ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣା ଭିତରେ ରଥଯାତ୍ରା ହେଲେ ଛେରାପହଁରା କିଏ କରିବ ତାକୁ ନେଇ ପ୍ରଶ୍ନ ଉଠିଛି।

ସମସ୍ତ ପ୍ରକାର କଳ୍ପନାଜଳ୍ପନା ଅନ୍ତଘଟାଇ ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋଭିଡ୍ ୧୯ ନିୟମ ସହିତ ଏଥର ବିନା ଭକ୍ତରେ ପାଳନ ହେବ ଘୋଷଯାତ୍ରା। ଯଦି ଏଥର ରଥଯାତ୍ରାରେ କୋଭିଡ୍-୧୯ କଟକଣା ପାଳନ କରାଯାଏ ତେବେ ରଥଯାତ୍ରାରେ ଛେରାପହଁରା ନୀତି କିଏ କରିବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ରଥ ଉପରେ ସାଧାରଣତଃ ଗଜପତି ମହାରାଜା ହିଁ ଛେରାପହଁରା କରିଥାନ୍ତି। ହେଲେ ଯଦି ଏଥର ରଥଯାତ୍ରାରେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ ତେବେ ଗଜପତି ରଥଯାତ୍ରାକୁ ଆସିପାରିବେ ନାହିଁ। ଗଜପତିଙ୍କ ବୟସ ୬୫ ବର୍ଷରୁ ଅଧିକ ଥିବା ହେତୁ ସେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଇପାରିବେ ନାହିଁ। ଏଭଳି ପରିସ୍ଥିତିରେ ତାଙ୍କ ବଦଳରେ କିଏ ଛେରାପହଁରା କରିବ ତାହା ହିଁ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ।

ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ଅନୁସାରେ, ଗଜପତିଙ୍କ ବଦଳରେ ମୁଦିରସ୍ତ ରଥ ଉପରେ ଛେରାପହଁରା ନୀତି ସମାପନ କରିପାରିବେ। ଏହାର ଦୃଷ୍ଟାନ୍ତ ମଧ୍ୟ ଚଳିତବର୍ଷର ସ୍ନାନପୂର୍ଣ୍ଣିମା ସମୟରେ ଦେଖିବାକୁ ମିଳିଥିଲା। ଗଜପତିଙ୍କ ବଦଳରେ ତାଙ୍କର ଅନୁଗତ ମୁଦିରସ୍ତ ମହାପ୍ରଭୁଙ୍କ ପାଖରେ ଛେରାପହଁରା ନୀତି କରିଥିଲେ।

ରଥ ଉପରେ ମୁଦିରସ୍ତ କରିବେ କି ଛେରାପହଁରା?

ସ୍ନାନପୂର୍ଣ୍ଣିମାରେ ଗଜପତିଙ୍କ ବଦଳରେ ମୁଦିରସ୍ତ ଛେରାପହଁରା କରିଥିଲେ। ତେଣୁ ଏଥର ରଥଯାତ୍ରାରେ ମୁଦିରସ୍ତ ହିଁ ଛେରାପହଁରା କରିବେ ବୋଲି କୁହାଯାଉଛି। ଏଭଳି ହେଲେ ଗଜପତିଙ୍କ ୧୭ ବର୍ଷୀୟ ମୁଦିରସ୍ତ ଆଦିତ୍ୟ ନାରାୟଣ ପୁଣି ଛେରାପହଁରା ନୀତି କରିପାରନ୍ତି।

ଏନେଇ ସେ ପୂର୍ବରୁ ମଧ୍ୟ ପ୍ରତିକ୍ରିୟା ରଖିସାରିଛନ୍ତି। ସ୍ନାନପୂର୍ଣ୍ଣିମା ପରେ କହିଥିଲେ ଯେ, ଯଦି ସୌଭାଗ୍ୟବଶତଃ ତାଙ୍କୁ ରଥଯାତ୍ରାରେ ତାଙ୍କୁ ଛେରାପହଁରା କରିବାକୁ କୁହାଯାଏ ତେବେ ସେ ନିଶ୍ଚିତ ଏହି ସେବାକୁ ସମାପନ କରିବେ। ଏହା ତାଙ୍କ ପାଇଁ ଏକ ସୁଯୋଗ ବୋଲି ସେ କହିଥିଲେ।

