ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ
  • ଏଥରର ପ୍ରସଙ୍ଗ କୋଭିଡ୍ ସମୟରେ ପିଲାମାନଙ୍କ ପୋଷଣ ଓ ଟୀକାକରଣ 
  • ୟୁନିସେଫ୍‌ ହେଲ୍‌ଥ ସ୍ପେଶାଲିଷ୍ଟ, ନ୍ୟୁଟ୍ରିସନ୍ ସ୍ପେଶାଲିଷ୍ଟଙ୍କ ପରାମର୍ଶ

କୋଭିଡ୍‌-୧୯ ମହାମାରୀକୁ ସାମ୍ନା କରିବା ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହି ମହାମାରୀ ଓଡ଼ିଶାରେ ଯେବେଠୁ ପାଦ ଦେଲାଣି ସେବେଠୁ ରାଜ୍ୟ ସରକାର ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କୁ ସଚେତନ କରିବାଠୁ ଆରମ୍ଭ କରି ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଜଟିଳ ମହାମାରୀକୁ ମୁକାବିଲା କରିବା ସମୟରେ ଛୋଟ ପିଲାମାନଙ୍କର ପୋଷଣ ଓ ଟୀକାକରଣ କିପରି ଭାବେ ଠିକ୍ ଭାବେ ହୋଇପାରିବ ତାହା ଏଥରର ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ସ୍ଥାନ ପାଇଛି।

ଜୁନ୍‌ ୨୮ ତାରିଖ, ରବିବାର ସକାଳ ସାଢ଼େ ୧୦ଟାରେ ରେଡିଓ ଧାରାବାହିକ ‘କେତେ ନୂଆବାଟ’ର ପଞ୍ଚମ ସଂସ୍କରଣ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେବ। ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି।ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଏବଂ ହେଲୋ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ ହେବ।

‘କେତେ ନୂଆ ବାଟ’ର ପଞ୍ଚମ ଅଧ୍ୟାୟରେ ଯେଉଁମାନଙ୍କର ଆଲୋଚନା ଓ ମତାମତ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ୟୁନିସେଫ୍‌ ଓଡ଼ିଶାର ହେଲ୍‌ଥ ସ୍ପେଶାଲିଷ୍ଟ ଡାକ୍ତର ମୀନା ସୋମ୍‌, ୟୁନିସେଫ୍‌ ଓଡ଼ିଶାର ନ୍ୟୁଟ୍ରିସନ୍ ସ୍ପେଶାଲିଷ୍ଟ ସୌରଭ ଭଟ୍ଟାଚାର୍ଯ୍ୟୀ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଅନୁରାଧା ବିଶ୍ୱାଳ, ଅନୁଗୁଳ ଜିଲ୍ଲାର ପୋଷଣ ସଖୀ ବିନିତା ସାହୁ,ରାୟଗଡ଼ା ଜିଲ୍ଲାର ଏଏନ୍ଏମ୍ କର୍ମୀ ରାଜେଶ୍ୱରୀ ମାଝୀ, କୋରାପୁଟ ଜିଲ୍ଲାର ଜଣେ ଅଙ୍ଗନୱାଡ଼ି ଦିଦି ସୁଶୀଳା ନାଗ ଏବଂ କୋରାପୁଟ ଜିଲ୍ଲା ମାଝରା ଗାଁ’ର ଅଙ୍ଗନୱାଡ଼ି ଦିଦି କୁନି ବେହେରା।ଗୋଟିଏ ଶିଶୁ ବହୁତ ସମୟ ଧରି ପୁଷ୍ଟିସାର ଖାଦ୍ୟ ପାଇବାରୁ ବଞ୍ଚିତ ହେଲେ କୁପୋଷଣର ଶିକାର ହୋଇଥାଏ। ଲକଡାଉନ୍ ସମୟରେ ଏହି ସେବା ନପାଇଲେ ପିଲାମାନଙ୍କ ମଧ୍ୟରେ ଗେଡ଼ାପଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ପିଲାମାନଙ୍କୁ ଏଥିରୁ ମୁକ୍ତ ରଖିବାକୁ ଅଙ୍ଗନୱାଡ଼ି ଦିଦି ଓ ଆଶା କର୍ମୀମାନେ କିଭଳି କାମ କରୁଛନ୍ତି ସେନେଇ ୟୁନିସେଫ୍‌ ଓଡ଼ିଶାର ନ୍ୟୁଟ୍ରିସନ୍ ସ୍ପେଶାଲିଷ୍ଟ ସୌରଭ ଭଟ୍ଟାଚାର୍ଯ୍ୟୀ ଏଥରର ରେଡ଼ିଓ ଧାରାବାହିକରେ କହିବେ।

ପିଲାମାନଙ୍କ ବିକାଶ ପାଇଁ ସଠିକ୍ ପୋଷଣ ଯେତିକି ଜରୁରୀ ଟୀକାକରଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କୋଭିଡ୍ ଭୟରେ କିଛି ମାଆମାନେ ପିଲାମାନଙ୍କୁ ନେଇ ଟୀକାକେନ୍ଦ୍ରକୁ ଆସିବାକୁ ସଙ୍କୋଚ କରୁଛନ୍ତି। ଫଳରେ ଜୀବନ ରକ୍ଷାକାରୀ ଟୀକା ନେବାରୁ ଛୋଟଛୋଟ ପିଲା ବଞ୍ଚିତ ହେଉଛନ୍ତି। ଏହି ସମୟରେ ଟୀକାକରଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେବେ ୟୁନିସେଫ୍‌ ଓଡ଼ିଶାର ହେଲ୍‌ଥ ସ୍ପେଶାଲିଷ୍ଟ ଡାକ୍ତର ମୀନା ସୋମ୍‌।ସେହିପରି ରାୟଗଡ଼ା ଡାଲିଆକୁଜିରେ ଏଏନ୍ଏମ୍ କର୍ମୀ ଭାବେ କାର୍ଯ୍ୟ କରୁଥିବା ରାଜେଶ୍ୱରୀ ମାଝୀ ଏଥରର ରେଡ଼ିଓ ଧାରାବାହିକରେ ନିଜର ଅନୁଭୂତି ବାଣ୍ଟିବେ। କରୋନା କଟକଣାକୁ ମାନି ସେ କିଭଳି ଭାବେ ତାଙ୍କ ଅଞ୍ଚଳରେ ଟୀକାକରଣ କରୁଛନ୍ତି ସେନେଇ କହିବେ। ଘର ଲୋକଙ୍କ ବାରଣ ସତ୍ତ୍ୱେ ସେ କିଭଳି ଭାବେ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି ତାହା ବର୍ଣ୍ଣନା କରିବେ।

ଶିଶୁର ବିକାଶ ତାର ମାଆ ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ଏଥିପାଇଁ ଗର୍ଭବତୀ ମହିଳା ଓ ଛୋଟ ଛୋଟ ପିଲାମାନଙ୍କର ଟୀକାକରଣ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ କୋଭିଡ୍ ପରିସ୍ଥିତିରେ ମଧ୍ୟ ସମସ୍ତେ ଟୀକାକରଣ କରନ୍ତୁ ବୋଲି ଏହି ରେଡ଼ିଓ ଧାରାବାହିକରେ ମତ ରଖିବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଅନୁରାଧା ବିଶ୍ୱାଳ।କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ସୁଜାତା ପଟ୍ଟନାୟକ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେବ।

Comment