ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୁଣ୍ଡିଚା ମନ୍ଦିରରେ ଲାଗିଲା ରଥ
  • କୋଭିଡ୍‌ କଟକଣା ଭିତରେ ରଥଯାତ୍ରା
  • ଆସିଲେନି ଭକ୍ତ, ବଡ଼ଦାଣ୍ଡ ଶୂନ୍ୟ
  • ସେବାୟତ ଟାଣିଲେ ରଥ
  • ଭୋର୍‌ ୩ଟାରୁ ନୀତିକାନ୍ତି
  • ଦିନ ୧୨ଟାରୁ ହେଲା ରଥଟଣା
  • ବୁଧବାର ଦିନ ୨ଟା ଯାଏ ପୁରୀ ଜିଲ୍ଲା ସଟ୍‌ଡାଉନ୍‌
  • ରଥ ପାଇଁ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ

ଖାଁ ଖାଁ ବଡ଼ଦାଣ୍ଡ। ଶୂନଶାନ ଶ୍ରୀକ୍ଷେତ୍ର। ପୂର୍ବ ବର୍ଷମାନଙ୍କରେ ଯେମିତି ଗହଳ ଚହଳ ଲାଗୁଥିଲା ତାହା ଏଥର ନଥିଲା। ସେହିପରି ଏଥର ରଥ ଆଗରେ ନୃତ୍ୟ, ସଙ୍ଗୀତ ଆସର ଦେଖିବାକୁ ମିଳି ନଥିଲା। କରୋନା କଟକଣା ଭିତରେ କେବଳ ପୋଲିସ ଏବଂ ସେବାୟତଙ୍କ ଗହଣରେ ତିନି ଠାକୁର ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି।

ଆଗରେ ବଡ଼ଭାଇ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରାଙ୍କ ରଥ ଗଡ଼ିବା ପରେ ପଛରେ କାଳିଆର ନନ୍ଦିଘୋଷ ରଥ ଗଡ଼ିଥିଲା। ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ଲାଗିଥିଲା। ଏପଟେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିନପାରି ଭକ୍ତ ନିରାଶ ହୋଇଛନ୍ତି। ଟିଭି ଓ ଡିଜିଟାଲ ମିଡିଆରେ ଭକ୍ତ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ଦେଖିଛନ୍ତି।

ସଅଳ ନୀତିକାନ୍ତି

କରୋନା କଟକଣା ଭିତରେ ଆଜି ପୁରୀରେ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି। ଏଥିପାଇଁ ସଅଳ ନୀତିକାନ୍ତି ହୋଇଥିଲା। ଭୋର୍‌ ୩ଟାରୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ନୀତି ଶେଷ ହେବା ପରେ ସକାଳ ୭ଟାରୁ ଏଥର ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀ ସୁଦର୍ଶନ ପହଣ୍ଡି ହୋଇ ଦର୍ପଦଳନ ରଥରେ ବିରାଜିତ ହେବା ପରେ ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦର୍ପଦଳନ ରଥରେ ଏବଂ ଜଗନ୍ନାଥ ନନ୍ଦିଘୋଷ ରଥରେ ବିରାଜିତ ହୋଇଥିଲେ।

ଗୋବର୍ଦ୍ଧନ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କରିବା ପରେ ଛେରାପହଁରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଶ୍ରୀନଅରରୁ ତାମଜାନରେ ଆସିଥିଲେ ଗଜପତି ମହାରାଜା। ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ଛେରାପହଁରା ସାରି ଶ୍ରୀନଅରକୁ ଫେରି ଆସିଥିଲେ ଗଜପତି।

ଏହାପରେ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡ଼ା ଯୋଚା ହୋଇଥିଲା। ରଥରେ ଦଉଡ଼ି ସଂଯୋଗ କରାଯିବା ପରେ ଦିନ ୧୨ଟା ବେଳକୁ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା। ବଡ଼ ଭାଇ କିଛି ବାଟ ଯିବା ପରେ ପ୍ରାୟ ୧ ଘଣ୍ଟା ପରେ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ଶେଷରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲା।

ରଥ ଟାଣିଲେ ସେବାୟତ

ପୁରୀ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇ ରଥଯାତ୍ରା ଆୟୋଜନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୁରୀ ବାହାରୁ କୌଣସି ଲୋକ ଆସିପାରି ନଥିଲେ। କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ ଟାଣିଥିଲେ। ଗୋଟିଏ ରଥକୁ ସର୍ବାଧିକ ୫୦୦ ଲୋକ ଟାଣିପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରଥ ଉପରେ ମାତ୍ର ୧୦ ଜଣ ସେବାୟତ ରହିପାରିବେ ବୋଲି କଟକଣା ଜାରି କରାଯାଇଥିଲା। ଏହି ନିୟମ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ରଥ ଉପରେ ୫୦ରୁ ଅଧିକ ସେବାୟତଙ୍କୁ ଦେଖିବାକୁ ମିଳୁଥିଲା। ହେଲେ ଏଥର ରଥ ଉପର ଫାଙ୍କା ଲାଗିଥିଲା।

