ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାଟି ଦିନରୁ ଥିଲା ଦେଶ ସେବା କରିବା ପାଇଁ ଇଚ୍ଛା। ସେନାରେ ଭର୍ତ୍ତି ହେବା ପାଇଁ କରିଥିଲେ କେତେ କ’ଣ ଚେଷ୍ଟା। ଶେଷରେ ସମସ୍ତିପୁରର ଅମନଙ୍କ ଚେଷ୍ଟା ସଫଳ ହୋଇଥିଲା। ୨୦୧୪ରେ ସେନାରେ ଭର୍ତ୍ତି ହେବା ପାଇଁ ସୁଯୋଗ ପାଇଲେ। ଦେଶ ସେବା ପାଇଁ ଶତ୍ରୁ ସହ ଲଢ଼ୁ ଲଢ଼ୁ ଗତ ସୋମବାର ରାତିରେ ଲଦାଖ ଗଲଓ୍ୱାନ ଘାଟିରେ ଆଖି ବୁଜିଦେଲେ ଅମନ କୁମାର।
ଅମନ ଚାଲିଯିବା ପରେ ଭାଙ୍ଗି ପଡ଼ିଛି ପୂରା ପରିବାର। ଗତ ବର୍ଷ ବିବାହ କରିଥିଲେ ଅମନ। ବିବାହର ୧ ବର୍ଷ ପରେ ମାତ୍ର କେଇଟା ଦିନ ଅମନଙ୍କ ସହ ସମୟ ବିତାଇଥିଲେ ତାଙ୍କ ପତ୍ନୀ। ଏବେ ସ୍ୱାମୀ ଚାଲିଯିବା ପରେ ସେ କାହା ସାହାରାରେ ବଞ୍ଚିବେ ବୋଲି ଛାତି ପଠାଇ କହୁଛନ୍ତି। ଅମନଙ୍କ ପତ୍ନୀଙ୍କ ଏହି ପ୍ରଶ୍ନର ଜବାବ କାହା ପାଖରେ ନାହିଁ। ସମସ୍ତଙ୍କ ଛାତିର ବେଦନା ଆଖିର ଲହୁ ହୋଇ ବାହାରକୁ ଆସୁଛି।
୨୫ ବର୍ଷୀୟ ଅମନଙ୍କ ପରିବାର କହିଲେ ବାପା ସୁଧୀର କୁମାର, ମା’ ରେଣୁ ଦେବୀ, ପତ୍ନୀ ମିନୁ, ଦୁଇ ସାନ ଭାଇ ଓ ଗୋଟିଏ ଭଉଣୀ। ଅମନ ହିଁ ତାଙ୍କ ପରିବାରରେ ଜଣେ ରୋଜଗାରିଆ ପୁଅ ଥିଲେ। ଅମନ ଚାଲିଯିବା ପରେ ତାଙ୍କ ପୂରା ପରିବାର ବେସାହାରା ହୋଇପଡ଼ିଛି।
ଅମନ କୁମାରଙ୍କର ଶୁକ୍ରବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରାୟ ୧୦ କିଲୋମିଟର ଯାଏଁ ଅମନଙ୍କ ଅନ୍ତିମ ଯାତ୍ରା ହୋଇଥିଲା। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକେ ଧାଇଁ ଆସିଥିଲେ। ଅମନ ଅମର ରହେ ସ୍ଲୋଗାନ ଦେଇଥିଲେ।