ସ୍ନାନଯାତ୍ରାରେ ମୁଦିରସ୍ତ କରିଥିଲେ ଛେରାପହଁରା

ଚଳିତବର୍ଷ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। ହେଲେ ଏଥିରେ ଗଜପତି ମହାରାଜା ଭାଗ ନେଇପାରିନଥିଲେ। ଏନେଇ ଗଜପତି ମହାରାଜା ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ। ତାଙ୍କର ବୟସ ୬୫ ବର୍ଷରୁ ଅଧିକ ଥିବା ହେତୁ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସେ ଜନଗହଳି ସ୍ଥାନକୁ ଯାଇପାରିବେ ନାହିଁ ବୋଲି କହିଥିଲେ। ତେଣୁ ତାଙ୍କ ବଦଳରେ ମୁଦିରସ୍ତ ଛେରାପହଁରା କରିଥିଲେ ବୋଲି ମହାରାଜା କହିଥିଲେ।ଣ ଏହି ମୁଦିରସ୍ତ ସେବା?

ଶ୍ରୀମନ୍ଦିର ପରମ୍ପରାରେ ମୁଦିରସ୍ତ ହେଉଛି ଏକ ବଂଶାନୁକ୍ରମିକ ସେବା। ଗଜପତି ମହାରାଜଙ୍କ ପରେ ମୁଦିରସ୍ତଙ୍କୁ ମହାପ୍ରଭୁଙ୍କ ଦ୍ୱିତୀୟ ସେବକ ବୋଲି ବିବେଚନା କରାଯାଇଥାଏ। ଗଜପତି ଯଦି କୌଣସି କାରଣରୁ ମହାପ୍ରଭୁଙ୍କ କୌଣସି ନୀତିରେ ଯୋଗ ଦେଇପାରନ୍ତି ନାହିଁ। ତାଙ୍କ ବଦଳରେ ମୁଦିରସ୍ତ ଗଜପତିଙ୍କ ପ୍ରତିନିଧି ଭାବେ ଏହି ନୀତି ସମ୍ପନ୍ନ କରିଥାନ୍ତି। ଏହି ମୁଦିରସ୍ତ ସେବା ନାବାଳକ ଅବସ୍ଥାରେ କରାଯାଇଥାଏ ।

ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା। ଯାହାକି ଆଜି ପର୍ଯ୍ୟନ୍ତ ଚାଲିଆସୁଛି।  ସେ ସମୟରେ ଗଜପତି ମହାରାଜା ବିଭିନ୍ନ ଯୁଦ୍ଧରେ ବାହାରେ ବ୍ୟସ୍ତ ରହିବା କାରଣରୁ ମହାପ୍ରଭୁଙ୍କ ନୀତିରେ ଯୋଗ ଦେଇପାରୁନଥିଲେ। ତେଣୁ ଗଜପତି ତାଙ୍କର ପ୍ରତିନିଧି ଭାବେ ଏହି ମୁଦିରସ୍ତଙ୍କୁ ନିଯୁକ୍ତ କରିଥିଲେ। ଚଳିତବର୍ଷ ଏହି କାରଣରୁ ଗଜପତିଙ୍କ ଅନୁପସ୍ଥିତିରେ ଆଦିତ୍ୟ ନାରାୟଣ ମୁଦିରସ୍ତ ଛେରାପହଁରା କରିଥିଲେ। ଏବେ ପୁଣିଥରେ ସେ ରଥ ଉପରେ ଛେରାପହଁରା ନୀତି ସମାପନ କରିବେ ବୋଲି କୁହାଯାଉଛି।

Comment