ଓଡ଼ିଶାଲାଇଭ୍ ବ୍ୟୁରୋ

  •  କରୋନା ରୋକିବାକୁ ପ୍ରତି ୱାର୍ଡରେ ସଚେତକ କମିଟି
  • ସଚେତକ ଆପ୍ ଡାଉନଲୋଡ କରିବାକୁ ପରାମର୍ଶ
  • ବସ୍ତି ଅଞ୍ଚଳରେ ନଜର ରଖିଛି ବିଏମସି
  • ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱର ଫେରିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ବସ୍ତି ଅଞ୍ଚଳରେ କରୋନା କାୟା ମେଲିପାରେ ବୋଲି ଆଶଙ୍କା କରାଯାଉଛି। ଯାହାକୁ ଦୃଷ୍ଟିରେ ରଖି ବିଏମସି ତରଫରୁ ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।  ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରତି ୱାର୍ଡରେ ସଚେତକ କମିଟି

ରାଜଧାନୀର ପ୍ରତିଟି ୱାର୍ଡରେ କରୋନାକୁ ରୋକିବାକୁ ସଚେତକ କମିଟି ଗଠନ କରାଯାଇଛି। ଏହି ସଚେତକ କମିଟିରେ ୨୫ ଜଣ କର୍ମୀଙ୍କୁ ନିଯୁକ୍ତ କରାଯାଇଛି। ତା’ସହିତ ସ୍ଥାନୀୟ ଅଞ୍ଚଳର ୫  ଜଣ ବରିଷ୍ଠ ଲୋକ ଏବଂ ଭଲ୍ୟୁଣ୍ଟରମାନଙ୍କୁ ମଧ୍ୟ ଏହି କମିଟିରେ ରଖାଯାଇଛି। ଏହି ସଚେତକ କମିଟି କରୋନା ନେଇ ଲୋକମାନଙ୍କ ସଚେତନ କରିବା ସହିତ ସରକାରଙ୍କ ପ୍ରତିଟି ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରିବ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

ଡାଉନଲୋଡ୍ କରନ୍ତୁ ସଚେତକ ଆପ୍

ଏଥିସହିତ ରାଜଧାନୀର ସମସ୍ତ ଲୋକଙ୍କୁ ସରକାରଙ୍କ ସଚେତକ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ଆପ୍ ଜରିଆରେ ଲୋକମାନଙ୍କୁ ସଚେତନ କରାଯିବା ସହିତ ସେମାନଙ୍କ ପାଖରେ କରୋନାର ପ୍ରତିଟି ବିବରଣୀ ଦିଆଯିବ ବୋଲି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଆପକୁ ଜରିଆରେ ଲୋକମାନେ ନିଜକୁ କରୋନାଠୁ ଦୂରେଇ ରଖିପାରିବେ ବୋଲି କୁହାଯାଇଛି।

ବସ୍ତି ଅଞ୍ଚଳରେ ରହିଛି ନଜର

ରାଜଧାନୀର ୩୩ ପ୍ରତିଶତ ଲୋକ ବସ୍ତି ଅଞ୍ଚଳରେ ବସବାସ କରୁଛନ୍ତି। ଏହି ଲୋକମାନଙ୍କ ପାଖରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ବହୁତ ରହିଛି। ତେଣୁ ରାଜଧାନୀର ବିଭିନ୍ନ ବସ୍ତି ଉପରେ ବିଏମସି କର୍ତ୍ତୁପକ୍ଷ ନଜର ରଖିଥିବା କମିସନର ସୂଚନା ଦେଇଛନ୍ତି। ବିଶେଷକରି ସୁବାସ ନଗର ଓ ସାଲିଆ ସାହିରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବା ସହିତ ନମୁନା ପରୀକ୍ଷା ବୃଦ୍ଧି ପାଇଛି ବୋଲି କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ସୁବାସ ନଗରରେ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଠାରେ ୬ ରାଉଣ୍ଡ ସର୍ଭେଲାନ୍ସ କରାଯାଇଛି। ତା ସହିତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯିବା ସହିତ ସନ୍ଦିଗ୍ଧମାନଙ୍କର ନମୁନା ପରୀକ୍ଷା କରାଯାଉଛି।ସେହିପରି ସାଲିଆସାହିରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୪ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ତେଣୁ ସେଠାକାର ଶହେ ପରିବାରକୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହିତ ସାଲିଆସାହିର ମୋଟ ୪୫୭ ଜଣ ଲୋକଙ୍କର ନମୁନା ପରୀକ୍ଷା ହୋଇଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

ହଟସ୍ପଟ୍ ଜିଲ୍ଲାରୁ ଫେରିଲେ କ୍ୱାରେଣ୍ଟାଇନ୍

ଏଣିକି ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱର ଫେରିଲେ ଲୋକମାନେ କ୍ୱାରେଣ୍ଟାଇନରେ ରହିବେ। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଲୋକମାନେ ସରକାରଙ୍କ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି। ପୂର୍ବରୁ କେବଳ ଅନ୍ୟ ରାଜ୍ୟରେ ଫେରିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ୁଥିଲା। ହେଲେ ରାଜଧାନୀରେ କରୋନା ସ୍ଥିତିକୁ ଦେଖି ବିଏମସି ଏଭଳି ପଦକ୍ଷେପ ନେଇଛି।

ଭୁବନେଶ୍ୱରର କରୋନା ଅପଡେଟ୍

ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ମୋଟ ୨୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୮ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୩୨ ଜଣ ସକ୍ରିୟ ଅଛନ୍ତି। କେବଳ ଆଜି ଭୁବନେଶ୍ୱରରୁ ୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ବିଏମସି ଟୁଇଟ କରି ସୂଚନା ଦେଇଛନ୍ତି।

Comment