ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। ଆଜି ଏହାର ପ୍ରତିବାଦରେ ଦେଶର ବିଭିନ୍ନ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମଧ୍ୟ କଂଗ୍ରେସ ପକ୍ଷରୁ ତେଲ ଦର ବୃଦ୍ଧିକୁ ପ୍ରତିବାଦ କରାଯାଇଛି। ଏନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ନେତାମାନେ ଧାରଣାରେ ବସିଛନ୍ତି।

“ରାଜ୍ୟ ସରକାର ଭାଟ୍ ବଢ଼ାଇଦେଲେ। କେନ୍ଦ୍ର ସରକାର ମଧ୍ୟ ସେଣ୍ଟ୍ରାଲ ଏକ୍ସାଇଜ୍ ବଢ଼ାଇଦେଲେ। ଯେଉଁ କାରଣରୁ ଆଜି ତେଲ ଦର ଆକାଶ ଛୁଇଁଛି। ଏମିତି ହେଲେ ଏ ଦେଶ କେମିତି ରହିବ, ଲୋକମାନେ କେମିତି ବଞ୍ଚିବେ”, କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

କରୋନା ପାଇଁ ସବୁ କିଛି ବନ୍ଦ ଅଛି। ଏଭଳି ସମୟରେ ତେଲ ଦର ବଢ଼ିବା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ତେଣୁ ଏହାର ପ୍ରତିବାଦ କରାଯାଉଛି। ଆଗକୁ ଏହା ପ୍ରତି ବ୍ଲକ, ପ୍ରତି ଗାଁରେ ହେବ ବୋଲି କଂଗ୍ରେସ ଦାବି କରିଛି।

ଗତ ୨୧ ଦିନ ଭିତରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଘଟୁଛି। ଡିଜେଲ ଦର ଲିଟର ପ୍ରତି ପ୍ରାୟ ୧୧ ଟଙ୍କା ବଢ଼ିଥିବାବେଳେ ପେଟ୍ରୋଲ ଦର ପାଖାପାଖି ୯ ଟଙ୍କା ବଢ଼ିଛି। ଯାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଏହି ପ୍ରତିବାଦ ଆରମ୍ଭ କରିବାକୁ ଆହ୍ୱାନ ଦିଆଯାଇଛି।

Comment