ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚୀନକୁ କଡ଼ା ଜବାବ ଦେବାକୁ ଏକଜୁଟ ହେଉଛି ଭାରତ
  • ଆତ୍ମରକ୍ଷା ପାଇଁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ଵାଧୀନତା
  • ଜରୁରୀକାଳୀନ ପାଣ୍ଠି ପାଇଁ ମଞ୍ଜୁରି
  • କଠୋର ହେଉଛି ବିଦେଶ ନୀତି

ଲଦାଖର ଗଲଓ୍ଵାନ ଘାଟିରେ  ଭାରତ-ଚୀନ ବିବାଦ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଚୀନର ଏଭଳି ବିସ୍ତାରବାଦୀ ନୀତି ବିରୋଦ୍ଧରେ ଭାରତ କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛି।

ଗତ ଜୁନ ୧୫ରେ ଭାରତୀୟ ସୀମାକୁ ପ୍ରବେଶ କରୁଥିବାବେଳେ ଭାରତୀୟ ସୈନ୍ୟ ଚୀନ୍ ସେନା ସହ କଥାବାର୍ତ୍ତା କରିବାକୁ ଚାହିଁଥିଲା। ହେଲେ ଏହି ସମୟରେ ଚୀନ୍ ସେନା ଭାରତୀୟ ସେନାକୁ ଧୋକା ଦେଇଥିଲା। ଚୀନ ସୈନ୍ୟମାନେ ଭାରତୀୟ ସୈନ୍ୟଙ୍କୁ ଆକ୍ରମଣ କରିବା ଫଳରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଗତ ସପ୍ତାହରେ ଚୀନ ବିରୋଧରେ ଅନେକ କଠୋର ନୀତି ଗ୍ରହଣ କରାଯାଇଛି। ଏଗୁଡ଼ିକ ଚୀନକୁ କଡ଼ା ଜବାବ ଦେବା ପାଇଁ ପର୍ଯ୍ୟାପ୍ତ ବୋଲି କୁହାଯାଉଛି।

ଏବେ ନାହିଁ ପ୍ରୋଟୋକୋଲ ଚିନ୍ତା, ସୈନିକଙ୍କୁ ପୂର୍ଣ୍ଣ ସ୍ଵାଧୀନତା

ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗି ରହିଛି। କିନ୍ତୁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି ଯେ, ଗମ୍ଭୀର ପରିସ୍ଥିତିରେ ବି ଉଭୟ ଦେଶ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରିବେ ନାହିଁ। ହେଲେ ଗଲଓ୍ଵାନ ସଂଘର୍ଷବେଳେ ଚୀନ ସେନା ଏହାର ଖୋଲାଖୋଲି ଉଲଙ୍ଘନ କରିଛନ୍ତି।ଚୀନ ସେନା କଣ୍ଟାଯୁକ୍ତ ହତିଆର ସାହାଯ୍ୟରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ସୈନ୍ୟ ପ୍ରୋଟୋକୋଲର ପାଳନ କରିଥିଲେ। ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିବା ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଛନ୍ତି।

ଯଦି ସୈନ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ ତେବେ ସେମାନେ ପ୍ରୋଟୋକୋଲ କଥା ଚିନ୍ତା ନ କରି ଆତ୍ମରକ୍ଷା କରିପାରିବେ ବୋଲି ସରକାର କହିଛନ୍ତି।

ଜରୁରୀକାଳୀନ ପାଇଁ ସେନାକୁ ମଞ୍ଜୁରି

ଗଲଓ୍ଵାନ ଘାଟିରେ ସଂଘର୍ଷ ପରେ ଏବେ ତିନି ଭାରତୀୟ ସେନା ସଜାଗ ରହିଛନ୍ତି। ଭାରତ-ଚୀନ ସୀମା ଏବଂ ଆଖପାଖ ଅଞ୍ଚଳରେ ଲଗାତାର ସୈନ୍ୟ ପଠାଯାଉଛି। ଏଥିସହ ବାୟୁ ସେନା ମଧ୍ୟ ଲେହ ଏୟାରବେସରେ ସତର୍କ ରହିଛି। ଏଥିପାଇଁ ସରକାରଙ୍କ ତରଫରୁ ସେନାକୁ ଜରୁରୀକାଳୀନ ପାଣ୍ଠି ଯୋଗାଇ ଦିଆଯାଇଛି। ଏହାସହିତ ଆବଶ୍ୟକ ପଡ଼ିଲେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ସେନାକୁ ସ୍ଵାଧୀନତା ଦିଆଯାଇଛି। ଏଭଳି ସ୍ଥିତିରେ ଚୀନ ସେନା ସହ ଲଢ଼ିବା ପାଇଁ ଭାରତୀୟ ସେନାବାହିନୀକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ସରକାର।

