ଓଡ଼ିଶାଲାଇଭ ବ୍ୟୁରୋ

ବୁଦ୍ଦୁ ଗିମ୍ଫେଲ ଓ ଅନ୍ୟାନ୍ୟ ଗଳ୍ପ ହେଉଛି ଆଇଜାକ ବାସେଭିଶ ସିଙ୍ଗରଙ୍କ ପ୍ରଥମ ଗଳ୍ପ ସଂକଳନ।୧୯୫୭ରେ ପ୍ରଥମେ ଯେତେେଳେ ଏହି ଗଳ୍ପଟି ପ୍ରକାଶିତ ହୁଏ, ତତକ୍ଷଣାତ୍ ଏହା ବିଶ୍ଵର ଧ୍ୟାନ ଆକର୍ଷଣ କରେ। ବିଶ୍ଵ ସାହିତ୍ୟରେ ଏହାକୁ  ଏକ ମାଇଲଖୁଣ୍ଟ ବୋଲି  କୁହାଯାଏ। ଶୀର୍ଷକ କାହାଣୀ ଅତ୍ୟନ୍ତ ସୁନ୍ଦର ଓ ଏହାକୁ ଚମତ୍କାର ଭାବରେ ସଲ୍ ବେଲୋ ଅନୁବାଦ କରିଥିଲେ।

କାହାଣୀଟି ଅତ୍ୟନ୍ତ ସରଳ। ଗିମ୍ପଲ୍ ଜଣେ ବେକର୍ ବା ରୁଟି ବିକାଳୀ  ଯିଏ ସାର୍ବଜନୀକ ଭାବେ ଧୋକା ଖାଏ।କିନ୍ତୁ ସେ ତାହାର ପ୍ରତିଶୋଧ ନିଏ ନାହିଁ। ଗଳ୍ପର ଅନ୍ୟ ଚରିତ୍ର ମାନେ ଅବଶ୍ୟ ଏତେ ଅମାୟିକ ନୁହଁନ୍ତି।

ଉଭୟ  ପ୍ରବୁଦ୍ଧ ଓ  ନିନ୍ଦିତ – ଏହି ଗଳ୍ପର ସମସ୍ତ ଚରିତ୍ର ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବର ଓ ସମସ୍ତେ ପୋଲାଣ୍ଡର ବାସିନ୍ଦା।ଏ ସମସ୍ତେ ଇହୁଦୀ ବସ୍ତିରେ ରହନ୍ତି ଓ ସିଙ୍ଗରଙ୍କ ଅନବଦ୍ୟ ଗଦ୍ୟ ଶୈଳୀରେ ପ୍ରମୁଖ ଚରିତ୍ର ଭାବରେ ସାମ୍ନାକୁ ଆସନ୍ତି।

ମୁଖବନ୍ଧରେ ଅନୁବାଦକ କମଳାକାନ୍ତ ମହାପାତ୍ର ଲେଖିଛନ୍ତି: “ସିଙ୍ଗରଙ୍କ ଗଳ୍ପକଳା କଳାହୀନ। କଳାଶୂନ୍ୟତା ହିଁ ସିଙ୍ଗରଙ୍କ କଳା – ପ୍ରତି ଶବ୍ଦ, ବାକ୍ୟ, ଅନୁଭୂତି, ଆବେଗ, ଉଦ୍ବେଗ ବୀଣା ତାର ପରି ଟାଣ, ତୀକ୍ଷ୍ଣ, ଶାଣିତ, କଂପି ଉଠିବା ପାଇଁ ହାଲ୍କା ପବନର ଧୀର ଧକ୍କା ଯଥେଷ୍ଟ। ସେତିକିରେ ସ୍ୱର ଚେଇଁ ଉଠିବ, ଚରିତ୍ର ମାନେ ଚେଇଁ ଉଠିବେ, ପ୍ରକୃତି ଓ ଜୀବ ଜଗତ ହୋଇଯିବ ଚଳ ଚଞ୍ଚଳ, ଗତିଶୀଳ।”

ମୁଖବନ୍ଧକୁ ଆଉ ଟିକିଏ ଆଗେଇ ନେଇ କମଳାକାନ୍ତ ସିଙ୍ଗରଙ୍କ ଏକ ସଂକ୍ଷିପ୍ତ ବ୍ୟକ୍ତି ପରିଚୟ ଦେଇଛନ୍ତି ଓ ତାଙ୍କ ସାହିତ୍ୟର ଏକ ସଂକ୍ଷିପ୍ତ ବିବରଣୀର ଉଲ୍ଲେଖ ମଧ୍ୟ ରହିଛି ସଙ୍କଳନରେ।

