ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଉ ଦିନେ। ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଏବେ ଅଡୁଆ ବଢ଼ିଛି। ଗତ ଦୁଇ ଦିନ ତଳେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଥିଲେ। କରୋନା ମହାମାରୀ ପାଇଁ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ରାୟ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ରଥଯାତ୍ରା ବନ୍ଦ ନହେଉ ବୋଲି ଅଧିକାଂଶ ଲୋକ ମତ ଦେଉଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ରାୟର ପୁନଃବିଚାର କରିବାକୁ ଏକାଧିକ ପିଟିସନ ଦାଖଲ ହୋଇଛି। ଏହାସହ ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ଚାପ ପଡୁଛି। ଆସନ୍ତାକାଲି ଦିନ ୧୧ଟା ବେଳେ ସୁପ୍ରିମକୋର୍ଟରେ ଏହି ଆବେଦନ ଶୁଣାଣି ହେବ। ତେବେ ପ୍ରଶ୍ନ ଉଠୁଛି ସୁପ୍ରିମକୋର୍ଟ କ’ଣ ପୁନଃବିଚାର କରି ରଥଯାତ୍ରା ଆୟୋଜନକୁ ଅନୁମତି ଦେବେ? ଏହାକୁ ନେଇ ଏବେ ସବୁଠି ସରଗରମ ଆଲୋଚନା ଚାଲିଛି। ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି।

Rath Yatra 2019ଅଡୁଆରେ ରାଜ୍ୟ ସରକାର

ରଥଯାତ୍ରାକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଗୋଟିଏପଟେ ସୁପ୍ରିମକୋର୍ଟଙ୍କ ରାୟ ଏବଂ ଅନ୍ୟପଟେ ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ନେଇ ସରକାର ଛନ୍ଦି ହେଉଛନ୍ତି। ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସାନିପିଟିସନ ଦାଖଲ କରିବାକୁ ବିଭିନ୍ନ ମହଲରୁ ଚାପ ପଡୁଛି।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସରକାର ଡେରି ନକରି ଜରୁରୀ କ୍ୟାବିନେଟ ବୈଠକ ଡାକିଦେଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହାସହ ରଥଯାତ୍ରାର ବିଧି ରକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗକୁ ଦାୟିତ୍ୱ ଦେଇ ସରକାର ଖସି ଯିବାକୁ ବସିଥିଲେ। ହେଲେ ଶେଷରେ ସରକାରଙ୍କ ଉପରେ ସବୁ ଚାପ ଆସି ପଡ଼ିଲା।

ସାଢ଼େ ୩ ଘଣ୍ଟା ଧରି ଛତିଶାନିଯୋଗ ବୈଠକ ବସିଥିଲେ ମଧ୍ୟ ରଥଯାତ୍ରାର ବିକଳ୍ପ ରାସ୍ତା ବାହାରି ନଥିଲା। ସୁପ୍ରିମକୋର୍ଟରେ ଠିକ୍‌ ଭାବେ ରାଜ୍ୟ ସରକାର ରଥଯାତ୍ରା ସପକ୍ଷରେ ତଥ୍ୟ ରଖିନଥିବା କହିଥିଲେ। ଏହାକୁନେଇ ଗତକାଲି ଗଜପତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରଥଯାତ୍ରା କରିବା ପାଇଁ ସରାକାର ସୁପ୍ରିମକୋର୍ଟରେ ସାନି ପିଟିସନ ଦାଖଲ କରିବାକୁ ଅନୁରୋଧ କରିଥିଲେ।

ଆଜି ଶଙ୍କରାଚାର୍ଯ୍ୟ ବି ନିଜ ପ୍ରତିକ୍ରିୟା ରଖିଛନ୍ତି। ରଥଯାତ୍ରାକୁ ନେଇ ସେ ସିଧା ସୁପ୍ରିମକୋର୍ଟଙ୍କ ଉପରେ ଖପ୍ପା ହୋଇଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଆଜି ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାକୁ ମାତ୍ର ଆଉ ଦିନଟିଏ ଥିବାରୁ ସରକାରଙ୍କ ଉପରେ ଚାପ ପଡୁଛି।

