ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ପ୍ରସଙ୍ଗକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ କଥା ହୋଇଛନ୍ତି। ପୁରୀରେ ରଥଯାତ୍ରା ଆୟୋଜନର ପ୍ରସ୍ତୁତି କେମିତି ଚାଲିଛି ତାହା ପଚାରି ବୁଝିଥିବା ଗଜପତି ମହାରାଜା ସୂଚନା ଦେଇଛନ୍ତି।

ପରମ୍ପରା ଅନୁସାରେ ରଥଯାତ୍ରା ହେବା ଉଚିତ। ବର୍ଷ ବର୍ଷର ପରମ୍ପରା ଭଙ୍ଗ ହେବା ଠିକ୍‌ ନୁହେଁ। ଏଣୁ ଆମେ ସମସ୍ତେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଅମିତ ଶାହ ଗଜପତିଙ୍କୁ କହିଥିଲେ।

ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଯେଉଁଥିରେ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ରଥଯାତ୍ରା ଆୟୋଜନକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ ଜଣାଇଛନ୍ତି। ତେଣୁ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ଗୃହମନ୍ତ୍ରୀ ଶାହ ଗଜପତିଙ୍କ ସହ କଥା ହୋଇଛନ୍ତି।

ଅନ୍ୟପଟେ ଆଜି ସଂନ୍ଧ୍ୟାରେ ଛତିଶା ନିଯୋଗ ଓ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏହି ବୈଠକ ବସିବ ବୋଲି କୁହାଯାଉଛି।

Comment