ଆସିଲେନି ଭକ୍ତ

ଏଥର ପୁରୀରେ ନିଆରା ରଥଯାତ୍ରା ପାଳନ ହୋଇଛି। ଭକ୍ତ ଭାବରେ ବନ୍ଧା କାଳିଆ ସାଆନ୍ତଙ୍କ ଘୋଷଯାତ୍ରା ଏଥର ବିନା ଭକ୍ତରେ ଆୟୋଜିତ ହୋଇଛି। ରଥଯାତ୍ରା ତିଥି ଆସିବା ପୂର୍ବରୁ ପୁରୀ ଲୋକଙ୍କ ଗହଳ ଚହଳରେ ଫାଟି ପଡ଼ିଥାଏ। ସବୁ ହୋଟେଲ, ଲଜ୍‌ ଆଦିରେ ଖଚାଖଚ ଲୋକଙ୍କ ଭିଡ଼ ଲାଗେ। ଗାଡ଼ି ପାର୍କିଂର ସମସ୍ୟା ଦେଖାଦିଏ। ହେଲେ ଏଥର ସବୁ ଫାଙ୍କା। କରୋନା କଟକଣା ପାଇଁ ଜଣେ ବି ଭକ୍ତ ଆଜି ପୁରୀ ଆସିପାରି ନଥିଲେ। ଏପରିକି ପୁରୀବାସୀଙ୍କ ଉପରେ ବି ପ୍ରତିବନ୍ଧକ ଲଗାଇଥିଲା ପୋଲିସ।

ଘୋଷଯାତ୍ରାରେ ଭଜନ କୀର୍ତ୍ତନ କରି ବିଭିନ୍ନ ସ୍ଥାନରୁ ଭକ୍ତମାନେ ପୁରୀକୁ ଛୁଟି ଆସନ୍ତି। ଶ୍ରୀଗୁଣ୍ଡିଚା ରାତିରୁ ମୃଦଙ୍ଗ, ଝାଞ୍ଜରେ ବଡ଼ଦାଣ୍ଡ କମ୍ପିଥାଏ। ହେଲେ ଏଥର ସେସବୁ ବି ଦେଖିବାକୁ ମିଳି ନଥିଲା। ରଥ ଆସିଲେ ଶହ ଶହ ଘଣ୍ଟୁଆ ସେବାୟତମାନେ ପୁରୀ ଆସିଥାନ୍ତି। ଘଣ୍ଟର ତାଳେ ତାଳେ ସେମାନେ ମହାପ୍ରଭୁଙ୍କୁ ନଚାନ୍ତି। ହେଲେ ଏଥର କଟକଣା ପାଇଁ ଘଣ୍ଟୁଆଙ୍କୁ ବି ଦେଖିବାକୁ ମିଳିନି। ମାତ୍ର ଜଣେ ଦି ଜଣ ଘଣ୍ଟୁଆରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି।

କାଳିଆ ସାଆନ୍ତ ନୃତ୍ୟ ଓ ସଙ୍ଗୀତ ପ୍ରିୟ ହୋଇଥିବାରୁ ରଥଯାତ୍ରା ଦିନ ରଥ ଆଗରେ ଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥାନ୍ତି। ଏଥର କିନ୍ତୁ ବିନା ନୃତ୍ୟ, ସଙ୍ଗୀତରେ ଠାକୁର ମାଉସୀ ଘରକୁ ଯାତ୍ରା କରିଛନ୍ତି।

କମ୍‌ ସମୟରେ ବଡ଼ ପ୍ରସ୍ତୁତି

ରଥଯାତ୍ରା ପାଇଁ ଏଥର ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଛି। ସମୟ କମ୍‌ ଥିବା ବେଳେ ପ୍ରଶାସନକୁ ବଡ଼ ପ୍ରସ୍ତୁତି କରିବାକୁ ପଡ଼ିଛି। ସୁପ୍ରିମକୋର୍ଟ ଗତ ୧୮ ତାରିଖରେ କରୋନା ମହାମାରୀ ପାଇଁ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଥିଲେ। ଏହାକୁ ରାଜ୍ୟ ସରକାର ଗ୍ରହଣ କରିଥିଲେ। ରଥଯାତ୍ରା ହେବନାହିଁ ଏକପ୍ରକାର ସ୍ଥିର ହୋଇଯାଇଥିଲା। କିନ୍ତୁ ଏହାପରେ ପାଣିପାଗ ବଦଳିଥିଲା। ସୁପ୍ରିମକୋର୍ଟ ତାଙ୍କ ରାୟର ପୁନବିଃଚାର କରିବା ଲାଗି ଏକାଧିକ ଆବେଦନ ହୋଇଥିଲା। ରାଜ୍ୟ ସରକାର ରଥଯାତ୍ରା ସପକ୍ଷରେ ସାନି ପିଟିସନ ଦାଖଲ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଗଜପତି। ଶଙ୍କରାଚାର୍ଯ୍ୟ ବି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଖପ୍ପା ହୋଇଥିଲେ।

୨୨ ତାରିଖରେ ଗଣିତ ବଦଳିଥିଲା। ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଆଗରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରଥଯାତ୍ରା ସପକ୍ଷରେ ଯୁକ୍ତି କରିଥିଲେ। ବର୍ଷ ବର୍ଷର ପରମ୍ପରାକୁ ଭଙ୍ଗ କରାନଯାଉ ବୋଲି ଯୁକ୍ତି କରିଥିଲେ। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ଏହାପରେ ମାମଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠକୁ ଗଲା। ରଥଯାତ୍ରା ସପକ୍ଷରେ ବରିଷ୍ଠ ଆଇନଜୀବୀମାନେ ମତ ରଖିଲେ। ଶେଷରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ ଉଠିଲେ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ପୁରୀ ଯାଇ ସ୍ଥିତି ସମୀକ୍ଷା କଲେ। ବଡ଼ଦାଣ୍ଡରୁ ଉଠା ଦୋକାନୀମାନଙ୍କୂ ହଟାଇ ଦିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ସହ ତିନି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ। ପୁରୀ ଜିଲ୍ଲାକୁ ସଟଡାଉନ୍‌ ଘୋଷଣା କରାଯାଇ ରଥଯାତ୍ରା ଆୟୋଜନ ହେଲା।

Comment