ ସାମିଲ ହୋଇଥିଲେ। ୨୦୧୩ରେ ସେ ବିବାହ କରିଥିଲେ। କୁନ୍ଦନଙ୍କର ୨ ପୁଅ ଅଛନ୍ତି। ଗତ ସୋମବାର ରାତିରେ ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ୍ ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବଙ୍କୁ ସମେତ ୨୦ ଯବାନ ସହିଦ ହୋଇଥିଲେ।

Comment