ଓଡ଼ିଶାଲାଇଭ୍ ବ୍ୟୁରୋ

Rajkishor

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ)ଖୋର୍ଦ୍ଧା : ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୨୦ବର୍ଷ ଧରି ଶୋଲଫୁଲ ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର । ରଥଯାତ୍ରା ପୂର୍ବ ଦିନ ନିଜେ ମନ୍ଦିର ପ୍ରଶାସନ ପାଖରେ ପହଂଚି ପ୍ରଶାସନର ଅନୁମତି ନେଇ ୩ରଥରେ ଶୋଲଫୁଲ ଖଞ୍ଜିଥାନ୍ତି । ତେବେ ଚଳିତ ବର୍ଷ କରୋନା କଟକଟା ଯୋଗୁ ବହୁ କଷ୍ଟରେ ଶୋଲ ବିଭିନ୍ନ ସ୍ଥାନରୁ ଯୋଗାଡ କରିଥିବା କହିଛନ୍ତି ରାଜକିଶୋର ।

ଭଳିକି ଭଳି ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ । ଏସବୁ ଫୁଲକୁ ତିଆରି କରିବାରେ ଲାଗିପଡିଥାନ୍ତି ରାଜକିଶୋରଙ୍କ ପରିବାର । ସମସ୍ତଙ୍କ ମନରେ ଥାଏ ଉତ୍କଣ୍ଠା ! କେତେବେଳେ ଆସିବ ଘୋଷଯାତ୍ରା, ଆଉ ସେମାନଙ୍କ ହାତ ତିଆରି ଫୁଲ ଲାଗି ହେବ ମହାପ୍ରଭୁଙ୍କ ରଥରେ । ୨୦୦୦ମସିହାରେ ନିଜ ହାତ ତିଆରି ଶୋଲଫୁଲ ରଥରେ ଖଞ୍ଜିବାକୁ ମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲେ । ଆଉ ମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତି ବର୍ଷ ତିନି ରଥ ପାଇଁ ନିରବଛିନ୍ନ ଶୋଲଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର ।

sola fula

ତେବେ ମହାମାରୀ କରୋନା କଟକଣା ମଧ୍ୟରେ ଶୋଲ ସଂଗ୍ରହ କରିବା ଓ ସାମାଜିକ ଦୂରତା ବଜାଇ ରହି ଏହାକୁ ସୁନ୍ଦର ସୁନ୍ଦର ଫୁଲର ରୂପ ଦେବା ପାଇଁ ଚଳିତ ବର୍ଷ ଅଧିକ ପରିଶ୍ରମ କରିବାକୁ ପଡ଼ିଛି ବୋଲି କହିଛନ୍ତି ରାଜକିଶୋର । ଅକ୍ଷୟ ତୃତୀୟା ଠାରୁ ପରିବାରର ସମସ୍ତେ ନିଷ୍ଠା ଓ ଭକ୍ତିର ସହ ଫୁଲ ତିଆରିରେ ଲାଗିପଡିଥାନ୍ତିି । ଫୁଲ ପ୍ରସ୍ତୁତି ପାଇଁ ସୋଲ କୋଣାର୍କ, ନିମାପଡ଼ା, କାକଟପୁର, ଗୋପ ଓ କଣାସ ଆଦି ଅଂଚଳରୁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଜୀବନ୍ତ ଭାବେ ଫୁଟାଇଥାନ୍ତି ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ।

sola fula

ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । କୌଣସି ରାସାୟନିକ ରଙ୍ଗ ବିନା କେବଳ ଚୁମୁକି ଓ ମୀନା ବ୍ୟବହାର କରି ଫୁଲଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି ଏହି କାରିଗରମାନେ । ତେବେ ଦାସିଆ ବାଉରୀ ଠାରୁ ପ୍ରଭୁ ଜଗନ୍ନାଥ ନଡ଼ିଆ ଗ୍ରହଣ କରିବା ଭଳି ଗୁରୁଜଙ୍ଗ ଗ୍ରାମର ଭୋଇ ପରିବାରଙ୍କ ଶୋଲଫୁଲ ଠାକୁରଙ୍କ ରଥରେ ଲାଗୁଥିବାରୁ ଗ୍ରାମବାସୀ ମଧ୍ୟ ଢେର ଗର୍ବିତ।

Comment