ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ‘ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ ସମ୍ପର୍କରେ ୱେବିନାର।

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସବୁଠୁ ବେଶୀ ଗୁରୁତ୍ୱ ଦିଆଯାଉଛି। ନୂତନ ଉଦ୍ୟୋଗ ସୃଷ୍ଟି କରିବା ସହ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦିଆଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଭରପୂର ଅର୍ଥ ବ୍ୟୟ ବରାଦ କରାଯାଇଛି। ଓଡ଼ିଶା ଭଳି ରାଜ୍ୟ ପାଇଁ ଏଥିରେ ଯଥେଷ୍ଟ ସୁଯୋଗ ରହିଛି। ଓଡ଼ିଶାରେ ସୁଦୃଢ଼ ଭିତ୍ତିଭୂମି,କଞ୍ଚାମାଲ, ବଜାର, ମାନବ ସମ୍ବଳର ଅଭାବ ନାହିଁ। ଏସବୁର ଲାଭ ଉଠାଇ ଆମକୁ ଅନେକ ସଂଖ୍ୟାରେ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡିବ”, ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ‘ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ ଆର୍ଥିକ ପ୍ୟାକେଜ ଏବଂ ସୁଯୋଗ’ ସମ୍ପର୍କରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ୱେବିନାରର ପ୍ରାରମ୍ଭରେ ଓଡ଼ିଆ ସମାଜର ଟ୍ରଷ୍ଟି ସନ୍ଦୀପ ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତ ସରକାରଙ୍କ ଦ୍ୱାରା ‘ଆତ୍ମନିର୍ଭର ଭାରତ’ ଅଭିଯାନରେ ବେଶ୍ ଗୁରୁତ୍ୱ ବହନ କରୁଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ନିମନ୍ତେ କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା କରୋନା ମହାମାରୀ କାରଣରୁ ଉପୁଜିଥିବା ଆର୍ଥିକ ପରିସ୍ଥିତି ସହ ଲଢ଼େଇ କରୁଥିବା ସମଗ୍ର ଦେଶର ୪୫ଲକ୍ଷ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଉପକୃତ ହୋଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନ କିପରି ସାକାର ହେବ ଓ ଆର୍ଥିକ ପ୍ୟାକେଜର ସଫଳ ରୂପାୟନ ନେଇ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏହି ୱେବିନାରର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।ୱେବିନାରରେ ଅଧ୍ୟକ୍ଷତା କରି ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା କହିଥିଲେ,“ ଓଡିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। କୃଷି,ପଶୁପାଳନ, ଖଣି, ଖାଦ୍ୟପ୍ରକିୟାକରଣରେ କ୍ଷେତ୍ରରେ ବିନିଯୋଗ କରାଯାଇପାରିବ। ବିନା କାଗଜପତ୍ରରେ ସରଳ ଭାବେ ସରକାରଙ୍କ ପକ୍ଷରୁ ଋଣ ଦିଆଯାଉଛି। କୋଭିଡ୍‌–୧୯ ସମୟରେ ଭାଙ୍ଗିଯାଇଥିବା ମେରୁଦଣ୍ଡକୁ ଅର୍ଥ ମନ୍ତ୍ରାଳୟର ପ୍ୟାକେଜ ଜୀବନ୍ୟାସ ଦେବ।”

ୱେବିନାରରେ ବକ୍ତା ଭାବେ ଯୋଗ ଦେଇ ଏମ୍‌ଏସ୍‌ଏମ୍‌ଇ ବିଭାଗର ପୂର୍ବତନ ସଚିବ ଆଇଏଏସ୍ ଡକ୍ଟର ଅରୁଣ କୁମାର ପଣ୍ଡା କହିଥିଲେ, ଓଡିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଏବେ ଭରପୂର ସୁଯୋଗ ରହିଛି। ଅନେକ ଶିଳ୍ପକୁ ସରକାରଙ୍କ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ଅନୁମୋଦନ ମିଳୁଛି । ଆରବିଆଇ ମଧ୍ୟ ରେପୋ ରେଟ କମାଇ ସାରିଛନ୍ତି। ଏଥିସହ ଗ୍ରାମୀଣ କୃଷି ପରି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଏମ୍‌ଏସ୍‌ଏମଇ ମାଧ୍ୟମରେ ବିଭିନ୍ନ ଯୋଜନାରେ ୠଣ ଦିଆଯାଉଛି। କିନ୍ତୁ ଅନେକ ଯୋଜନା ବିଷୟରେ ଲୋକଙ୍କୁ ଜଣାନାହିଁ। ତେଣୁ ସରକାରଙ୍କ ଯୋଜନାର ଫାଇଦା ନେବାକୁ ଏମ୍‌ଏସ୍‌ଏମ୍‌ଇ ସମ୍ବନ୍ଧ ପୋର୍ଟାଲକୁ ଅନୁସରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ୫୦୦ କୋଟିରୁ ଅଧିକ ବ୍ୟବସାୟ ଥିବା ଏମ୍‌ଏସ୍‌ଏମ୍‌ଇଗୁଡିକ ଟ୍ରେଡ୍ ପ୍ଲାଟଫର୍ମ ଅଧିନରେ ଅଧିକୃତ ହେଉଛନ୍ତି।

ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ, ରାଜ୍ୟରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, କେମିକାଲ୍ସ ଓ ପ୍ଲାଷ୍ଟିକ୍‌, ଟେକ୍ସଟାଇଲ୍‌, ଆଇଟି, ପର୍ଯ୍ୟଟନ ଏବଂ ଆନୁସଙ୍ଗିକ ଓ ଡାଉନଷ୍ଟିମ୍ ଶିଳ୍ପ କ୍ଷେତ୍ରକୁ ମୁଖ୍ୟତଃ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ ଭାରତ’ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟର ଭିତିଭୂମି ସହ ଗମନାଗମନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଛି, ଯାହା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଲାଭ ଦେବ। ଏଥିରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି।

ଓଡ଼ିଶା ସରକାରଙ୍କ ଇଡ୍‌କୋ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧ୍ୟକ୍ଷ ସଞ୍ଜୟ ସିଂ କହିଥିଲେ, ରାଜ୍ୟରେ ଏବେ ୫ଟି ଏମ୍‌ଏସ୍‌ଏମ୍‌ଇ ପାର୍କର କାମ ଚାଲିଛି, ଆଗାମୀ ଦିନରେ ୩୦ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ୩୦ ପାର୍କ ନିର୍ମାଣ ହେବ। ଭବାନୀପାଟଣା, ବ୍ରହ୍ମପୁର, କେନ୍ଦୁଝର ଓ ରାଉରକେଲାରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ସୁବିଧା କରାଯିବ। ଏଥିସହ ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ସୁଯୋଗ ଦିଆଯିବ ବୋଲି ସେ କହିଥିଲେ।ୟୁନାଟେଡ଼ ବ୍ୟାଙ୍କ ଅଫ୍ ଇଣ୍ଡିଆ, କୋଲକାତାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ପ୍ରଧାନ ବକ୍ତା ଭାବେ ଯୋଗ ଦେଇ କହିଥିଲେ, ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ଏହି ପ୍ୟାକେଜ ନୂତନ ସୁଯୋଗ ଆଣିଦେବ। ମୂଲ୍ୟଯୋଗ ଉତ୍ପାଦରେ ଆମକୁ ଆହୁରି ବିକଶିତ କରିବାକୁ ପଡିବ। ବ୍ୟାଙ୍କଗୁଡିକ ଠିକ୍ ସମୟରେ ଅଧିକରୁ ଅଧିକ ଋଣ ପ୍ରଦାନ କରିବା ଦରକାର ବୋଲି ସେ କହିଥିଲେ।

ଆଲୋଚନା ଆରମ୍ଭ ପୂର୍ବରୁ ରତ୍ନାକର ପାଣିଗ୍ରାହୀ ଓଡିଶାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଆ ସମାଜର ଟ୍ରଷ୍ଟି ସନ୍ଦୀପ ମହାପାତ୍ର ସମ୍ପର୍ଣ୍ଣ ୱେବିନାରକୁ ପରିଚାଳନା କରିଥିବା ବେଳେ ଶେଷରେ ଓଡିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୱେବିନାରରେ ୧୦୦୦ରୁ ଅଧିକ ଉଦ୍ୟୋଗୀଙ୍କ ସମେତ ପାରଦୀପ ବନ୍ଦର, ଏନଟିପିସି, ନାଲକୋ ଆଦି ରାଷ୍ଟ୍ରାୟତ କମ୍ପାନିମାନଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

Comment