କଠୋର ବିଦେଶ ନୀତି ଆପଣାଉଛି ଭାରତ

କେବଳ ସୈନ୍ୟବାହିନୀ କ୍ଷେତ୍ରରେ ନୁହେଁ, ବିଦେଶ ନୀତି କ୍ଷେତ୍ରରେ ମଧ୍ୟ କଠୋର ହେଉଛି ଭାରତ। ଗଲଓ୍ଵାନ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଥିଲେ। ଏହାପରେ ଆମେରିକା ପକ୍ଷରୁ ଭାରତ ସପକ୍ଷରେ ଅନେକ ବୟାନ ଜାରି କରାଯାଇଛି। ଏହାସହିତ ଏହି ସଂଘର୍ଷ ପାଇଁ ଚୀନକୁ ଦାୟୀ କରିଛି ଆମେରିକା।

ଏହା ବ୍ୟତୀତ ଚୀନ ମିଡିଆରେ ପ୍ରଚାର କରାଯାଉଥିବା ମିଥ୍ୟା ଖବର ଏବଂ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଉଥିବା ମିଥ୍ୟା ଆରୋପ ବିରୋଧରେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଏହାସହ ଚୀନର ମିଛର ପର୍ଦ୍ଦାଫାଶ କରିଛି ଭାରତ।

ଏହାରି ଭିତରେ ଆଜି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ରୁଷ ଗସ୍ତ କରୁଛନ୍ତି। ସେଠାରେ ଅନ୍ୟଦେଶର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେବେ। କିନ୍ତୁ ରାଜନାଥ ଏହି ଗସ୍ତ ସମୟରେ ଚୀନର କୌଣସି ଅଧିକାରୀ କିମ୍ବା ମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ନାହିଁ। ଏହାପୂର୍ବରୁ ଭାରତ ନିଜ ପଡ଼ୋଶୀ ରାଷ୍ଟ୍ର ସମ୍ମୁଖରେ ଚୀନ ଦେଇଥିବା ଧୋକା ଉପସ୍ଥାପନ କରିସାରିଛି।ଚୀନକୁ ଜବାବ ଦେବା ପାଇଁ ଏକଜୁଟ ହେଉଛି ଭାରତ

ଏହି ସବୁ କଡ଼ା ପଦକ୍ଷେପ ବ୍ୟତୀତ ଦେଶରେ ଚୀନ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଉଛି। ଭାରତ ସରକାର ବିରୋଧୀ ଦଳଗୁଡ଼ିକ ସହ ମିଶି ଏକତା ଦେଖେଇଥିବାବେଳେ ଆର୍ଥିକ ସ୍ତରରେ ମଧ୍ୟ ଚୀନକୁ ଆଘାତ ଦେଇଛି ଭାରତ। ବିଏସଏନଏଲ- ଏମଟିଏନଏଲରେ ଏବେ କେବଳ ସ୍ଵଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଘୋଷଣା କରିଛି ଏବଂ ଭାରତୀୟ ରେଳ ବିଭାଗ ଚୀନ କମ୍ପାନୀଠାରୁ ଟେଣ୍ଡର ଫେରାଇ ନେଇଛି। ଏହା ସହିତ ସାଧାରଣ ଲୋକ ମଧ୍ୟ ଚୀନ ସାମଗ୍ରୀର ବିରୋଧ କରୁଛନ୍ତି। ଚୀନର ବିଭିନ୍ନ ଆପ୍, ଖାଦ୍ୟ ସାମଗ୍ରୀ, ମୋବାଇଲ କମ୍ପ୍ୟୁଟର ଆଦି ବୈଷୟିକ ସରଞ୍ଜାମ ବ୍ୟବହାର ନ କରିବା ପାଇଁ ସାଧାରଣ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି।

Comment