ସଙ୍କଳନରେ ସମୁଦାୟ ୧୧ଟି ଗଳ୍ପ ରହିଛି। ଅନୁବାଦକ ଖୁବ୍ ସନ୍ତର୍ପଣରେ ଗପ ଗୁଡିକର ଚୟନ କରିଛନ୍ତି ଯେମିତି କି ପାଠକ ଟି ବାନ୍ଧି ହୋଇ ରହି ପାରିବ।ଦୋସ୍ତ, ମାର୍କେଟ ଷ୍ଟ୍ରୀଟର୍ ସ୍ପିନୋଜା, ଦର୍ପଣ, ବସ୍, ଶେଷ ସୈତାନ୍, ଜନ୍ମହୀନର ଡାୟରୀରୁ ,କପାଳୀ, ବାର୍ଦ୍ଧକ୍ୟ ପ୍ରେମ ଓ ପାଣ୍ଡୁଲିପି ଏହିସବୁ ଗଳ୍ପର ଅନୁବାଦକୁ ନେଇ ସଂକଳନଟି ସମୃଦ୍ଧ ।

ଅନୁଦିତ ଗଳ୍ପ ଗୁଡିକରେ ଭାବର ପରିପ୍ରକାଶ କୌଣସି  ପ୍ରଶ୍ନର ଅବକାଶ ରଖେ ନାହିଁ। ସ୍ଥାନୀୟ ଶବ୍ଦର ବ୍ୟବହାର ମଧ୍ୟ ଅନେକ ମାତ୍ରାରେ ଗଳ୍ପ ଗୁଡ଼ିକର ସାର୍ଥକତାକୁ ପ୍ରମାଣ କରେ।

ଇହୁଦୀ ଜନଜୀବନର ସଂସ୍କୃତି, ଅପସଂସ୍କୃତି, ଧର୍ମ ଓ ଧର୍ମାନ୍ଧତା, ପାପ ଓ ପୂଣ୍ୟ ବିଚାର ବୋଧ ରହସ୍ୟ ଓ ରସିକତା, ଯୌନତା, ଅଭିଶପ୍ତ ଆଶା ଓ ଅଭିପ୍ସା, କ୍ଷୟ ଓ ଅବକ୍ଷୟ ଉପରେ ପର୍ଯ୍ୟବସିତ ଏହି ଗଳ୍ପ ଗୁଡ଼ିକର  ମୌଳିକ ଆବେଦନ ସାର୍ବଜନୀନ।

ସତ କହିବାକୁ ଗଲେ,କମଳାକାନ୍ତଙ୍କ ଅନୁବାଦ ଶୈଳୀ ଅତ୍ୟନ୍ତ ମନଛୁଆଁ। ସିଙ୍ଗରଙ୍କ ଗଳ୍ପ ସାହିତ୍ୟର ବହୁବିଧ ଦିଗକୁ ଏହି ସଙ୍କଳନରେ ଉନ୍ମୋଚିତ କରିପାରିଛନ୍ତିି  ସଂଖ୍ୟାଧିକ ପୁସ୍ତକର ରଚୟିତା କମଳାକାନ୍ତ।

କମଳାକାନ୍ତ ଉପସଂହାରରେ ଯାହା ଲେଖିଛନ୍ତି  ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ : ଅନ୍ୟୁନ ପଚାଶ ବର୍ଷ ଧରି ବେଶ୍ କିଛି ଦେଶୀ ଓ ବିଦେଶୀ ଗଳ୍ପ ପଢ଼ିବା ପରେ ମୁଁ ଏବେ ଏହି ସିଦ୍ଧାନ୍ତରେ ପହଞ୍ଚି ଯେ ,ସବୁ ଆଲୋଚନା ତର୍ଜମା ପିଟାପିଟି ଶେଷରେ କାହାଣୀଧର୍ମୀ କ୍ଷୁଦ୍ରଗଳ୍ପ ହିଁ ପ୍ରକୃତରେ ବେଶୀ ଦୀର୍ଘସ୍ଥାୟୀ।

ବୁଦ୍ଦୁ ଗିମ୍ଫେଲ୍ ଓ ଅନ୍ୟାନ୍ୟ ଗଳ୍ପ

ଆଇଜାକ୍ ବାଶେଭିସ୍ ସିଂଗର
ଅନୁବାଦ : କମଳାକାନ୍ତ ମହାପାତ୍ର

ଧଉଳି ବୁକ୍ସ୍

ଭୁବନେଶ୍ୱର,୨୯୫ ଟଙ୍କା

Comment