ସୁପ୍ରିମକୋର୍ଟଙ୍କ ଉପରେ ନଜର

ଆସନ୍ତକାଲି ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଦିନ ୧୧ଟାରେ ଜଷ୍ଟିସ୍‌ ଏସ୍‌ ରାବୀନ୍ଦ୍ର ଭଟ୍ଟ ଆବେଦନର ଶୁଣାଣି କରିବେ। ପକ୍ଷ ଓ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତ ଶୁଣିବା ପରେ ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ମଙ୍ଗଳବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ସୋମବାର ଦିନ ସୁପ୍ରିମକୋର୍ଟ ପୁନଃବିଚାର କରିବେ। ଶ୍ରୀଗୁଣ୍ଡିଚାଯାତ୍ରା ଏବଂ ସୁପ୍ରିମକୋର୍ଟଙ୍କ ଶୁଣାଣି ଭିତରେ ଆଉ ଦିନ ନାହିଁ। ଯଦି ସୁପ୍ରିମକୋର୍ଟ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ରାୟ ଦିଅନ୍ତି ତାହାଲେ କେମିତି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ ହୋଇ ରହିଛି। ସେବାୟତମାନେ ମଧ୍ୟ ଚାହିଁ ରହିଛନ୍ତି। ହେଲେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ହୋଇ ପାରିବେ ତ? ଶୃଙ୍ଖଳାର ସହ ରଥଯାତ୍ରା ଆୟୋଜନ କରିପାରିବେ ତ? କମ୍‌ ସେବାୟତଙ୍କୁ ନେଇ ରଥଯାତ୍ରା ଆୟୋଜନ କରାଯିବ ବୋଲି କଥା ଉଠୁଛି। ତେବେ କେଉଁ ସେବାୟତମାନେ ରଥଯାତ୍ରାରେ ସାମିଲ ହେବେ ତାର ତାଲିକା ଏଯାଏଁ ପ୍ରସ୍ତୁତ ହୋଇନାହିଁ। ଆଉ ଦିନ ନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କର ତାଲିକା ପ୍ରସ୍ତୁତ କରିବେ କେମିତି? ସୁରକ୍ଷାର ଦିଗ ମଧ୍ୟ ରହିଛି। କେତେ ପୋଲିସ ମୁତୟନ ହେବେ ଏବଂ କେଉଁ ଛକରେ କେଉଁ ଅଫିସର ଡ୍ୟୁଟି କରିବେ ତାର ରୂପରେଖ ଚୂଡ଼ାନ୍ତ ହୋଇନାହିଁ। ଏହାସହ କିଏ ରଥ ଟାଣିବେ ତାର ବି ତାଲିକା ପ୍ରସ୍ତୁତ କରାଯାଇ ନାହିଁ। ରଥଟାଣିବା ବେଳେ ସାମାଜିକ ଦୂରତାର କଥା ମଧ୍ୟ ରହିଛି। ଏସବୁ କମ୍‌ ସମୟ ଭିତରେ ପ୍ରସ୍ତୁତ କରିବା ସହଜ ହୋଇନପାରେ।

