ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ
  • କରୋନା ଯୋଦ୍ଧା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀଙ୍କ ଅଙ୍ଗେନିଭା କଥା
  • କରୋନା ମୁଖପାତ୍ର ଏବଂ ୟୁନିସେଫ୍‌ ହେଲ୍‌ଥ ସ୍ପେଶାଲିଷ୍ଟଙ୍କ ପରାମର୍ଶ
  • ଓଲିଉଡ ଅଭିନେତା ମିହିର ଦାସଙ୍କ ବାର୍ତ୍ତା

କୋଭିଡ୍‌-୧୯ ମହାମାରୀକୁ ସାମ୍ନା କରିବା ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହି ମହାମାରୀ ଓଡ଼ିଶାରେ ଯେବେଠୁ ପାଦ ଦେଲାଣି ସେବେଠୁ ରାଜ୍ୟ ସରକାର ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କୁ ସଚେତନ କରିବାଠୁ ଆରମ୍ଭ କରି ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଜଟିଳ ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ବିଶେଷଜ୍ଞଙ୍କ ପରାମର୍ଶ ଏବଂ କୋଭିଡ୍‌ ଯୋଦ୍ଧାଙ୍କ କାହାଣୀ ଏଥରର ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ସ୍ଥାନ ପାଇଛି।

ଜୁନ୍‌ ୨୧ ତାରିଖ, ରବିବାର ସକାଳ ସାଢ଼େ ୧୦ଟାରେ ରେଡିଓ ଧାରାବାହିକ ‘କେତେ ନୂଆବାଟ’ର ଚତୁର୍ଥ ସଂସ୍କରଣ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେବ। ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି।

ଏହା ଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଏବଂ ହେଲୋ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ ହେବ।

‘କେତେ ନୂଆ ବାଟ’ର ଚତୁର୍ଥ ଅଧ୍ୟାୟରେ ଯେଉଁ ମାନଙ୍କର ଆଲୋଚନା ଓ ମତାମତ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି, ୟୁନିସେଫ୍‌ ଓଡ଼ିଶାର ହେଲ୍‌ଥ ସ୍ପେଶାଲିଷ୍ଟ ଡାକ୍ତର ମୀନା ସୋମ୍‌, ସୁନ୍ଦରଗଡ଼ କୋଭିଡ୍‌ ହେଲ୍‌ଥ ସେଣ୍ଟରର ଡାକ୍ତର ରୁମା ମହାପାତ୍ର, କେନ୍ଦ୍ରାପଡ଼ାର ଲବୋରେଟୋରୀ ଟେକ୍‌ନିସିଆନ ସୌଭାଗ୍ୟ ରଞ୍ଜନ ବସନ୍ତିଆ।

ଓଡ଼ିଶାରୁ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇଟାଲିରୁ ଫେରିଥିବା ଜଣେ ଯୁବକଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ରାଜ୍ୟ ସରକାର ସଜାଗ ହୋଇପଡ଼ିଲେ। କରୋନା ମୁକାବିଲା ପାଇଁ ରାଜ୍ୟରେ ଭିତ୍ତିଭୂମି ସଦୃଢ଼ ଉପରେ ଗୁରୁତ୍ୱ ଦେଲେ। କୋଭିଡ୍‌ ହସ୍ପିଟାଲଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ, ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶର ବ୍ୟବସ୍ଥା କରିଥିଲେ। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବୃହତ୍ତର ପରିକଳ୍ପନା କରି ଆଗକୁ ଆସିଥିବା କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ଏଥରର ରେଡିଓ ଧାରାବାହିକରେ କହିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଥିଲେ ତାହାକୁ ସାକାର କରିବା ଲାଗି ଆଗେଇ ଆସିଥିଲା ୟୁନିସେଫ୍‌। କରୋନା ମହାମାରୀ ବେଳେ ସ୍ୱାସ୍ଥ୍ୟସେବାର ସଠିକ୍‌ ପରିଚଳାନା, ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସହଯୋଗୀ ବିଭାଗମାନେ କିପରି ନିଜକୁ ପ୍ରସ୍ତୁତ କରିବେ ସେଥିପାଇଁ ରାଜ୍ୟ ସରକାରଙ୍କୁ ବୈଷୟିକ ସହଯୋଗ କରିଥିଲା ୟୁନିସେଫ୍‌। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ୟୁନିସେଫ୍‌, ଓଡ଼ିଶାର ହେଲ୍‌ଥ ସ୍ପେଶାଲିଷ୍ଟ ଡାକ୍ତର ମୀନା ସୋମ୍‌। ଆଶା, ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲା ସ୍ତରରେ ଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ୟୁନିସେଫ୍‌ ସହାୟତାରେ କିପରି ତାଲିମ୍‌ ଦିଆଯାଇଥିଲା ସେ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ମୀନା ସୋମ୍‌।

