ଓଡିଶାଲାଇଭ ବ୍ୟୁରୋ

ଜୁଲାଇ ୧ରୁ ରାଜ୍ୟ ସରକାର କ’ଣ ନୂଆ ନିୟମ ଆଣିବେ?

ଆସନ୍ତାକାଲି ଜୁନ୍‌ ୩୦। ଅନଲକ୍‌-୧ ପ୍ରକ୍ରିୟାରେ ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ଯେଉଁ କଟକଣା ଜାରି କରିଥିଲେ ତାହା ଆସନ୍ତାକାଲି ଶେଷ ହେବ। କଟକଣା ଜୁଲାଇ ୧ରୁ ପୁଣି ବଢ଼ିବ ନା କୋହଳ ହେବ ତାକୁନେଇ ସବୁଠି ଚର୍ଚ୍ଚା ଚାଲିଛି। କରୋନା ଏବେ ନିୟନ୍ତ୍ରଣ ହୋଇ ନଥିବାରୁ ଜୁନ୍‌ ମାସଠୁ କଟକଣା ଆହୁରି କଡ଼ାକଡ଼ି ହୋଇପାରେ ବୋଲି କୁହାଯାଉଛି।

ମେ’ ୩୧ ଯାଏଁ ସାରା ଦେଶ ଲକ୍‌ଡାଉନ୍‌ ରହିଥିଲା। ଜୁନ୍‌ ପହିଲାରୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ହଟାଇ ଅନଲକ୍‌-୧ ଲାଗୁ କରିଥିଲେ। ଏହି ପ୍ରକ୍ରିୟାରେ କଟକଣା କୋହଳ କରାଯାଇଥିଲା। ବସ୍‌ ଚାଲିବାକୁ ଅନୁମତି ମିଳିବା ସହ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲକୁ ଯିବା ପାଇଁ ପ୍ରତିବନ୍ଧକ ହଟିଥିଲା। ମନ୍ଦିରଗୁଡ଼ିକରୁ ତାଲା ଖୋଲିଥିଲା। ହେଲେ ରାଜ୍ୟ ସରକାର ଓଡ଼ିଶାରେ କରୋନା ନିୟନ୍ତ୍ରଣ କରିବା ପାଇଁ ଜୁନ୍‌ ୧ରୁ ୩୦ ଯାଏଁ କଟକଣା କଡ଼ାକଡ଼ି କରିଥିଲେ।

୧୧ ଜିଲ୍ଲାରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିବା ସହ ରାତି କର୍ଫ୍ୟୁକୁ ପୂର୍ବଭଳି ବଳବତ୍ତର ରଖିଥିଲେ। ମନ୍ଦିରଗୁଡ଼ିକରୁ ତାଲା ଖୋଲି ନଥିଲା। ମଲ୍‌, ଜିମ୍‌, ସିନେମା ହଲ୍‌, ପାର୍କ ଆଦି ବନ୍ଦ ରଖିଥିଲେ। ସଟ୍‌ଡରଉନ୍‌ ଦିନ ବିଭିନ୍ନ ପ୍ରମୁଖ ଛକରେ ନାକାବନ୍ଦୀ କରି ପୋଲିସ ଚେକିଂ କରିଥିଲା। ଏହି ନିୟମ ଆସନ୍ତାକାଲି ଶେଷ ହେଉଛି। ଜୁଲାଇ ୧ରୁ ରାଜ୍ୟ ସରକାର କ’ଣ ନୂଆ ନିୟମ ଆଣୁଛନ୍ତି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ଜୁନ୍‌ ମାସରେ ସଟ୍‌ଡାଉନ୍‌, ରାତି କର୍ଫ୍ୟୁ ସତ୍ତ୍ୱେ ରାଜ୍ୟରେ ସ୍ଥିତି ବେହାଲ ହୋଇଯାଇଛି। ବର୍ତ୍ତମାନସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ରେ ପହଞ୍ଚିଛି। ବିଶେଷକରି ଏହି ଜୁନ୍‌ ମାସରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବର୍ତ୍ତମାନର ରିପୋର୍ଟ ଅନୁସାରେ ରାଜ୍ୟରେ ୫ଟି ଜିଲ୍ଲା ଏବେ ଶୀର୍ଷରେ ରହିଛି। ଗଞ୍ଜାମ, ଗଜପତି, କଟକ, ଖୋର୍ଦ୍ଧା, ବାଲେଶ୍ୱର ଏବଂ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଛି। ଅନ୍ୟ ଜିଲ୍ଲାମାନଙ୍କ ସ୍ଥିତି ବି ଭଲ ନାହିଁ। କରୋନା ଯୋଦ୍ଧାମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ମାସରେ କରୋନା କଟକଣା କଡ଼ାକଡ଼ି କରିପାରନ୍ତି।

ଜୁଲାଇ ମାସରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେବ ବୋଲି ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ନିକଟରେ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସଚେତନ କରିଥିଲେ। ଏଣୁ ରାଜ୍ୟ ସରକାର କଟକଣା କୋହଳ କରିବାର ପ୍ରଶ୍ନ ଉଠୁନି ବୋଲି ଆଲୋଚନା ହେଉଛି।

ଇତିମଧ୍ୟରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି। ନିଜ ରାଜ୍ୟର ସ୍ଥିତି ଦେଖି ସେମାନେ କହି କଟକଣା ବଢ଼ାଇଛନ୍ତି। ଓଡ଼ିଶାରେ ବି ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଛି। ଗତ ମାସରେ ୧୭ ଥିବା ମୃତ୍ୟୁ ସଂଖ୍ୟା ଏବେ ୨୩ରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ଏବଂ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି କଟକଣା ବଢ଼ାଇ ପାରନ୍ତି।

Comment