ସୁପ୍ରିମକୋର୍ଟ ଯଦି ପୂର୍ବ ରାୟକୁ କାଏମ ରଖନ୍ତି ତାହାଲେ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ବିକଳ୍ପ ରଥଯାତ୍ରା ଆୟୋଜନର କଥା ଉଠୁଛି। ଏଯାଏଁ ବିକଳ୍ପ ରାସ୍ତା ବାହାରିପାରିଥବା ମନେହେଉନି। ବିକଳ୍ପ ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାର ଯେଉଁମାନଙ୍କୁ ଦାୟିତ୍ୱ ଦେଇଥିଲେ ସେମାନେ ଏବେ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା କରିଛନ୍ତି। ବିକଳ୍ପ ବ୍ୟବସ୍ଥା କଥା କିଏ ଭାବୁଛି ତାକୁନେଇ ପ୍ରଶ୍ନବାଚୀ ଉଠିଛି। ଯଦି ବିକଳ୍ପ ରଥଯାତ୍ରା ଆୟୋଜନ ନହୁଏ ତାହାଲେ ମହାପ୍ରଭୁ ସାରା ବର୍ଷ ଅଣସର ଘରେ ରହିଯିବେ ବୋଲି ବରିଷ୍ଠ ସେବାୟତମାନେ ମତ ଦେଉଛନ୍ତି। ସୁପ୍ରିମକୋର୍ଟ ତ ଆସନ୍ତାକାଲି ତାଙ୍କ ରାୟ ଦେବେ, ହେଲେ ଦିନ ନଥିବାରୁ ବିକଳ୍ପ କଥା ବି ଚିନ୍ତା କରିବା ଜରୁରୀ ବୋଲି ମତପ୍ରକାଶ ପାଉଛି।

ରିସ୍କ ନେବାକୁ କେହି ଚାହୁଁ ନାହାନ୍ତି

ରଥଯାତ୍ରା ସହ କୋଟି କୋଟି ଭକ୍ତଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି। ଏଣୁ ସମସ୍ତେ ସୁରକ୍ଷିତ ଜୋନରେ ରହିବାକୁ ଚାହୁଁଛନ୍ତି। ନଜ ଉପରୁ ଦୋଷ ଖସାଇବାକୁ ବସିଛନ୍ତି। ଅକ୍ଷୟ ତୃତୀୟଠାରୁ ରଥଯାତ୍ରାକୁ ନେଇ ଆଶଙ୍କା ଦେଖା ଦେଇଥିଲେ ମଧ୍ୟ କେହି ଏନେଇ ଆଲୋଚନା କରିବାକୁ ଆଗେଇ ଆସି ନଥିଲେ। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା କରିବାକୁ ଯଦି ପୂର୍ବରୁ ଆଲୋଚନା ହୋଇଥାନ୍ତା ତାହାଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ବୋଲି କୁହାଯାଉଛି।

ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଇ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ସବୁ ଦାୟିତ୍ୱ ଦେଇେଦେଲେ। ପରିଚାଳନା କମିଟି ବି ଶେଷରେ ହାତ ଟେକିଦେଲେ। ‘ଆମେ ପ୍ରସ୍ତାବ ଦେଇଥିଲୁ ସରକାର ଶୁଣିଲେ ନାହିଁ’ କହି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି। ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ରଥଯାତ୍ରା ସପକ୍ଷରେ ଆଗକୁ ଆସିଛନ୍ତି। ଗତ ମାସେ ହେଲା ରଥଯାତ୍ରା ଆୟୋଜନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଏମାନେ କେଉଁଠି ଥିଲେ ବୋଲି ଆଲୋଚନା ହେଉଛି। ରଥଯାତ୍ରା ସପକ୍ଷରେ ଏମାନେ ଆଗରୁ କାହିଁକି ସରକାରଙ୍କୁ ପ୍ରସ୍ତାବ ଦେଲେନାହିଁ ବୋଲି ଚର୍ଚ୍ଚା ହେଉଛି।

ଦିନ ପରେ ଦିନ ଗଡୁଛି। ହେଲେ ରଥଯାତ୍ରାକୁ ନେଇ ବିବାଦର ଅନ୍ତ ଘଟୁନି। ଶ୍ରୀଗୁଣ୍ଡିଚା ଯାତ୍ରାକୁ ମଝିରେ ଆଉ ଦିନେ ସମୟ ଥିବା ବେଳେ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ସମସ୍ତେ ଅପେକ୍ଷା କରିଛନ୍ତି। ସୁପ୍ରିମକୋର୍ଟ ଆସନ୍ତାକାଲି କ’ଣ ରାୟ ଦେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା। ବଡ଼ଦାଣ୍ଡରେ ଏଥର ରଥ ଗଡୁଛି କି ନାହିଁ ତାହା ଅସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ।

Comment