ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଲକ୍ଷ ଲକ୍ଷ ମହିଳାଙ୍କୁ ଗୋରା ଏବଂ ସୁନ୍ଦରତା ପ୍ରଦାନ କରୁଛି ବୋଲି ଦାବି କରୁଥିବା ‘ଫେୟାର ଆଣ୍ଡ ଲଭଲି’ କ୍ରିମ୍ କମ୍ପାନି ନିଜର ନାଁ ବଦଳାଇଦେବ। କମ୍ପାନି ନିଜ ନାଁରୁ ‘ଫେୟାର’ ଶବ୍ଦଟି ହଟାଇବାକୁ ନିଷ୍ପତ୍ତି ନେଇଛି।

ତେବେ କମ୍ପାନି ଏଭଳି ନିଷ୍ପତ୍ତି କଣ ପାଇଁ ନେଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଗତ କିଛି ଦିନ ଧରି ଏହି ‘ଫେୟାର’ ଶବ୍ଦକୁ ନେଇ ବିବାଦ ଦେଖାଦେଇଥିଲା। କମ୍ପାନିର ଉତ୍ପାଦରେ ‘ଫେୟାର’ ଶବ୍ଦ ରହିବାକୁ ନେଇ ଅନେକ ମହିଳା ସଙ୍ଗଠନ କମ୍ପାନିର ବିରୋଧ କରିଥିଲେ।

ଏହି ମହିଳା ସଙ୍ଗଠନମାନଙ୍କର କହିବା କଥା ହେଉଛି ମହିଳାମାନଙ୍କର ସୁନ୍ଦରତା ସେମାନଙ୍କର ଗୋରାପଣକୁ ନେଇ ନିର୍ଣ୍ଣୟ କରାଯାଏ ନାହିଁ। ଜଣଙ୍କର ତ୍ୱଚାର ରଙ୍ଗ ଧଳା ହୋଇଗଲେ ତାଙ୍କୁ ସୁନ୍ଦର କୁହାଯାଇପାରିବ ନାହିଁ ବୋଲି ସେମାନେ ଦାବି କରିଛନ୍ତି। ତେଣୁ କମ୍ପାନି ତା ନାଁରୁ ଏହି ଗୋରାପଣ ଶବ୍ଦଟି ହଟାଇଦେବା ଉଚିତ୍ ବୋଲି ସେମାନେ ଦାବି କରିଥିଲେ।

ତେଣୁ ଏହାକୁ ବିଚାର କରି କମ୍ପାନି ନିଜର ନାଁ ପରିବର୍ତ୍ତନ କରିବ ବୋଲି କହିଛି। ତେବେ ଏହାର ନାଁ କଣ ରହିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନି ପକ୍ଷରୁ କୁହାଯାଇନାହିଁ।

ଫେୟାର ଆଣ୍ଡ ଲଭଲି କମ୍ପାନି ୧୯୭୫ ମସିହାରେ ପ୍ରଥମ କରି ଲଞ୍ଚ ହୋଇଥିଲା। ଏହାପରେ ଗୋରାପଣ ପାଇଁ କମ୍ପାନି ବିଭିନ୍ନ ପ୍ରକାରର ଉତ୍ପାଦ ମାର୍କେଟକୁ ଛାଡ଼ିଥିଲା। ଏବେ ବି ଅନେକ ବଲିଉଡ୍ ଅଭିନେତ୍ରୀ ଏହି କମ୍ପାନି ପାଇଁ ବିଜ୍ଞାପନ ସୁଟିଂ କରିଥାନ୍ତି।

Comment