ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ମହାରାଜା ତଥା ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମହାନ ସଂରକ୍ଷକ ବୀର ବିକ୍ରମ ଦେବ ବର୍ମାଙ୍କର ପୂଣ୍ୟ ଜନ୍ମ ଜୟନ୍ତୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳି।

ପିତା ହରେକୃଷ୍ଣ ଦେବ ଓ ମାତା ରେଖା ଦେବୀଙ୍କଠାରୁ ୧୮୬୯ ମସିହା ଜୁନ୍‌ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିକ୍ରମଦେବ ବର୍ମା। ପିଲାବେଳୁ ସେ ପିତା, ମାତାଙ୍କୁ ହରାଇଥିଲେ। ତାଙ୍କ ସ୍କୁଲ ଶିକ୍ଷା ପରେ ସେ ୧୮୮୫ ମସିହାରେ ବାଶାଖାପାଟଣା କଲେଜରେ ଯୋଗ ଦେଇଥିଲେ। ସେହି ବର୍ଷ ସେ ବିଶାଖାପାଟଣାରେ ଉତ୍କଳ ସମାଜ ଗଠନ କରିଥିଲେ।

“ଉଭୟ ତେଲଗୁ ଭାଷା ଓ ଓଡ଼ିଆ ଭାଷାରେ ବୀର ବିକ୍ରମଦେବ ବର୍ମାଙ୍କ ପାଣ୍ଡିତ୍ୟ ରହିଥିଲା। ତେଲଗୁ ଭାଷାରେ ସେ ଅନେକ ସାହିତ୍ୟ ଓ କାବ୍ୟ ରଚନା କରିଛନ୍ତି। ଏଥିପାଇଁ ତାଙ୍କ ପାଠ୍ୟକ୍ରମକୁ ଆନ୍ଧ୍ର ବିଶ୍ଵବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରାଯାଉଛି। ଓଡିଆ ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ଅନେକ ଅବଦନା ରହିଛି” କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କଥା ମନେ ପଡ଼ିଲେ ଜୟପୁର ମହାରାଜା ବିକ୍ରମ ଦେବ ବର୍ମାଙ୍କ ଅବଦାନ କଥା ମଧ୍ୟ ମନେପଡ଼ିଥାଏ। ତାଙ୍କ ଜୀବନର ୬୫ ବର୍ଷ ସେ କେବଳ ଓଡ଼ିଆ ଭାଷା, ସାହିତ୍ୟ ଓ ସ୍ଵତନ୍ତ୍ର ଉତ୍କଳ ପାଇଁ ଉତ୍ସର୍ଗ କରିଥିଲେ।

ହରିହର ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ସୁଲକ୍ଷଣା, ଲଳିତା ସହ ବହୁ କାବ୍ୟ ସହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ରତ୍ନ ଦେଇଥିଲେ। ତାଙ୍କୁ କେବଳ ସାହିତ୍ୟିକ କହିଲେ ହେବନି, ସେ ଜଣେ ରାଷ୍ଟ୍ର ପ୍ରେମୀ ମଧ୍ୟ ଥିଲେ। ଓଡ଼ିଶା ପ୍ରଦେଶ ଗଠନ ଓ ଅବିଭକ୍ତ କୋରାପୁଟ ଗଠନରେ ତାଙ୍କ ଅବଦାନ ରହିଥିଲା।

ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସାହିତ୍ୟ ସମ୍ମିଳନୀର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଉତ୍କଳ ସାହିତ୍ୟ ସମ୍ମିଳନୀର ପୁରୋଧା ଥିଲେ ଉତ୍ସଳ ଗୌରବ ମଧୂସୁଦନ ଦାସ ଏବଂ ରାଜା ବିକ୍ରମ ଦେବ ବର୍ମା। ଏମାନଙ୍କ ଆନ୍ଦୋଳନ ଓ ପ୍ରୟାସ ଯୋଗୁଁ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ବୋଲି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ବିଶାଖାପାଟଣାରେ ସେ ଓଡ଼ିଆମାନଙ୍କୁ ଏକାଠୀ କରି ସଭାସମିତି, ନାଟକ ଓ ଅନ୍ୟାନ୍ୟ  କାର୍ଯ୍ୟକ୍ରମ ଦ୍ଵାରା ଓଡ଼ିଆ ଆଚାର ବ୍ୟବହାର ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସେ ସେଠାରେ ୧୯୩୧ ମସିହା ପର୍ଯ୍ୟନ୍ତ ରହିଥିଲେ।

ରାଜା ବିକ୍ରମ ଦେବ ବର୍ମା ତାଙ୍କ ଜୀବନର ଅଧିକାଂଶ ସମୟ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ କଟାଇଥିଲା। କିନ୍ତୁ ତାଙ୍କ ମନ, ପ୍ରାଣ ଓ ହୃଦୟ ଓଡ଼ିଶା ପାଇଁ କାର୍ଯ୍ୟ କରି ଆସୁଥିଲା। ତାଙ୍କ ଏକାଗ୍ର ନିଷ୍ଠା ଯୋଗୁଁ ସେ ଏକା ଧାରାରେ ଓଡ଼ିଆ, ତେଲଗୁ ଓ ସଂସ୍କୃତ ଭାଷାରେ ପାରଦର୍ଶିତା ଲାଭ କରିଥିଲେ। ସେ ଥିଲେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସମନ୍ଵୟର ବାର୍ତ୍ତା ବାହକ ବୋଲି କହିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ପ୍ରକାଶ ସେନାପତି।

ବିକ୍ରମ ଦେବ ବର୍ମା ଜୟପୁର ଜମିଦାରୀ ପରିବାରର ଶେଷ ରାଜା ହିସାବରେ ଯେତିକି ପରିଚିତ ନୁହନ୍ତି ତା’ଠାରୁ ଅଧିକ ସେ ଜଣେ ସାହିତ୍ୟିକ ଓ ରାଷ୍ଟ୍ରପ୍ରେମୀ ଭାବେ ପରିଚିତ ଥିଲେ। ସ୍ଵତନ୍ତ୍ର ପ୍ରଦେଶ ଗଠନ ଓ ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣରେ ସେ ଯୋଗ ଦେଇଥିଲେ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ସୁଶାନ୍ତ କୁମାର ନାୟକ।

ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ କହିଛନ୍ତି ଯେ ବିକ୍ରମ ଦେବ ବର୍ମା ଏକାଧାରାରେ ଜଣେ କବି, ନାଟ୍ୟକାର, ଗବେଷକ, ସଂସ୍କୃତବିତ୍‌ ଓ ମହାନ ସାହିତ୍ୟିକ ଥିଲେ। ଓଡ଼ିଆ, ତେଲୁଗୁ ଓ ସଂସ୍କୃତ ଭାଷାରେ ସେ ଥିଲେ ଜଣେ ବିଶିଷ୍ଟ ବିଦ୍ଵାନ।

Comment