ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ପୁରୀରେ ଆରମ୍ଭ ହୋଇଛି ବିଶ୍ଵପ୍ରସିଦ୍ଧ ଐତିହାସିକ ରଥଯାତ୍ରା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ଆଜିଠୁ ଆରମ୍ଭ ହୋଇଥିବା ଏହି ନବଦିନାତ୍ମକ ଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଲେଖିଛନ୍ତି, “ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା, ବିଶେଷକରି ଓଡ଼ିଶାରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତବୃନ୍ଦଙ୍କୁ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ୍-୧୯ ମହାମାରୀର ସାମ୍ନା କରିବା ପାଇଁ ସାହସ ଓ ଦୃଢ଼ ସଂକଳ୍ପ ପ୍ରଦାନ କରୁ ଏବଂ ଆମ ଜୀବନକୁ ଉତ୍ତମ ସ୍ଵାସ୍ଥ୍ୟ ଓ ଆନନ୍ଦରେ ଭରିଦେଉ।”

ରଥଯାତ୍ରା ପାଇଁ ଶୁଭେଚ୍ଛା ଜଣେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲେଖିଛନ୍ତି, “ ଭଗବାନ ଜଗନ୍ନାଥଙ୍କର ରଥଯାତ୍ରାର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା। ଶ୍ରଦ୍ଧା ଏବଂ ଭକ୍ତିପୂର୍ଣ୍ଣ ଏହି ଯାତ୍ରା ଦେଶବାଶୀଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଏବଂ ଆରୋଗ୍ୟ ଆଣୁ ବୋଲି ମୁଁ କାମନା କରୁଛି। ଜୟ ଜଗନ୍ନାଥ!”

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜଗନ୍ନାଥପ୍ରେମୀମାନଙ୍କୁ  ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଟୁଇଟ୍ କରି ଶୁଭେଚ୍ଛା ଜଣେଇଛନ୍ତି। ସେ ଲେଖିଛନ୍ତି, “ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସଭିଙ୍କ ପାଇଁ ଉତ୍ତମ ସ୍ଵାସ୍ଥ୍ୟ, ଆନନ୍ଦ ଏବଂ ସମୃଦ୍ଧି ଆଣିଦେଉ। ଜୟ ଜଗନ୍ନାଥ!”

କରୋନା ସଂକଟ ସମୟରେ ସଭାସମିତି ସମେତ ବଡ଼ ବଡ଼ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି କରି ରଥଯାତ୍ରା ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। କିନ୍ତୁ ବହୁ ବାଦବିବାଦ ପରେ ରାୟର ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟରେ ରବିବାର ପିଟିସନ ଦାଖଲ କରାଯାଇଥିଲା। ଗତକାଲି ପୁଣିଥରେ ଶୁଣାଣି କରି ରଥଯାତ୍ରା କରିବା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ।

Comment