ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଥିବା ସୁଶାନ୍ତ ପାଢ଼ୀଙ୍କ ଘର ଉପରକୁ ଅଣ୍ଡାମାଡ଼। ସୋମବାର କିଛି ଅସାମାଜିକ ଯୁବକ ତାଙ୍କ ଘର ଉପରକୁ ଆକ୍ରମଣ କରିବା ସହିତ ଅଣ୍ଡାମାଡ଼ ଓ କାର୍ ଭଙ୍ଗାରୁଜା କରିଛନ୍ତି।
ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀଙ୍କ କହିବା ମୁତାବକ, ସୋମବାର କିଛି ଅସାମାଜିକ ଯୁବକ ପ୍ରଥମେ ତାଙ୍କ ଘର ଆଗକୁ ଆସିଥିଲେ। ତା’ପରେ ସେମାନେ ସୁଶାନ୍ତଙ୍କୁ ଘରୁ ବାହାରିବାକୁ କହିଥିଲେ। ହେଲେ ସୁଶାନ୍ତ ଘରୁ ନବାହାରିବାରୁ ସେମାନେ ତାଙ୍କ ଘରର ଗେଟ୍ ଭାଙ୍ଗିବା ସହିତ ଘର ଉପରକୁ ଅଣ୍ଡାମାଡ଼ କରିଥିଲେ। ଏହି ଅଣ୍ଡାମାଡ଼ରେ ସୁଶାନ୍ତ ରହୁଥିବା ଘର ମାଲିକଙ୍କ କାର୍ ମଧ୍ୟ ଭାଙ୍ଗିଯାଇଛି ବୋଲି ଜଣାପଡ଼ିଛି।
ଏଥିସହିତ ଏହି ଅସାମାଜିକ ଯୁବକମାନେ ପୋଲିସ୍ ସହ ମଧ୍ୟ ଠେଲାପେଲା କରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରଠାରୁ ସୁଶାନ୍ତଙ୍କ ଘର ଆଗରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୂତୟନ ହୋଇଛନ୍ତି। ହେଲେ ଏହି ଯୁବକମାନେ ପୋଲିସ ସହ ମଧ୍ୟ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି।
କରୋନା ସଙ୍କଟ ମଧ୍ୟରେ ପୁରୀରେ ରଥଯାତ୍ରା ଆୟୋଜନ ହେବାକୁ ନେଇ ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଭଳି ସମୟରେ ପୁରୀରେ ରଥଯାତ୍ରା ଆୟୋଜନ ହେଲେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ସେ କହିଥିଲେ।
ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ବିଚାର କରି ଗତ ଜୁନ୍ ୧୮ ତାରିଖରେ ରଥଯାତ୍ରା ବନ୍ଦ କରିବାକୁ ରାୟ ଶୁଣାଇଥିଲେ। ଯାହାକୁ ନେଇ କିଛି ସଙ୍ଗଠନ ସୁଶାନ୍ତଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ କରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଯଦି ସୁପ୍ରିମକୋର୍ଟ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରନ୍ତି ତେବେ ତାକୁ ସମସ୍ତେ ଶ୍ରଦ୍ଧାରେ ଗ୍ରହଣ କରିବେ ବୋଲି ସୁଶାନ୍ତ କହିଛନ୍ତି।