ନିଜ ପରିବାରକୁ ପଛରେ ଛାଡ଼ି, ସୁଖ ସୁବିଧା ଭୁଲି କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ। ଏମାନଙ୍କୁ ସରକାର ଆଗଧାଡ଼ିର କରୋନା ଯୁଦ୍ଧର ମାନ୍ୟତା ଦେଇଛନ୍ତି। ଏହି କରୋନା ଯୋଦ୍ଧାମାନେ କେମିତି କଷ୍ଟ ସହି ନିଜ ପରିବାରଠାରୁ ଦୂରରେ ରହି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ କୋଭିଡ୍‌ ହେଲ୍‌ଥ ସେଣ୍ଟରର ଡାକ୍ତର ରୁମା ମହାପାତ୍ର।

ଆଉ ଜଣେ କରୋନା ଯୋଦ୍ଧା ହେଲେ ଢେଙ୍କାନାଳ କୋଭିଡ୍‌ ହେଲ୍‌ଥ ସେଣ୍ଟରର ନର୍ସ ସୁମିତ୍ରା ବେହେରା। ଏହି ହେଲ୍‌ଥ ସେଣ୍ଟରରେ ରୋଗୀମାନଙ୍କୁ ନର୍ସମାନେ କେମିତି ଚିକିତ୍ସାସେବା ଯୋଗାଇ ଦେଉଛନ୍ତି ଏବଂ ନିଜେ କେମିତି ସୁରକ୍ଷିତ ରହୁଛନ୍ତି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଜଣକୁ କରୋନା ହୋଇଛି କି ନାହିଁ ତାହା ସଂପୃକ୍ତ ବ୍ୟକ୍ତିଙ୍କର ସ୍ୱାବ୍‌ ପରୀକ୍ଷାରୁ ହିଁ ଜଣାପଡ଼ିଥାଏ। ଏହି ସ୍ୱାବ୍‌ ସଂଗ୍ରହ ଏତେ ସହଜ କଥା ନୁହେଁ। କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଖକୁ ଯାଇ କେମିତି ସ୍ୱାବ୍‌ ସଂଗ୍ରହ କରାଯାଏ ସେ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି ସୌଭାଗ୍ୟ ରଞ୍ଜନ ବସନ୍ତିଆ। ସୌଭାଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱାବ୍‌ ସଂଗ୍ରହ ଦାୟିତ୍ୱରେ ଅଛନ୍ତି। ରେଡିଓ ଧାରାବାହିକ ‘କେତେ ନୂଆବାଟ’ରେ ଭାଗନେଇ ସେ ନିଜ ଅଙ୍ଗେନିଭା କାହାଣୀ କହିଛନ୍ତି।

ଶେଷରେ ଓଲିଉଡ୍‌ ଅଭିନେତା ମିହିର ଦାସ ସମସ୍ତଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଭଲ ପାଇବା, କରୋନା ଯୋଦ୍ଧାଙ୍କୁ ସମ୍ମାନ କରିବା ପାଇଁ ମିହିର ଅପିଲ କରିଛନ୍ତି। ସମସ୍ତଙ୍କ ସହଯୋଗ ରହିଲେ କରୋନା ହାରିବ ବୋଲି ମିହିର ଦାସ କହିଛନ୍ତି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ସୁଜାତା ପଟ୍ଟନାୟକ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେବ।

Comment